December 25, 2025
Home » ଖଣ୍ଡଗିରି ମେଳା ପାଇଁ ବିଏମ୍ସିର ପ୍ରସ୍ତୁତି ବୈଠକ

ଖଣ୍ଡଗିରି ମେଳା ପାଇଁ ବିଏମ୍ସିର ପ୍ରସ୍ତୁତି ବୈଠକ

0
WhatsApp Image 2025-01-18 at 7.17.51 PM

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ( ବିଏମ୍ ସି) ପକ୍ଷରୁ ଚଳିତବର୍ଷ ଖଣ୍ଡଗିରି ମାଘ ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସରସ, ସୁନ୍ଦର ଓ ଚିତ୍ତାକର୍ଷକ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଆଜି ବିଏମ୍ ସି ମୁଖ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସାଂସ୍କୃତିକ କମିଟି ଅଧ୍ୟକ୍ଷ ଶ୍ରୀ ମିହିର କୁମାର ରାଉତ, କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ସସ୍ମିତା ସାହୁ ଓ ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାଏକ, ଜୋନାଲ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଅପରପକ୍ଷେ ଏଥିରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟର ବୃନ୍ଦ, ବିଏମ୍ ସିର ବରିଷ୍ଠ ଅଧିକାରୀ, ଜୋନାଲ କମିଶନର, ପୋଲିସ ବିଭାଗର ଅଧିକାରୀ, ଅଗ୍ନିଶମ ବିଭାଗ, ଓ୍ୱାଟ୍ କୋ ସହ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ଜାଗମରା ଅନନ୍ତ କେଶରୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ବିଭିନ୍ନ ଯାତ୍ରା କମିଟିର କର୍ମକର୍ତ୍ତା, ଖଣ୍ଡଗିରି ମାଘମେଳା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଅନନ୍ତ କେଶରୀଙ୍କ ମେଳା ପାଇଁ ଚଳିତ ବର୍ଷ ଖଣ୍ଡଗିରି ମେଳା ତଥା ଜାଗମରାର ଆରାଧ୍ୟ ଦେବତା ଅନନ୍ତ କେଶରୀଙ୍କ ଉତ୍ସବ ପାଇଁ ବିଏମ୍ ସି ପକ୍ଷରୁ 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଗତ ବର୍ଷ ଏହି ରାଶି 2 ଲକ୍ଷ ଥିଲା ।
ଖଣ୍ଡଗିରି ମେଳାରେ ସାମିଲ ହେଲେ ଦେଶର 1 ହଜାରରୁ ଅଧିକ ସାଧୁସନ୍ଥ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ, ଆଲୋକ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ବିଭିନ୍ନ ପ୍ରବେଶ ପଥରେ ଲାଗିବ ଗେଟ୍ । ମୁତୟନ ରହିବ 10ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି । ବଞ୍ଜାରାଙ୍କ ଅନୁପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ପଦକ୍ଷେପ ନିଆଯିବା ସହ ରାସ୍ତା ଜାମରୁ ଦର୍ଶକଙ୍କୁ ରକ୍ଷା କରିବା ପାଇଁ ଏକ ସମୟରେ ଯାତ୍ରା ନ ଭାଙ୍ଗିବାକୁ ଯାତ୍ରାଦଳ ତଥା ସଂପୃକ୍ତ କମିଟିଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ।
ଖଣ୍ଡଗିରିଠାରେ ଆସନ୍ତା 4 ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ମାଘମେଳା ଓ ଖଣ୍ଡଗିରି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା । ଖଣ୍ଡଗିରି ଛକରୁ ଜୟଦେବ ଭାଟିକା ଛକ ପର୍ଯ୍ୟନ୍ତ ହୋଇଥିବା ଜବର ଦଖଲ ଉଠାଇବାକୁ କୁହାଯାଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବା ପାଇଁ ପୁର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ମାନନୀୟା ମେୟର । ରାସ୍ତାରେ ଥିବା ଖାଲଖମା ତୁରନ୍ତ ମରାମତି କରିବା ସହ ପଡିଆକୁ ସମତଳ କରିବା ପାଇଁ କୁହାଯାଇଛି ।
ଖଣ୍ଡଗିରି ପାହାଡ ଉପରକୁ ପାଣି ନେବା ଏକ ସମସ୍ୟା ହୋଇ ରହିଛି । ସେହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଓ୍ୱାଟକୋକୁ ନିର୍ଦେଶ ଦିଆଯାଇଛି । ସଂପୃକ୍ତ ଅଂଚଳ ଓ୍ୱାଟକୋ, ବିଏମ୍ ସି ଇଂଜିନିୟର ଓ ଜୋନାଲ କମିଶନର ମିଳିତ ଭାବେ ଅନୁଧ୍ୟାନ କରିବା ସହ ପାହାଡ ଉପରକୁ କିପରି ସ୍ଥାୟୀଭାବେ ପାନୀୟ ଜଳ ଯୋଗାଣ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ ମେୟର ଓ କମିଶନର ନିର୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ସଂପୃକ୍ତ ଅଂଚଳରେ ଥିବା ନଳକୂପଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି ।
ଖଣ୍ଡଗିରି ଛକରୁ ଜୟଦେବ ଭାଟିକା ଛକ ପର୍ଯ୍ୟନ୍ତ, ମେଳା ପଡିଆ, ଆଦି ଅଂଚଳକୁ ଆଲୋକିକରଣ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅଂଚଳକୁ ଆଲୋକିକରଣ କରାଯିବ । ସେହିପରି ଏ ବର୍ଷ ଅଧିକ ସଂଖ୍ୟକ ସିସି ଟିଭି, ବ୍ୟାରିକେଡ୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ।
ପରିବେଶ ପରିଷ୍କାର ରଖିବା ସହ ବର୍ଜ୍ୟ ଉଠାଇବାକୁ ମେଳାସ୍ଥଳରେ 24 ଘଣ୍ଟିଆ ସଫେଇ କର୍ମୀ ଓ ଗାଡି ରହିବ । ପରିବେଶକୁ ସ୍ୱଚ୍ଛ ରଖିବା ସହ ଜନ ସାଧାରଣଙ୍କ ସୁବିଧା ପାଇଁ ମେଳା ଅଂଚଳରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯିବ ।
ଏହା ବ୍ୟତୀତ ଯାତ୍ରା ଅଂଚଳରେ ପୋଲିସ, ମେଡିକାଲ ଟିମ୍, ଅଗ୍ନୀଶମ ବିଭାଗ, ଓ୍ୱାଟ୍ କୋ, ବିଦ୍ୟୁତ୍ ଆଦି ଉପବିଭାଗର ସେବା ଶିବିର ରହିବାକୁ ସ୍ଥିର କରାଯାଇଛି ।
ଚଳିତ ବର୍ଷ ମେଳାରେ ବ୍ୟବସାୟୀମାନଙ୍କ ପାଇଁ ଷ୍ଟଲ ସଂଖ୍ୟା ବୃଦ୍ଧି କରିବା ସହ ଗତବର୍ଷ ହୋଇଥିବା ସାଇଜ୍ ର ଷ୍ଟଲ କରିବାକୁ ମଧ୍ୟ କୁହାଯାଇଛି । ଏ ବର୍ଷ ମେଳାରେ 4 ଶହରୁ ଅଧିକ ଷ୍ଟଲ ଖୋଲିବାକୁ ଯୋଜନା ହୋଇଛି । ଯେଉଁମାନଙ୍କର ବ୍ୟବସାୟିକ ଅନୁମତି ପତ୍ର ଥିବ, ସେହିମାନଙ୍କୁ ଷ୍ଟଲ ପକାଇବା ପାଇଁ ପ୍ରୋତ୍ସାହିତ କରାଯିବ । ଭ୍ରାମ୍ୟମାଣ ବ୍ୟବସାୟୀଙ୍କଠାରୁ ଟ୍ରେଡ ଲାଇସେନ୍ସ ଫି ମଧ୍ୟ ଆଦାୟ କରାଯିବ । କୌଣସି ବ୍ୟବସାୟୀ ଥର୍ମକୁଲ, ନିଷିଦ୍ଧ ପଲିଥିନି ବା ଏକକ ବ୍ୟବହାର ପ୍ଲାଷ୍ଟିକର ଉପଯୋଗ ନ କରିବାକୁ କଡାକଡି କରାଯାଇଛି ।
ଖଣ୍ଡଗିରି ମେଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । କମିଶନରେଟ୍ ପୋଲିସ ସହ ବିଏମ୍ ସିର 7ଟି ସ୍କ୍ୱାର୍ଡ ଏବଂ ସ୍ୱତନ୍ତ୍ର ଭାବେ 250 ଜଣ ଅବସରପ୍ରାପ୍ତ ସେନାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ । ଏହା ସହ ବିଏମ୍ ସିର ସାଇନ୍ ଟିମ୍ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସକୁ ସହାୟତା କରିବେ । ଏମାନେ ସମସ୍ତେ କମିଶନରେଟ ପୋଲିସ ନିର୍ଦେଶରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି ।
ବ୍ୟବସାୟୀମାନଙ୍କୁ ଅସ୍ଥାୟୀ ଦୋକାନ ଗୃହ ବା ଷ୍ଟଲ ବଣ୍ଟନ ପାଇଁ ବିଭିନ୍ନ ଖବର କାଗଜରେ ପ୍ରଚାର ପ୍ରସାର କରାଯିବାକୁ ନିଷ୍ପତ୍ତି ହୋଇଛି ।
ଯାତ୍ରା ସମୟରେ ଗାଡି ପାର୍କିଂ ଗୁରୁତର ସମସ୍ୟା ସୃଷ୍ଟି କରୁଛି । ସେଥିପାଇଁ 4ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଆଉ ଅଧିକ ସ୍ଥାନରେ ପାର୍କିଂ ସ୍ଥାନ ଚିହ୍ଟନ କରିବା ପାଇଁ କମିଶନରେଟ ପୋଲିସ ଏବଂ ବିଏମ୍ ସିର ସାଉଥ-ଓ୍ୱେଷ୍ଟ ଜୋନାଲ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଆବଶ୍ୟକ ପଡିଲେ ଦୁଇରୁ ତିନି କିଲୋମିଟର ଦୂରରେ ପାର୍କିଂ ସ୍ଥାନ ନିରୂପଣ କରି, ସେଠାରୁ ଦେଖଣାହାରୀଙ୍କୁ ବସ୍ ଯୋଗେ ଖଣ୍ଡଗିରି ମେଳାସ୍ଥଳକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ରାସ୍ତା ପାର୍ଶ୍ୱରେ କୌଣସି ଗାଡି ନ ରଖିବା ପାଇଁ କଡାକଡି ନିର୍ଦେଶ ଦିଆଯାଇଛି ।
ବିଏମ୍ ସିର ଖାଦ୍ୟ ନିରାପତ୍ତା ଟିମ୍ ମଧ୍ୟ ମେଳାରେ ଉପସ୍ଥିତ ରହିବେ । ସେମାନେ ଦୈନିକ ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିବେ । ଆଇନ ଶୃଙ୍ଖଳା, ଟ୍ରାଫିକ୍, ପକେଟ୍ ମାର ଓ ଚୋରୀକୁ ରୋକିବା ପାଇଁ ଖଣ୍ଡଗିରି ମେଳା ଅଂଚଳରେ ଗତ ବର୍ଷ ଅପେକ୍ଷା ଅଧିକ ସିସି ଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଇଛି । କେଉଁ କେଉଁ ସ୍ଥାନରେ ସିସି ଟିଭି ଲାଗିବ, ସେ ସଂପର୍କରେ କମିଶନରେଟ ପୋଲିସ ଓ ସଂପୃକ୍ତ ଜୋନାଲ କମିଶନର ସ୍ଥାନ ନିରୂପଣ କରି ଜଣାଇବେ ।
ମେଳାରେ ଚୋରି କରିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ଏବଂ ଅପରିଷ୍କାର କରୁଥିବା ବଞ୍ଜରାଙ୍କୁ ମେଳାଠାରୁ ଦୂରେଇ ରଖିବାକୁ ଆଲୋଚନା ହୋଇଛି । ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କମିଶନରେଟ ପୋଲିସକୁ କୁହାଯାଇଛି ।
ଏହା ବ୍ୟତୀତ ସାଧୁ ସନ୍ଥଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା, ଯାତ୍ରା ପଡିଆ, ଯାତ୍ରା ପାର୍ଟି ଆଦିକୁ ସୁନିୟନ୍ତ୍ରିତ କରିବା ଆଦି ବହୁ ଦିଗ ଉପରେ ଆଲୋନଚା କରାଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।

Leave a Reply

Your email address will not be published. Required fields are marked *