ବିଶ୍ଵ ବୟସ୍କ ନିର୍ଯାତନା ସଚେତନତା ଦିବସ ପାଳନ

ଭୁବନେଶ୍ୱର: ବିଶ୍ୱବୟସ୍କ ନିର୍ଯାତନା ସଚେତନତା ଦିବସ ଉପଲକ୍ଷେ ସ୍ଥାନୀୟ ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ, ଡେ-କେୟାର ସେଣ୍ଟର୍ ଠାରେ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଗଣେଶ କୁମାର ପ୍ରଧାନ ସଭାପତିତ୍ଵ କରି କହିଥିଲେ ଯେ ସମ୍ପ୍ରତି ପରିବର୍ତ୍ତିତ ସାମାଜିକ, ପାରିବାରିକ ଓ ଆର୍ଥିକ ଅବସ୍ଥା ରେ ବରିଷ୍ଟ ନାଗରିକମାନେ ଦିନକୁ ଦିନ ଅଧିକ ଦୟନୀୟ ଅବସ୍ଥା ଆଡ଼କୁ ଗତିକରୁଛନ୍ତି। ତେଣୁ ଏ ସମ୍ପର୍କରେ ଆଲୋଚନା କରାଯାଇ ସରକାରୀ ଓ ବେସରକାରୀ ସ୍ତରରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଆହ୍ବାନ ଦେଇଥିଲେ।
ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କମଳା ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବାରରେ ଓ ସମାଜରେ ବରିଷ୍ଟ ନାଗରିକ ମାନଙ୍କ ପ୍ରତି ହେଉଥିବା ଅବହେଳା ଓ ନିର୍ଯାତନା ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟରେ ଭାରତୀୟ ପୁରାଣ ଶାସ୍ତ୍ର ମାନଙ୍କରେ ସେ ସମୟରେ ବରିଷ୍ଠ ନାଗରିକ ମାନଙ୍କୁ ଦିଆଯାଉଥିବା ସମ୍ମାନ ଓ ଯତ୍ର ଉଦାହରଣ ଦେଇଥିଲେ। ଏଥିପାଇଁ ବିଶେଷକରି ରାମାୟଣ ଓ ମହାଭାରତ ଘରେ ଘରେ ପଠନର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ।ଏହି ଆଲୋଚନାଚକ୍ରରେ ଅଗ୍ରଣି ସାମାଜିକ ସଂଗଠନ ସହଯୋଗର ସଭାପତି ବାଇଧର ପାତ୍ର, ରୋଟାରିଆନ ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ଭିମେଶ୍ଵର ମନ୍ଦିର ସମିତି ସମ୍ପାଦକ ପଦ୍ମନାଭ ଷଡ଼ଙ୍ଗୀ, ମଞ୍ଚର ହିସାବ ନିରୀକ୍ଷକ ଧ୍ରୁବଚରଣ ପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରୀୟା ଦାସ, ମଞ୍ଚର ଅଗ୍ରଣୀ ସଦସ୍ୟ ପ୍ରଦୀପ କୁମାର ଦାସ, ଭୀମାଟାଙ୍ଗି ବିକାଶ ପରିଷଦ ସମ୍ପାଦକ ବିଶ୍ଵନାଥ ବେହେରା ଆଲୋଚନାରେ ଅଂଶ ଗ୍ରହଣ କରି କହିଥିଲେ ଯେ ସମୟ ବହୁତ ବଦଳି ଗଲାଣି। ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ସମାଜରେ ବଞ୍ଚୁଛେ ଓ ଆଧୁନିକ ପ୍ରଣାଳୀକୁ ଆପଣେଇଛେ, ସମୟ ସହ ତାଳ ଦେଇ ଚାଲୁଛେ କିନ୍ତୁ ଏହାର ଅର୍ଥ ନୁହେଁଯେ ଆମେ ଆମ ପରିବାର ବାପା, ମା ଭାଇଭଉଣୀ, ସମାଜକୁ ଭୁଲିଯିବା। ସେମାନେ ଦେଇଥିବା ଶିକ୍ଷା ଓ ସଂସ୍କାର କୁ ମଧ୍ୟ ଭୁଲିଯିବା? ବର୍ତ୍ତମାନ ଆଧୁନିକ ପ୍ରଣାଳୀକୁ ଅନୁସରଣ କରିବା ଲାଳସାରେ ଆମେ ଆମର ଅନେକ ଗୁଡ଼ିଏ ପ୍ରଥା ପରମ୍ପରା ଓ ପ୍ରଚଳନକୁ ଭୁଲିଯିବା ଉଚିତନୁହଁ। ଏହି ଅବସରରେ ଉପେନ୍ଦ୍ର ନାଥ ବେହେରା ତାଙ୍କର ସ୍ଵରଚିତ କବିତା ପାଠ କରି ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ। ସମ୍ପାଦକ କାମଦେବ ରଣସିଂହ ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବିଶ୍ଵର ମଙ୍ଗଳ କାମନା ନିମନ୍ତେ ଈଶ୍ବରଙ୍କ ନିକଟରେ ଏକ ଚିତ୍ତାକର୍ଷକ ପ୍ରାର୍ଥନା ଗାନ କରିଥିଲେ।ଏହି ଉପାଦେୟ ଉଚ୍ଚକୋଟୀର ଆଲୋଚନା ଚକ୍ରକୁ ବସନ୍ତ କୁମାର ନାୟକ, ବିଷ୍ନୁ ଚରଣ ପ୍ରଧାନ, ଶଙ୍କର ମହାପାତ୍ର ପରିଚାଳନା କରିଥିଲେ। ଶେଷରେ ସମସ୍ତଙ୍କୁ ସୁସ୍ୱାଦୁନୈଷ୍ୟ ଭୋଜନରେ ଆପ୍ୟାହିତ କରାଯାଇଥିଲା।