ଚଳିତବର୍ଷର ପ୍ରଥମ ବନ୍ୟା

ସୁବର୍ଣ୍ଣରେଖା, ବ୍ରାହ୍ମଣୀ, କୋଏଲ, ଗାଲୁଡିହି ରେ ବନ୍ୟା ଜଳେଶ୍ୱର: ଉପର ମୁଣ୍ଡରେ ୩ ଦିନ ଧରି ପ୍ରବଳ ବର୍ଷା ଲାଗିରହିବା ଫଳରେ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇ ଚଳିତବର୍ଷର ପ୍ରଥମ ବନ୍ୟା ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସବୁବର୍ଷ ଭଳି ଗାଲୁଡିହି ଡ୍ୟାମ୍ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ହୋଇ ପାରୁନାହିଁ। ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପର ଅବବାହିକା ଫେକ୍ଘାଟରେ ସର୍ବାଧିକ ୧୪୭.୦୦ ମିମି, ଜାମସେଦପୁରରେ ୫୮.୦ ମିମି, ଘାଟଶୀଳାରେ ୨୬.୬୦ ମିମି, ଜାମଶୋଳାଘାଟରେ ୪୩.୬୦ ମିମି ଓ ନଦୀର ନିମ୍ନ ଅବବାହିକା ବସ୍ତା ବ୍ଳକ୍ ରାଜଘାଟରେ ୦.୪୦ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଜି ଅପରାହ୍ଣ ୪ଟା ସୁଦ୍ଧା ରାଜଘାଟଠାରେ ନଦୀର ଜଳପତ୍ତନ ବିପଦ ସଙ୍କେତ ଉପରେ ୧୦.୪୩ ମିଟରରେ ପ୍ରବାହିତ ହେଉଛି। ଏଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଓ ସତର୍କ ସଙ୍କେତ ୯.୪୫ ମିଟର ରହିଛି। ସେହିପରି, ନଦୀର ଜାମଶୋଳାଘାଟଠାରେ ବିପଦ ସଙ୍କେତ ୪୯.୧୬ ମିଟର ଓ ସତର୍କ ସଙ୍କେତ ୪୨.୩୨ ମିଟର ରହିଛି। ସବିଶେଷ ସୂଚନା ଅନୁଯାୟୀ ଶୁକ୍ରବାର ରାତି ୮ଟା ସୁଦ୍ଧା ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ୧୧ ମିଟର ରହିଥିଲା।
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍ରେ ଗତ ଦୁଇଦିନ ହେଲା ଜଳସ୍ତର ବୃଦ୍ଧି ପାଉଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ତଥା ବ୍ୟାରେଜ୍ର ଜଳପତ୍ତନକୁ ହ୍ରାସ କରିବା ପାଇଁ ବ୍ୟାରେଜ୍ କର୍ତ୍ତୃପକ୍ଷ ମୋଟ୍ ୧୬ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍କୁ ଗତକାଲି ସକାଳେ ଖୋଲି ଦେଇଥିଲେ। ଏହି ୬ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୨.୪୩ ଲକ୍ଷ କ୍ୟୁସେକ୍ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଥିବା ବେଳେ ଆଜି ପୁଣି ଆଉ ଦୁଇଟିକୁ ମିଶାଇ ସମୁଦାୟ ୮ଟି ଗେଟ୍ ଖୋଲି ଦିଆଯାଇଛି। ଏହି ୮ଟି ଗେଟ୍ ଦେଇ ଏବେ ସୁବର୍ଣ୍ଣରେଖା ନଦୀକୁ ୨.୭୦ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ବ୍ୟାରେଜ୍ ପାଣି ନଦୀକୁ ନିଷ୍କାସିତ ହେବା ପରେ ଗତକାଲି ବିଳମ୍ବିତ ରାତିରୁ ସୁବର୍ଣ୍ଣରେଖାର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀର ନିମ୍ନ ଅବବାହିକା ଉତ୍ତର ବାଲେଶ୍ୱର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ବିଶେଷ କରି ଉତ୍ତର ବାଲେଶ୍ବର ଅନ୍ତର୍ଗତ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକ୍ର ନଦୀକୂଳିଆ ଅଞ୍ଚଳରେ ଥିବା ୬୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ୨୩୦ ଗାଁ ଲୋକମାନେ ବନ୍ୟା ବିପତ୍ତି ଆଡ଼କୁ ଠେଲି ହୋଇଯାଇଛନ୍ତି। ସେଥିମଧ୍ୟରୁ ଭୋଗରାଇ ଓ ବାଲିଆପାଳ ବ୍ଲକ୍ ପାଇଁ ଅଧିକ ବିପଦ ରହିଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଖୋଲିଲା ମନ୍ଦିରା ଡ୍ୟାମ୍ର ୯ ଗେଟ୍; ବୁଡ଼ିଲା ୩ ବସ୍ତିର ୧୫ରୁ ଅଧିକ ଘର, ସ୍କୁଲରେ ବିପନ୍ନ ପରିବାରଙ୍କ ଆଶ୍ରୟ
ଗତ ତିନିଦିନ ଧରି ଉପରମୁଣ୍ଡ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଓ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିଲେ ହେଁ କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପକ୍ଷରୁ ମନ୍ଦିରା ଡ୍ୟାମ୍ର ୯ଟି ଗେଟ୍ ଖୋଲାଯିବା ପରେ ବ୍ରାହ୍ମଣୀ ଫୁଲୁଛି। ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ମନ୍ଦିରା ଡ୍ୟାମ୍ର ବର୍ତ୍ତମାନ ଜଳସ୍ତର ୬୮୬.୮୦ ଫୁଟ ରହିଛି। ଡ୍ୟାମ୍କୁ ୪୮,୨୦୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୪୯,୩୫୬ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍ର ଜଳସ୍ତର ଆହୁରି ବଢ଼ିଲେ ସମସ୍ତ ଗେଟ୍କୁ ଖୋଲି ଦିଆଯିବ। ତେବେ ଜଳସ୍ତର ବୃଦ୍ଧି ଯୋଗୁ ଗତକାଲି ବିଳମ୍ବିତ ରାତିରେ ପାନପୋଷ ବାଲୁଘାଟର ସର୍ଦ୍ଦାର ବସ୍ତି, ନୂଆବସ୍ତି, ପଲ୍ପଲ୍ ବସ୍ତି ଓ ତଳବସ୍ତିର ୧୫ରୁ ଅଧିକ ଘର ବୁଡ଼ିଯାଇଛି।
ପାଣିଘେରରେ ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବାଲୁଘାଟସ୍ଥିତ ବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟ ଓ ତରକେରା ବିଦ୍ୟାଳୟରେ ରଖାଯାଇଛି। ବସ୍ତି ଭିତରକୁ ପାଣି ପଶୁଥିବାରୁ ଚିନ୍ତାରେ ରହିଛନ୍ତି ସହରତଳି ଅଞ୍ଚଳବାସୀ। ରାତିରେ ବ୍ରାହ୍ମଣୀର ଜଳସ୍ତର ବଢ଼ିଲେ ପ୍ରତିବର୍ଷ ପରି ୬ରୁ ଅଧିକ ବସ୍ତିର ୪୦ରୁ ଅଧିକ ଘର ବୁଡ଼ିଯିବାର ଆଶଙ୍କା ରହିଛି। ପାଣି ପଶୁଥିବାରୁ ଭୟରେ କେତେକ ପରିବାର ପିଲାଛୁଆଙ୍କୁ ଧରି ଉପରବସ୍ତିର ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଆଉ କିଛି ପରିବାର ଦୁଇଟି ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଖବର ପାଇବା ପରେ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ର ଅଧିକାରୀ ଓ କର୍ମଚାରୀ ବସ୍ତିରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି।
ଆଜି ପ୍ରଥମ ଦିନରେ କ୍ଷତିଗ୍ରସ୍ତ ୧୫ରୁ ଅଧିକ ପରିବାରର ୧୦୦ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଯେ ପର୍ଯ୍ୟନ୍ତ ବସ୍ତିରୁ ପାଣି ନ ଛାଡ଼ିଛି ସେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଆର୍ଏମ୍ସି ପକ୍ଷରୁ କୁହାଯାଇଛି। ମନ୍ଦିରା ଡ୍ୟାମ୍ର ମୋଟ ୧୧ଟି ଗେଟ୍ରୁ ୯ଟି ଗେଟ୍ ଖୋଲାଯାଇଥିବାରୁ ବ୍ରାହ୍ମଣୀର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ବର୍ଷା ଆସିଲେ ସ୍ମାର୍ଟସିଟି ରାଉରକେଲା ସହରତଳି ବସ୍ତିବାସିନ୍ଦାଙ୍କ ଚିନ୍ତା ବଢ଼ିଯାଇଥାଏ। ବାଲୁଘାଟ ସମେତ ୭ରୁ ଅଧିକ ବସ୍ତିର ଶହ ଶହ ପରିବାର ଜଳବନ୍ଦୀ ଜୀବନ ବିତାଇଥାନ୍ତି। ଆଜି ପର୍ଯ୍ୟନ୍ତ ପ୍ରସ୍ତାବିତ ନଦୀବନ୍ଧ ଯୋଜନା କରାଯାଉ ନଥିବାରୁ ପ୍ରତିବର୍ଷ ସହରତଳି ବାସିନ୍ଦାଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର