ରାୟଗଡ଼ା ଜିଲ୍ଲାରେ ନାମକୁ ମାତ୍ର ଇଏସ୍ଆଇ ହସ୍ପିଟାଲ,

ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କିନ୍ତୁ ଜିଲ୍ଲାରେ ବହୁ ଛୋଟ, ମଧ୍ୟମ ଓ ବଡ଼ ଶିଳ୍ପ ରହିଛି । କିନ୍ତୁ ଏହି ଶିଳ୍ପାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଇଏସ୍ଆଇ କାର୍ଡ ସୁବିଧା ମଧ୍ଯ ଦେଇଛନ୍ତି। ଇଏସ୍ଆଇ ପାଇଁ କର୍ମଚାରୀଙ୍କ ଦରମାରୁ ନିୟମିତ ୧.୨୫% କଟୁଛି । କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ୪% ଇଏସ୍ଆଇକୁ ପଇଠ କରୁଛନ୍ତି। ତେବେ ରାୟଗଡ଼ା ଜିଲ୍ଲା ଜେକେପୁରସ୍ଥିତ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟ (ଇଏସ୍ଆଇ) ହସ୍ପିଟାଲ ଥିଲେ ମଧ୍ୟ ଆବଶ୍ୟକ କର୍ମଚାରୀ ନାହାନ୍ତି କି ଆନୁଷଙ୍ଗିକ ବ୍ୟବସ୍ଥା ଓ ଆଧୁନିକ ଯନ୍ତ୍ରାଂଶ ନାହିଁ।
ଫଳରେ ଜିଲ୍ଲାରେ ରହିଥିବା ୧୪ ହଜାର ଇଏସ୍ଆଇ କାର୍ଡଧାରୀ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ୧୪ ହଜାର କାର୍ଡଧାରୀଙ୍କ ପରିବାରକୁ ମିଶାଇଲେ ଜିଲ୍ଲାରେ ପ୍ରାୟ ୪୦ ହଜାରରୁ ଅଧିକ ଲୋକ ଜେକେପୁର ଠାରେ ଥିବା ଇଏସ୍ଆଇ ହସ୍ପିଟାଲ ଉପରେ ନିର୍ଭରଶୀଳ। ସେମାନେ ସେଠାରେ ଇଏସ୍ଆଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ। ଏଠାରେ ଆବଶ୍ୟକ ଷ୍ଟାଫ୍ ନଥିବା କାରଣରୁ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଉଚିତ ସ୍ବାସ୍ଥ୍ୟସେବା ମିଳୁନି। ଆଉ ବର୍ତ୍ତମାନ ଖୋଦ୍ ହସ୍ପିଟାଲ କର୍ତ୍ତୃପକ୍ଷ ପୋଷ୍ଟର ଲଗାଇ ନଆସିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ପଦବୀ ପାଇଁ ୬୭ ଜଣ କର୍ମଚାରୀଙ୍କ ନିଯୁକ୍ତି ଅନୁମୋଦିତ ରହିଥିବାବେଳେ ସେଥିରୁ ମାତ୍ର ୩୧ଜଣ ରହିଛନ୍ତି । ବଳକା ୩୬ ଟି ପଦବୀ ଖାଲି ରହିଛି। ଯେଉଁଥରେ ସିନିୟର ଓ ଜୁନିୟର ବିଭାଗ ପାଇଁ ମୋଟ ୧୪ ଟି ମେଡିକାଲ ଅଫିସର ପଦବୀ ଅନୁମୋଦିତ ରହିଥିଲେ ହେଁ ମାତ୍ର ୪ ଜଣ ନିଯୁକ୍ତି ପାଇଛନ୍ତି। ବଳକା ୧୦ ଟି ଖାଲି ପଡ଼ିଛି । ଗୋଟିଏ ନର୍ସିଂ ଅଫିସର ପଦବୀ ରହିଥିଲେ ମଧ୍ୟ ତାହା ଦୀର୍ଘଦିନରୁ ଖାଲି ପଡ଼ିଛି । ଷ୍ଟାଫ୍ ନର୍ସ ୮ ରୁ ୭, ଲ୍ୟାବ୍ ଟେକ୍ନିସିଆନ ଓ ଏଏନ୍ଏମ୍ ଗୋଟିଏ ଲେଖାଏଁ ପଦବୀ ଖାଲି ପଡ଼ିଛି । ଦୈନିକ ୨୦୦ ରୁ ୩୦୦ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଜଣେ ନର୍ସ ଦୈନିକ ୭୦ ରୁ ଉର୍ଦ୍ଧ ଇଞ୍ଜେକ୍ସନ ଦେବା ମୁସ୍କିଲ ହୋଇପଡ଼ୁଛି। ଷ୍ଟାଫନର୍ସ ନ ଥିବା କାରଣରୁ ଓପିଡି ସୁଚାରୁରୂପେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ସେହିପରି ୨୫ ଟି ଶଯ୍ୟା ବଦଳରେ ମାତ୍ର ୩ ଟି ଶଯ୍ୟା କାର୍ଯ୍ୟକ୍ଷମ ରହିଛି। ଆନାସ୍ଥେସିଆ ବିଶେଷଜ୍ଞ ଓ କର୍ମଚାରୀ ଅଭାବାରୁ ଅପରେଶନ ଥିଏଟର କାର୍ଯ୍ୟକ୍ଷମ ନହୋଇ ତାଲା ଝୁଲୁଛି। ସେହିଭଳି ଇଏସ୍ଆଇ ହସ୍ପିଟାଲରେ ରହିଥିବା ଅନ୍ୟାନ୍ୟ କର୍ମଚାରୀ ନଥିବା ଯୋଗୁଁ ନଥିପତ୍ର ତଦାରଖ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ହୋଇପାରୁନାହିଁ । କେବଳ ସେତିକି ନୁହେଁ, ୨୦୨୧ ମସିହାରେ ଇଏସ୍ଆଇ ହସ୍ପିଟାଲରେ ଥିବା ଆମ୍ବୁଲାନ୍ସ ଦୁର୍ଘଟଣାରେ ଖରାପ ହେବା ପରେ ତାହାକୁ ନିଲାମ କରିଦିଆଯାଇଥିଲା। ଏହାପରେ ଆଉ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇନାହିଁ । ଯଦ୍ବାରା ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଇଏସ୍ଆଇ ହସ୍ପିଟାଲରେ ଲାଗି ରହିଥିବା ସମସ୍ତ ସମସ୍ୟା ବିଷୟରେ ମେଡ଼ିକାଲ ଅଧିକ୍ଷକ ଡା. ବିରଞ୍ଚି ନାରାୟଣ ପଣ୍ଡାଙ୍କୁ ପଚାରିବାରୁ ବିଭିନ୍ନ ସମସ୍ୟା ନେଇ ବିଭାଗୀୟ ସରକାରଙ୍କୁ ଅବଗତ କରାଯାଇଛି। ତେବେ ରୋଗୀଙ୍କ ସଚେତନତା ପାଇଁ ଏହି ପୋଷ୍ଟର ଆମେ ଲଗାଇଛୁ ବୋଲି ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ୧୯୭୮ ମସିହାରେ ଜିଲ୍ଲାରେ ବିଭିନ୍ନ କମ୍ପାନୀ କର୍ମଚାରୀ ଓ ତାଙ୍କ ପରିବାରବର୍ଗକୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଏହି ଇଏସ୍ଆଇ ହସ୍ପିଟାଲରେ କେବେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ। ଆଉ ଏହାର ଭବିଷ୍ୟତର ରୂପରେଖ କଣ ହେବ। ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଏହା ସରକାରୀ ଅପାରଗତା ବୋଲି କହିଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏହି ପ୍ରସଙ୍ଗ ଉଠାଇବି ବୋଲି ସୂଚନା ଦେଇଛନ୍ତି।