ଫୁଲବାଣୀ ପୌର ପରିଷଦର ବେଆଇନ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟ ବିରୋଧରେ ପ୍ରତିବାଦ ।

ଫୁଲବାଣୀ ପୌର ପରିଷଦ ପକ୍ଷରୁ ବେଆଈନ ଭାବେ ଅତ୍ୟୁଚ ହୋଲଡିଂ ଟିକସ ଆଦାୟ ହେଉଥିବାରୁ ପ୍ରତିବାଦ ପାଇଁ ମିଳିତ ନାଗରିକ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗତ ପାଞ୍ଚ ବର୍ଷ ହେଲା ନିର୍ବାଚିତ କାଉନସିଲ ଅଗୋଚରରେ ବେଆଇନ ଭାବେ ଅତ୍ୟୁଚ ଟିକସ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ବର୍ତ୍ତମାନର ବର୍ଦ୍ଧିତ ହୋଲଡିଂ ଟିକସ ରାଜ୍ୟର ପାଞ୍ଚଟି ମେଟ୍ରୋ ସିଟି ପାଇଁ ଉଦ୍ଧିଷ୍ଟ ଥିବା ବେଳେ ସେଠାରେ ଆଦାୟ ହୋଇନାହିଁ।ଅଥଚ ଆର୍ଥିକ ପଛୁଆ ଜିଲା କନ୍ଧମାଳର ଫୁଲବାଣୀରେ କେଉଁ ଆଧାରରେ ଲାଗୁ କରିବାକୁ ଭିତିରିଆ ଉଦ୍ୟମ ହେଉଛି ତାହା ଅତ୍ୟନ୍ତ ନିନ୍ଦନୀୟ।ହୋଲଡିଂ ଧାରୀମାନଙ୍କୁ ଅନ୍ଧାରରେ ରଖି ପୌର ପରିଷଦ ପଛରୁ ଛୁରିକା ଘାତ କରୁଥିବା ଦେଖାଯାଉଛି।ଏହି ପରିସ୍ଥିତିରେ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡ ଅରୂପ କୁମାର ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ବନାନୀ କଳା ସଂଙ୍ଗମ ଠାରେ ଅନୁଷ୍ଠିତ ହୋଇଛି।କମିଟିର ଆବାହକ ଅଶୋକ ପରିଡା ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତ୍ୟୁଚ ବେଆଇନ, ଅସାମ୍ବିଧାନିକ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।ସରକାରଙ୍କୁ ଏସମ୍ପର୍କରେ ବାରମ୍ବାର ଆନ୍ଦୋଳନ ଓ ସଭାସମିତି କରି ଜଣାଇବା ସତ୍ୱେ ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟ ଜନକ। ପୁନର୍ବାର ବିନା ନୋଟିସରେ ହୋଲଡିଂ ଧାରୀଙ୍କୁ ରିହାତି ପ୍ରଲୋଭନ ଦେଖାଇ,କେସ ହେବା ଆଶଙ୍କା କରାଇ ଟିକସ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଅନ୍ୟ ପୌର ପରିଷଦ ତୁଳନାରେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ଜନ ସାଧାରଣଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇବାରେ ବିଫଳ ହୋଇଥିବା ବେଳେ କେଉଁ ଆଧାରରେ ଲୋକଙ୍କୁ ଠକେଇ କରି ଭୟ ଦେଖାଇ ଅତି ଉଚ୍ଚ ହୋଲଡିଂ ଟିକସ ଆଦାୟ ହେଉଛି ସେ ସମ୍ପର୍କରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଓ ଜିଲା ସହରୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମିଳିତ ନାଗରିକ କମିଟି ପକ୍ଷରୁ ମେ ୨ତାରିଖରେ ପତ୍ର ଦିଆଯାଇଛି। ନାହିଁ ନାହିଁ ର ପୌର ପରିଷଦରେ ପାନୀୟ ଜଳର ଅଭାବ, ଭୂଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ନାହିଁ, ପୋଖରୀ ପୁନରୁଦ୍ଧାର ନାମରେ ଲୁଟ, ଷ୍ଟ୍ରିଟ ଲାଇଟ ଅଧା ଜଳୁନାହିଁ, ଅସରାଏ ବର୍ଷା ହେଲେ ସହରରେ ଡ଼ଙ୍ଗା ଭାସୁଛି, ନଦୀରେ ଆବର୍ଜନା ନ ମିଶିବା ବ୍ୟବସ୍ଥା ନାହିଁ, ପରିମଳ ପାଇଁ ସ୍ୱରେଜ ନାହିଁ ଓ ପାର୍କିଂ ପ୍ଲେସ ଟିଏ ନାହିଁ, ଚାଷୀଙ୍କ ପାଇଁ ଓ ପରିବା ବ୍ୟବସାୟ ପାଇଁ ହାଟ ଅଭାବ,ମାଛ ମାଂସ ବଜାର ଅଚଳ, ପିଲାଙ୍କ ଖେଳିବାର ବ୍ୟବସ୍ଥା ନାହିଁ, ବରିଷ୍ଠ ମାନଙ୍କ ଅବସର ବିନୋଦନ କେନ୍ଦ୍ର ଟିଏ ନାହିଁ, ଆତ୍ମ ନିଯୁକ୍ତି ପାଇଁ ଭେଣ୍ଡିଂ ଜୋନର ବ୍ୟବସ୍ଥା ନାହିଁ, ଉନ୍ନତ ମାନର ଅଡିଟୋରିଅମ ଟିଏ ନାହିଁ, ସହରରେ ଦର୍ଶନୀୟ ସ୍ଥାନଟିଏ ନାହିଁ,ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ପାନୀୟ ଜଳଟିକିଏ ନାହିଁ କି ଦୋକାନଟିଏ ନାହିଁ,ଆବାସିକ ତାଲିମ କେନ୍ଦ୍ର ଟିଏ ନାହିଁ, ସାଧାରଣ ଲୋକଙ୍କ ରାତ୍ରି ରହଣି ପାଇଁ ଧର୍ମ ଶାଳାଟିଏ ନାହିଁ,ସୌନ୍ଦର୍ଯ୍ୟ କରଣରେ ବାଲିଗୁଡା ନୂଆ ବିଞାପିତ ଅଞ୍ଚଳ ଯଥେଷ୍ଟ ଆଗରେ ଇତ୍ୟାଦି ଇତ୍ୟାଦି ।ଏହା ସତ୍ୱେ ଜନ ସୁଚନା ଅଧିକାର ଆଇନରେ ସୁଚନା ନ ଦେଇ ଗୁପ୍ତ ଭାବରେ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟକୁ ବୈଠକରେ ନିନ୍ଦା କରିବା ସହ ଆନ୍ଦୋଳନ ଓ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି।ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରରେ ପୁରୁଣା ଦରରେ ଟିକସ ଆଦାୟ ହେଉଥିବା ବେଳେ ଫୁଲବାଣୀ ପୌର ପରିଷଦ ନ ଦେଇ ନୋଟିସ ନୂଆ ଟିକସ ଆଦାୟ ପାଇଁ ପୟାଶ କରୁଥିବାରୁ ହୋଲଡିଂ ଧାରୀମାନେ ଏହାର ପ୍ରତିବାଦ କରିବା ଓ ପୌର କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଏ। ଏହି ଅବସରରେ ନବୀନ କିଶୋର ପଣ୍ଡା,ଟି ରାଜଗୋପାଲ ପାତ୍ର, ପଦ୍ମଚରଣ ସ୍ୱାଇଁ, ଗୋପବନ୍ଧୁ ରଥ, ମଧୁସୂଦନ ସାହୁ,ଇମାନୁଏଲ ରଥ,ବନ ବିହାରୀ ନନ୍ଦ,ପ୍ରଣବ ମଣ୍ଡଳ,ପିତାମ୍ବର ମିଶ୍ର,ଅନନ୍ତ ଚରଣ ମିଶ୍ର,ପି ରଘୁନନ୍ଦନ ପାତ୍ର, ନଵ କିଶୋର ରଥ,ଅମୀୟ ଦାସ,ବଂଶୀଧର ପଣ୍ଡା, ଦେବ ପ୍ରକାଶ ପଣ୍ଡା ପ୍ରମୁଖ ବହୁ ସଦସ୍ୟ ଯୋଗଦେଇ ଅନ୍ୟାୟ ଭାବେ ହୋଲଡିଂ ଟିକସ ସଂଗ୍ରହକୁ ବିରୋଧ କରି ଆନ୍ଦୋଳନ ତୀବ୍ର କରିବାକୁ ମତାମତ ଦେଇଥିଲେ।