July 5, 2025
Home » ଶ୍ରୀକ୍ଷେତ୍ରରେ ଥିବା ତୀର୍ଥ ପୁଷ୍କରିଣୀ ଗୁଡ଼ିକ ଦୂଷିତ

ଶ୍ରୀକ୍ଷେତ୍ରରେ ଥିବା ତୀର୍ଥ ପୁଷ୍କରିଣୀ ଗୁଡ଼ିକ ଦୂଷିତ

0
WhatsApp Image 2025-03-10 at 10.30.26 AM (1)

ପୁରୀ ପୌରପାଳିକାର ଅବହେଳା ଯୋଗୁ ଶ୍ରୀକ୍ଷେତ୍ରରେ ଥିବା ତୀର୍ଥ ପୁଷ୍କରିଣୀ ଗୁଡ଼ିକ ର ଜଳ ଏବେ ଗାଧେଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଇଛି ଯେ ତୀର୍ଥ ପୁଷ୍କରିଣୀରେ ସ୍ନାନ କଲେ ବିଭିନ୍ନ ଶାରିରୀକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତୀର୍ଥ ପୁଷ୍କରିଣୀର ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଯାଇଥିବା ଓ ଏହାର ଜଳ ଗାଧେଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ଥିବା ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିବା ପରେ ସବୁଆଡେ ଏହା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପୁରୀ ପୌରପାଳିକା କୁ ଲେଖିଥିବା ଚିଠି ସାମ୍ନାକୁ ଆସିବା ପରେ ଶ୍ରୀକ୍ଷେତ୍ରରେ ଥିବା ତୀର୍ଥ ପୁଷ୍କରିଣୀର ଦୟନୀୟ ସ୍ଥିତି ଏବଂ ପ୍ରଦୂଷଣ ସମ୍ପର୍କରେ ଜଣାପଡିଛି। ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଓ ପାର୍ବତୀ ସାଗର ତୀର୍ଥ ପୁଷ୍କରିଣୀର ଜଳ ସମ୍ପୂର୍ଣ୍ଣ ଗାଧେଇବା ଅନୁପଯୁକ୍ତ ଥିବା କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ ଚିଠି ରୁ ଜଣାପଡିଛି। ତେବେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପୁଷ୍କରିଣୀର ଜଳର ଗୁଣାତ୍ମକ ମାନ ‘ଖ’ ଶ୍ରେଣୀର ମାନଦଣ୍ଡ ପୁରଣ କରୁଥିଲେ ସେହି ପୁଷ୍କରିଣୀର ଜଳ ଗାଧେଇବା ଉପଯୋଗୀ।‌ ହେଲେ ପୁରୀର ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଓ ପାର୍ବତୀ ସାଗର ଜଳର ଗୁଣାତ୍ମକ ମାନ ‘ଖ’ ଶ୍ରେଣୀର ମାନଦଣ୍ଡ ପୁରଣ କରୁନଥିବା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଚିଠିରେ ପୌରପାଳିକା କୁ ଅବଗତ କରାଯାଇଛି। ତେବେ ଶ୍ରୀକ୍ଷେତ୍ର ଥିବା ଏହି ପୁଷ୍କରିଣୀରେ ପ୍ରତିଦିନ ହଜାର ହଜାର ଭକ୍ତ ସ୍ନାନ ଏବଂ ବୁଡ଼ ପକାଇବାକୁ ଆସୁଥିବା ବେଳେ ଏହାର ଜଳକୁ ପ୍ରଦୂଷଣ ରୁ ରକ୍ଷା ପାଇଁ ପୁରୀ ପୌରପାଳିକା କୌଣସି ପଦକ୍ଷେପ ନେଉନଥିବା ରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଭକ୍ତ ଓ ସେବାୟତ।

,
ଗତ ୨୦୨୨ ମସିହାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଓଡ଼ିଶାର ଥିବା ବିଭିନ୍ନ ପୋଖରୀ, ନାଳ ଏବଂ ହ୍ରଦ ସହ ପୁଷ୍କରିଣୀ ଜଳର ମାନ ପରୀକ୍ଷା କରାଯାଇ ଥିଲା। ପରବର୍ତ୍ତୀ ସମୟରେ ଗତ ୨୦୨୨ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ ନିୟନ୍ତ୍ରଣ ଦ୍ବାରା ପୁରୀରେ ଥିବା ପାଞ୍ଚ ତୀର୍ଥ ପୁଷ୍କରିଣୀର ଜଳର ମାନ ନିୟମିତ ପରୀକ୍ଷା କରାଯାଇଥିବା ବେଳେ ତୀର୍ଥ ପୁଷ୍କରିଣୀର ଜଳ ଗାଧେଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ଥିବା ଜଳ ନମୁନା ପରୀକ୍ଷାରୁ ଜଣାପଡିଛି। ତେବେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ର ରିପୋର୍ଟ ଅନୁସାରେ ପାଣିରେ ଡିଜଲଭ୍ଡ ଅକ୍ସିଜେନ୍, ବାୟୋ କେମିକାଲ ଅକ୍ସିଜେନ୍ ଡିମାଣ୍ଡ, ଟୋଟାଲ କଲିଫର୍ମ, ଫେକାଲ୍ କଲିଫର୍ମ ର ମାନ ବହୁ ତଳେ ରହିଛି। ଯାହାକୁ ଗାଧୁଆ ପାଧୁଆ ପାଇଁ ଏହି ପାଣି ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଏହି ପାଣିରେ ପୂଜା ସାମଗ୍ରୀ ପକାଇବା ପାଇଁ, ବିଭିନ୍ନ ଖାଦ୍ୟ ସାମଗ୍ରୀ ଫିଙ୍ଗିବା ଓ ଆବର୍ଜନା ପାଣି ଛାଡିବା କାରଣରୁ ଏଭଳି ସ୍ଥିତି ଉପୁଜିଛି। ତୀର୍ଥ ପୁଷ୍କରିଣୀର ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଯାଇଥିବା ବେଳେ ଏଦିଗରେ ଦୃଷ୍ଟି ଦେବାକୁ ପୁରୀ ପୌରପାଳିକା କୁ ଚିଠି ଦ୍ବାରା ରାଜ୍ୟ ପ୍ରଦୂଷଣ ବୋର୍ଡ଼ ଚିଠି ଯୋଗେ ବାରମ୍ବାର ଅବଗତ କରାଇଛି। ହେଲେ ଦୁର୍ଭାଗ୍ୟର ବିଷୟ ଏହି ପୁଷ୍କରିଣୀର ଜଳକୁ ପ୍ରଦୂଷଣ ମୁକ୍ତ କରିବାକୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର ର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀ କୁ ଭକ୍ତ ମାନେ ତୀର୍ଥ କରିବାକୁ ଆସିଥାନ୍ତି। ଶ୍ରୀକ୍ଷେତ୍ର ରେ ଥିବା ପଞ୍ଚ ତୀର୍ଥ ପୁଷ୍କରିଣୀ ରେ ନିଜ ପୂର୍ବପୁରୁଷ ଙ୍କ ପାଇଁ ଶ୍ରାଦ୍ଧ, ତର୍ପଣ କରିବା ସହ ପବିତ୍ର ପୁଷ୍କରିଣୀ ରେ ସ୍ନାନ କରିଥାନ୍ତି। ସାଙ୍ଗ ରେ ଆଣିଥିବା ବିଭିନ୍ନ ଫୁଲ, ଚାଉଳ, ପୂଜା ସାମଗ୍ରୀ ସେହି ପୁଷ୍କରିଣୀ ରେ ପକାଇଥାନ୍ତି। ତେବେ କିଛି ବର୍ଷ ହେବ ତୀର୍ଥ ପୁଷ୍କରିଣୀ କୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉନାହିଁ। ଫଳରେ ପୁଷ୍କରିଣୀ ର ଜଳ ପ୍ରଦୂଷିତ ହେବା ସହ ବ୍ୟବହାର ଉପୋଯୋଗୀ ଆଉ ରହିନାହିଁ। ଏହାକୁ ଦେଖିଲେ ବହୁତ ଦୁଃଖ ଲାଗୁଛି। ତେବେ ସରକାର ଏହାକୁ ଗୁରୁତର ସହ ନେଇ ତୀର୍ଥ ପୁଷ୍କରିଣୀ କୁ ସଫା ରଖନ୍ତୁ। ପ୍ରଦୂଷଣ ମୁକ୍ତ ରଖିବା ପାଈଁ ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ। ସାରା ଭାରତ ରୁ ଭକ୍ତ ଆସୁଥିବା ବେଳେ ତୀର୍ଥ ପୁଷ୍କରିଣୀ ର ଏଭଳି ଅବ୍ୟବସ୍ଥା ଦେଖି ଏକ ଖରାପ ଅନୁଭୂତି ନେଇ ଫେରିବେ।

ପୁରୀ କୁ ତୀର୍ଥ ପାଇଁ ସୁଦୂର ବୃନ୍ଦାବନ ରୁ ଆସିଥିବା ଜଣେ ଭକ୍ତ ଗୋବିନ୍ଦ ଦାଶ କହିଛନ୍ତି, ତୀର୍ଥ ପୁଷ୍କରିଣୀ ର ସ୍ବତନ୍ତ୍ର ସ୍ଥାନ ରହିଚି ଭକ୍ତ ଙ୍କ ମଧ୍ୟ ର । ସାରା ବିଶ୍ବ ରୁ ଆସୁଥିବା ଭକ୍ତ ଶ୍ରୀକ୍ଷେତ୍ର ରେ ଥିବା ତୀର୍ଥ ପୁଷ୍କରିଣୀ ପରିଭ୍ରମଣ କରି ଦିବ୍ୟ ସ୍ନାନ ଲାଭ କରିଥାନ୍ତି। ତେବେ ତୀର୍ଥ ପୁଷ୍କରିଣୀ ର ଜଳ ସବୁବେଳେ ସଫା ରହିବା ଦରକାର। ସରକାର ଓ ପ୍ରଶାସନ ପକ୍ଷରୁ ଏ ନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଉଚିତ୍। ଏହା ଦ୍ଵାରା ତୀର୍ଥ ପୁଷ୍କରିଣୀ ରେ ଭକ୍ତ ମାନେ ସ୍ନାନ କଲେ ଶରୀର ର କୌଣସି କ୍ଷତି ହେବ ନାହିଁ। ଏକ ଭଲ ଅନୁଭୂତି ନେଇ ଫେରିବେ। ଶ୍ୱେତଗଙ୍ଗା ପୁଷ୍କରିଣୀ ର ଜଳ ବହୁତ ଖରାପ ରହିଚି।ଏହା ପରିଷ୍କାର ରହିବା ଦରକାର। ଏହା ଦ୍ଵାରା ଭକ୍ତ ମାନେ ତୀର୍ଥ ପୁଷ୍କରିଣୀ ର ଜଳ କୁ ଚରଣାମୃତ ଭଳି ବ୍ୟବହାର ଯେଭଳି କରିପାରିବେ।

ପୁରୀ ସହରର ବୁଦ୍ଧିଜିବୀ ଶରତ ରାୟଗୁରୁ କହିଛନ୍ତି, ପୂର୍ବ ସରକାର ତୀର୍ଥ ପୁଷ୍କରିଣୀ ର ପୁନରୁଦ୍ଧାର ପାଈଁ ପଦକ୍ଷେପ ଆରମ୍ଭ କରିଥିଲେ। ହେଲେ ତୀର୍ଥ ପୁଷ୍କରିଣୀ ରେ ଥିବା ଜଳ କୁ ନିଷ୍କାସନ କରାଯାଇନାହିଁ। ଫଳରେ ଗୋଟିଏ ସ୍ଥାନରେ ଜଳ ରହି ପ୍ରଦୂଷିତ ହୋଇ ଯାଇଚି। ଯେହେତୁ ପ୍ରତିଦିନ ହଜାର ହଜାର ଭକ୍ତ ମାନେ ତୀର୍ଥ ପୁଷ୍କରିଣୀ ରେ ସ୍ନାନ କରିବା ସହ ବିଭିନ୍ନ ପୂଜା ସାମଗ୍ରୀ ପକାଉଛନ୍ତି ଜଳ ପ୍ରଦୂଷଣ ହେଉଚି। ତେବେ ତୀର୍ଥ ପୁଷ୍କରିଣୀ କିଭଳି ପରିଷ୍କାର ରହିବ, ଜମି ରହିଥିବା ଜଳ କୁ ନିଷ୍କାସନ, ଜଳ କୁ ନିର୍ମଳ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଲେ ତୀର୍ଥ ପୁଷ୍କରିଣୀ ପ୍ରଦୂଷଣ ରୁ ମୁକ୍ତ ହେବ। ଏହାର ସମ୍ପୂର୍ଣ ଦାୟିତ୍ଵ ପୌରପାଳିକା ର ଥିବା ବେଳେ ସମ୍ପୂର୍ଣ ଅବହେଳା କରାଯାଉଛି। ଫଳରେ ଜଳ ପ୍ରଦୂଷିତ ହୋଇ ଯାଇଚି। କୁମ୍ଭ ରେ ଯେଭଳି ଜଳ ପ୍ରଦୂଷିତ ହୋଇଥିଲା ଶ୍ରୀକ୍ଷେତ୍ର ରେ ମଧ୍ୟ ପ୍ରତିଦିନ ହଜାର ହଜାର ଭକ୍ତ ତୀର୍ଥ ପୁଷ୍କରିଣୀ ରେ ସ୍ନାନ କରିବା ସହ ବିଭିନ୍ନ ଆବର୍ଜନା ପକାଉଥିବାରୁ ତୀର୍ଥ ପୁଷ୍କରିଣୀ ଜଳ ସମ୍ପୂର୍ଣ ପ୍ରଦୂଷିତ ହୋଇଯାଇଛି। ତେବେ ଏଠାରେ ଏବେ ପ୍ରାଥମିକ କାର୍ଯ୍ୟ ହେଉଚି ପୌର ପାଳୀକା ତୁରନ୍ତ ତୀର୍ଥ ପୁଷ୍କରିଣୀ ର ଜଳ କୁ ନିଷ୍କାସନ କରି ନୂଆ ଜଳ ପ୍ରବେଶ ବ୍ୟବସ୍ଥା ସହ କିଭଳି ବିଜ୍ଞାନିକ ପଦ୍ଧତି ରେ ପୁଷ୍କରିଣୀ ଜଳ ସ୍ୱଚ୍ଛ ରହିବ ସେ ନେଇ କାର୍ଯ୍ୟ ହେବା ଉଚିତ୍। ନ ହେଲେ ତୀର୍ଥ ପୁଷ୍କରିଣୀ କୁ ଆସିଥିବା ଭକ୍ତ ପ୍ରଦୂଷିତ ଜଳ ରେ ସ୍ନାନ କରି ବିଭିନ୍ନ ରୋଗ ର ଶିକାର ହେବେ।

ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି , ତୀର୍ଥ ପୁଷ୍କରିଣୀ ର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ହେଲେ ଆମର ମୁଖ୍ୟ ସମସ୍ୟା କେତେକ ପୁଷ୍କରିଣୀ ରେ ଜଳ ନିଷ୍କାସନ ଓ ନୁଆ ଜଳ ଭର୍ତି ପାଇଁ ବ୍ୟବସ୍ଥା ନାହିଁ। ତେବେ ଆମେ ସେହି ପୁଷ୍କରିଣୀ ଗୁଡ଼ିକ ରୁ ପୁରୁଣା ଜଳ ନିଷ୍କାସନ ହେବା ସହ ନୁଆ ପାଣି କିଭଳି ପୁଷ୍କରିଣୀ ରେ ଭର୍ତ୍ତି କରିହେବ ସେ ନେଇ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବୁ। ତେବେ ଆଜିକାଲି ଅନେକ ବିଜ୍ଞାନିକ ପଦ୍ଧତି ଆସିଲାଣି ଜଳ କୁ ସ୍ୱଚ୍ଛ ରଖିବା ପାଇଁ। ଏଭଳି କିଛି ସଂସ୍ଥା ମଧ୍ୟ କାର୍ଯ୍ୟ କରୁଛନ୍ତି। ଆମେ ସେମାନଙ୍କୁ ଯୋଗାଯୋଗ କରି ତୀର୍ଥ ପୁଷ୍କରିଣୀ ର ଜଳ କିଭଳି ପ୍ରଦୂଷଣ ମୁକ୍ତ ହୋଇ ପାରିବ ସେ ନେଇ କାର୍ଯ୍ୟ କରିବୁ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *