July 5, 2025
Home » ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

0
WhatsApp Image 2025-03-24 at 10.13.11 PM (1)

ଖାଉଟି ସଚେତନ ହେଲେ ଠକେଇର ସମ୍ଭାବନା ହ୍ରାସ ହୋଇପାରିବ : ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର: ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଆଜି ପାଳିତ ହୋଇଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି ଦିବସର ଶୀର୍ଷକ ‘ନିରନ୍ତର ଜୀବନ ଶୈଳୀକୁ ଏକ ନ୍ୟାୟିକ ପରିବର୍ତ୍ତନ’ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଖାଉଟିମାନେ ସଚେତନ ହୋଇପାରିଲେ ଠକେଇର ଶିକାର ହେବା ସମ୍ଭାବନାକୁ ଦୂରେଇ ଦିଆଯାଇପାରିବ । ସଚେତନ ଖାଉଟି ସଶକ୍ତ ସମାଜ ଗଠନରେ ସହାୟକ ହୋଇପାରିବେ । ଯଦି କୌଣସି ଖାଉଟି ଠକେଇର ଶିକାର ହୁଅନ୍ତି, ତେବେ ଏଥି ପାଇଁ ଉଦ୍ଦିଷ୍ଟ ଫୋରମ୍‌ରେ ଅଭିଯୋଗ କରିପାରିବେ । ଏଥି ପାଇଁ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ । ଏଥିନିମନ୍ତେ ଅଧିକାରୀ ମାନେ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ।

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଯୋଗଦେଇ ପରିବର୍ତ୍ତିତ ସମୟ ସହ ବଜାର ଓ ଖାଉଟିର ସଂଜ୍ଞାରେ ବ୍ୟାପକ ପରିବର୍ତ୍ତନ ହୋଇଥିବାର କହିଥିଲେ । ପ୍ରାଚୀନକାଳରୁ ପ୍ରଚଳିତ ବାଣିଜିକ ପରମ୍ପରାରେ ଖାଉଟି ଓ ବେପାରୀ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ଥିବାବେଳେ ଆବଶ୍ୟକ ପଡ଼ିଲେ ଖାଉଟିମାନେ ସଂପୃକ୍ତ ବିକ୍ରେତାଙ୍କ ସହ କ୍ରୟ ସାମଗ୍ରୀ ସଂପର୍କରେ ଆଲୋଚନା କରିପାରୁଥିଲେ । ପରେ ପରେ ବିଭିନ୍ନ ମଲ୍‌ ମାଧ୍ୟମରେ ଏବଂ ଅଧୁନା ଅନ୍‌ଲାଇନ୍‌ ମାଧ୍ୟମରେ ସାମଗ୍ରୀ ବିକ୍ରୟ ହେଉଛି । ଏହା ଦ୍ୱାରା ବିକ୍ରେତା ଓ ଖାଉଟି ମଧ୍ୟରେ କୌଣସି ସିଧାସଳଖ ସଂପର୍କ ରହୁନାହିଁ । ଏଥି ନିମନ୍ତେ ଖାଉଟମାନେ ସଚେତନ ହୋଇ ସେମାନଙ୍କର ଉଦ୍ଦିଷ୍ଟ ସାମଗ୍ରୀ କ୍ରୟ କରିବାର ଆବଶ୍ୟକତା ରହିଛି । କୌଣସି ଖାଉଟି ଠକେଇର ଶିକାର ହେଲେ ଏଥି ନିମନ୍ତେ ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ ଖାଉଟି ବିବାଦ ସମାଧାନ କେନ୍ଦ୍ରର ସହଯୋଗ ଲୋଡ଼ିବାର ଆବଶ୍ୟକତା ଥିବା ସେ ସୂଚନା ଦେଇଥିଲେ ।

ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ତଥା ମୁଖ୍ୟ ଶ୍ରୀ ଏ.କେ. ପୁରୋହିତ କହିଲେ ଯେ ଖାଉଟିମାନେ ସେମାନଙ୍କର ଅଧିକାର ସଂପର୍କରେ ସଚେତନ ହେବାର ଆବଶ୍ୟକତା ରହିଛି । ସକାଳର ଶଯ୍ୟା ତ୍ୟାଗଠାରୁ ଆରମ୍ଭ କରି ରାତିରେ ନିଦ୍ରା ଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷ ବିଭିନ୍ନ ଉତ୍ପାଦ ବ୍ୟବହାର କରିଥାଏ । ସେଗୁଡ଼ିକର ଗୁଣବତ୍ତା ସଂପର୍କରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ନରହିଲେ ଖାଉଟିମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଠକେଇ ହେବାର ଆଶଙ୍କା ରହିଛି । ଏଥି ନିମନ୍ତେ ଉପଭୋକ୍ତା ପରାମର୍ଶ କେନ୍ଦ୍ରମାନଙ୍କ ସହ ଯୋଗାଯୋଗ କରି ଖାଉଟିମାନେ ଉକ୍ତ ସାମଗ୍ରୀର ମାନକ ସଂପର୍କରେ ଅବଗତ ହୋଇପାରିବେ ଏବଂ ନିଜର ନାର୍ଯ୍ୟ ଅଧିକାର ପାଇବା ପାଇଁ ଖାଉଟି ସଶକ୍ତିକରଣ ନିମନ୍ତେ ଉପଭୋକ୍ତାମାନେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସୁବିଧାସୁଯୋଗର ଫାଇଦା ଉଠାଇପାରିବେ । ପାଶ୍ଚାତ୍ୟ ଦେଶଗୁଡ଼ିକରେ ଖାଉଟିମାନେ ସଚେତନ ଥିବାରୁ କୌଣସି ସାମଗ୍ରୀ ବଜାର ପ୍ରବେଶ ପୂର୍ବରୁ ସମ୍ପୃକ୍ତ ବିକ୍ରେତାମାନେ ଉକ୍ତ ଉତ୍ପାଦର ଗୁଣବତ୍ତାକୁ ନେଇ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବାର ନଜିର ରହିଛି । ଏଣୁ ଆମ୍ଭେମାନେ ସଚେତନ ହୋଇପାରିଲେ ବିକ୍ରେତାମାନେ ବାଧ୍ୟ ହୋଇ ଗୁଣବତ୍ତା ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବେ ବୋଲି ସେ ପରାମର୍ଶ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ଅତିଥି ଭାବେ ଯୋଗଦେଇ ଆୟୋଗର ବିଭିନ୍ନ କାର୍ଯ୍ୟଧାରା ସଂପର୍କରେ ଅବଗତ କରାଇଥିଲେ । ଉପଭୋକ୍ତା ମାନଙ୍କ ସୁରକ୍ଷା ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ରାଜ୍ୟ ଉପଭୋକ୍ତା ପ୍ରତିକାର ଆୟୋଗ ଏବଂ ୩୧ଟି ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ମାନଙ୍କ ଜରିଆରେ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି, ଉପଭୋକ୍ତା ମାନେ ସେସବୁ ହାସଲ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଅତିଥିମାନେ ଫେବୃଆରୀ ମାସର ‘ନ୍ୟୁଜ ଲେଟର’ ଉନ୍ମୋଚନ କରିବା ସହ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ଇଂରାଜୀ ଓ ଓଡ଼ିଆ ବକ୍ତୃତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବିଭାଗ ପକ୍ଷରୁ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ରଚିତ ଏବଂ ଶ୍ରୀ ଅନନ୍ତ କିଶୋର ସାହୁଙ୍କ ନିର୍ଦ୍ଦେଶନାରେ ସଚେତନ ଗ୍ରାହକ ଓ ସଶକ୍ତ ସମାଜ ଗଠନ ଉପରେ ଏକ ନାଟକ ପରିବେଷଣ ହୋଇଥିଲା ।

ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *