ବିଜେପି ସରକାରର ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି ଧୂଆଁବାଣ

ଭୁବନେଶ୍ୱର: ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ। ସୂର୍ଯ୍ୟଘର ଯୋଜନାରେ ଲୋକଙ୍କ ଘରେ ଆଲୁଅ ଜଳିବ। ନିର୍ବାଚନ ସମୟରେ ବିଜେପି ନେତାମାନେ ଏପରି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ରାଜ୍ୟରେ କ୍ଷମତା ଦଖଲ ପରେ ଏହି ପ୍ରତିଶ୍ରୁତି ଏବେ ଧୂଆଁବାଣରେ ପରିଣତ ହୋଇଛି। ସୂର୍ଯ୍ୟଘର ବିଜୁଳି ଯୋଜନା ଅନ୍ଧାର ହୋଇ ଯାଇଛି। ମାଗଣା ବିଜୁଳି ପାଇଁ ଆଶା ବାନ୍ଧିଥିବା ଲୋକମାନେ ଖର୍ଚ୍ଚାନ୍ତ ହେବା ଆଶଙ୍କାରେ ଯୋଜନାରୁ ମୁହଁ ମୋଡ଼ୁଛନ୍ତି। ସରକାର ମଧ୍ୟ ଏ ସଂପର୍କରେ ଉପଯୁକ୍ତ ସହାୟତା ଯୋଗାଇବାରେ ବିଫଳ ହୋଇଛନ୍ତି। ପରିଣତିସ୍ୱରୂପ ରାଜ୍ୟରେ ୮୦ହଜାର ସୂର୍ଯ୍ୟଘର ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୧୪୩୩ ଜଣଙ୍କ ଘରେ ଲାଗି ପାଇଛି ସୌର ବିଜୁଳି ପ୍ୟାନେଲ।
ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ପ୍ରାୟ ୮୦ ହଜାର ଲୋକ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ପାଇଁ ଆବେଦନ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୧୧୪୧ ଜଣ ଏହି ଯୋଜନାରେ ସାମିଲ ହୋଇଛନ୍ତି। ୧ କିଲୋୱାଟ୍ (ପ୍ରାୟ ୧୦୦ ୟୁନିଟ୍ ବିଜୁଳି) ପାଇଁ ଗ୍ରାହକଙ୍କୁ ପ୍ରଥମେ ଲକ୍ଷେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ସୌର ପ୍ୟାନେଲ ଲାଗିବାର ୩ ମାସ ପରେ ଗ୍ରାହକଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ସବସିଡ଼ି ଆସିବ। ଅର୍ଥାତ୍ ୧୦୦ ୟୁନିଟ ବିଜୁଳି ପାଇଁ ଉପଭୋକ୍ତାଙ୍କୁ ପ୍ରଥମେ ନିଜ ହାତରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ୨ କିଲୋ ୱାଟ୍ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ଥିବା ବେଳେ ୬୦ ହଜାର ଟଙ୍କା ସବ୍ସିଡି ଓ ୩ କିଲୋୱାଟ୍ ପାଇଁ ଅଢେ଼ଇ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ୭୮ ହଜାର ଟଙ୍କା ସବ୍ସିଡି ମିଳିବ। ଜଣେ ନିମ୍ନ ଆୟକାରୀ ପରିବାର ଏତେ ଟଙ୍କା ଆଣିବ କେଉଁଠୁ?
ଲୋକଙ୍କ ବିଜୁଳି ରୋଷ ବଢ଼ିବା ଉପଲବ୍ଧି କରି ସରକାରଙ୍କ ପାଇଁ ଗତ ଜାନୁଆରୀ ୩ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସବ୍ସିଡି ଅର୍ଥ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। କିଲୋୱାଟ୍ ପିଛା ୨୫୦୦୦ ଟଙ୍କା ହିସାବରେ ଦୁଇ କିଲୋୱାଟ୍ ପର୍ଯ୍ୟନ୍ତ ଏବଂ ତୃତୀୟ କିଲୋୱାଟ୍ ପାଇଁ ଆଉ ୧୦୦୦୦ ଟଙ୍କାର ଅତିରିକ୍ତ ସବ୍ସିଡି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଅପରପକ୍ଷେ ଗ୍ରୁପ୍ ହାଉସିଂ ସୋସାଇଟି ଏବଂ ରେସିଡେନ୍ସିଆଲ ୱେଲଫେୟାର ଏସୋସିଏସନ୍ ମାନଙ୍କରେ ଇଭି ଚାର୍ଜିଂ ତଥା ତଥା ବିଦ୍ୟୁର ସର୍ବସାଧାରଣ ବ୍ୟବହାର ପାଇଁ ସର୍ବାଧିକ ୫୦୦ କିଲୋୱାଟ୍ ପର୍ଯ୍ୟନ୍ତ (ପ୍ରତି ଘରକୁ ୩ କିଲୋୱାଟ୍ ଅନୁସାରେ) ରୁଫ୍ ଟପ୍ ସୌର ପ୍ରକଳ୍ପ ସ୍ଥାପନ ପାଇଁ କିଲୋୱାଟ୍ ପିଛା ୧୮ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା ହୋଇଛି। ଏଥିପାଇଁ ରାଜ୍ୟ ସରକାର ଚଳିତ ବଜେଟରୁ ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସରକାର କହୁଛନ୍ତି। ଏହାଦ୍ୱାରା ରାଜ୍ୟର ୩ ଲକ୍ଷ ଘରୋଇ ଉପଭୋକ୍ତା ଉପକୃତ ହେବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ମାତ୍ର ରାଜ୍ୟର ୮୦ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ କେତେ ଲୋକ ଆଗୁଆ ହାତରୁ ଟଙ୍କା ଖର୍ଚ୍ଚ କରିବାର ସାମର୍ଥ୍ୟ ରଖିଛନ୍ତି ତାହା ରାଜ୍ୟ ସରକାର ଆକଳନ କରିଛନ୍ତି କି ବୋଲି ପ୍ରଶ୍ନ ଉଠିଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର