December 23, 2024
Home » ଡିଜିଟାଲ୍ ପରିବର୍ତନ ଯୋଗୁଁ ସବୁ କ୍ଷେତ୍ରରେ ବିକାଶ ହେବ

ଡିଜିଟାଲ୍ ପରିବର୍ତନ ଯୋଗୁଁ ସବୁ କ୍ଷେତ୍ରରେ ବିକାଶ ହେବ

0

ଭୁବନେଶ୍ୱର, ଡିସେମ୍ବର ୧୨: ୨୦୩୬ ସୁଦ୍ଧା ଓଡ଼ିଶା ଅର୍ଥନୀତି ୫୦୦ ମିଲିୟନ୍ ଡଲାରରେ ପହଂଚିବାର ଲକ୍ଷ୍ୟ ରହିଥିବା ବେଳେ ଏଥିପାଇଁ ସବୁ କ୍ଷେତ୍ରରେ ବିକାଶ ଆଣିବା ନିମନ୍ତେ ଡିଜିଟାଲ୍ ପରିବର୍ତନର ଆବଶ୍ୟକତା ରହିଛି ବୋଲି ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଏକ ଜାତୀୟ ସେମିନାରରେ ବିଶେଷଜ୍ଞମାନେ ମତ ରଖିଛନ୍ତି।
ଏହି ଲକ୍ଷ୍ୟ ପୂରଣ ନିମନ୍ତେ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି ଯାହା ନିମନ୍ତେ ଡିଜିଟାଲ୍ ପରିବର୍ତନ ଅବଶ୍ୟମ୍ଭାବୀ ବୋଲି ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ୟୁସିସିଆଇଏଲ୍‌)ର ସଭାପତି ଡକ୍ଟର ପ୍ରବୋଧ ମହାନ୍ତି କହିଛନ୍ତି।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ସେମିନାରର ପ୍ରସଙ୍ଗ ରହିଥିଲା ‘ନାଭିଗେଟିଂ ଦ ଫ୍ୟୁଚର୍ ଅଫ୍ ସଷ୍ଟେନେବଲ ବିଜନେସ୍ ଡେଭଲପ୍‌ମେଂଟ ଥ୍ରୁ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’। ଏହି ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମହାନ୍ତି ନିଜର ବକ୍ତବ୍ୟ ରଖିଥିଲେ।
ସେ କହିଥିଲେ ଯେ ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଖଣିଜ ସମ୍ପଦର ଅନେକ ଗୁରୁତ୍ୱ ରହିଛି। ରାଜ୍ୟ ସରକାର ଏ କ୍ଷେତ୍ରରେ ଡିଜିଟାଲ୍ ପରିବର୍ତନକୁ ବିିନିଯୋଗ କରୁଥିବା ସେ କହିଥିଲେ।
ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଏବଂ ବ୍ଲକ୍ ଚେନ୍‌ର ଡିଜିଟାଲ୍ ପରିବର୍ତନ କ୍ଷେତ୍ରରେ ପ୍ରଭାବ ରହିଥିବା କହି ସେ ଏହା ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଡାକ୍ତର ମହାନ୍ତି ପ୍ରକାଶ କରିଥିଲେ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍ କ୍ଲଷ୍ଟର୍ (ବିସିକେଆଇସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ନମ୍ରତା ମିଶ୍ର, ବାଟୋଇର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ରଥ ଏବଂ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ବକ୍ତବ୍ୟ ରଖିଥିଲେ।
ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇବିସିଏସ୍‌ର ଏକାଡେମିକ ମୁଖ୍ୟ –ଏମ୍‌ବିଏ ପ୍ରୋଗ୍ରାମ୍ ପ୍ରଫେସର ଦୁର୍ଯ୍ୟୋଧନ ଜେନା ଏବଂ ଆସୋସିଏଟ୍ ପ୍ରଫେସର ଡକ୍ଟର ଆଶିଷ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ। ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍‌ଜିତ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।
ଡକ୍ଟର ମିଶ୍ର କହିଥିଲେ ଯେ ଭାରତରେ ଡିଜିଟାଲ୍ ପରିବର୍ତନ ନିମନ୍ତେ ସମୟ ଉପସ୍ଥିତ। ନୂତନତ୍ୱର ପ୍ରବର୍ତନ ତଥା ସବୁ ବିଷୟ ଉପରେ ଗୁରୁତ୍ୱ ଦେଇ ବିକାଶ ସାଧନ କରିବା ଜରୁରୀ ବୋଲି ସେ କହିଥିଲେ।
ଭାରତରେ ଗବେଷଣାର ଦୃଶ୍ୟପଟ୍ଟ ବର୍ତମାନ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି। ଛାତ୍ରଛାତ୍ରୀମାନେ, ଯେଉଁମାନେ କି ପରିବର୍ତନର ବାର୍ତାବହ, ସେମାନେ ବର୍ତମାନ ଉଦ୍ୟୋଗ ପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଉଛି।
ଡିଜିଟାଲ୍ ପରିବର୍ତନ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ଭାରତ ଉପରେ ଆଖି ରଖିଥିବା ବେଳେ ଓଡ଼ିଶାରେ ଷ୍ଟାର୍ଟ ଅପ୍ ଗୁଡ଼ିକ ନୀରବରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଉପକରଣ ବ୍ୟବହାର କରି ଆଗ ବଢ଼ି ଚାଲିଛନ୍ତି ବୋଲି ସେ କହିଥିଲେ।
ଶ୍ରୀ ରଥ କହିଥିଲେ ଯେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସର ଆବିର୍ଭାବ ଫଳରେ କର୍ମଯୋଗାଣ କ୍ଷେତ୍ରରେ ଅସମତା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଥିବା ବେଳେ ଏହା ଅଧିକ ସଂଖ୍ୟାରେ ନୂତନ କାର୍ଯ୍ୟ ସୃଷ୍ଟି କରିବ। ଛାତ୍ରଛାତ୍ରୀମାନେ ଏହି ପରିବର୍ତିତ ପରିସ୍ଥିତିରେ ଅଧ୍ୟୟନ ନିମନ୍ତେ ସିଲାବସ ଉପରେ ଦୃଷ୍ଟି ନିବଦ୍ଧ ନ କରି ସେମାନେ କ’ଣ ଶିକ୍ଷା କରିବା ଆବଶ୍ୟକ ସେ ବିଷୟରେ ଚିନ୍ତା କରିବା ପ୍ରୟୋଜନ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

You may have missed