ଶିକରପାଇ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟକର୍ମୀଙ୍କ ଭରସାରେ ଚାଲିଛି

, ୨୦ ହଜାର ଜନସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ,
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଜିଲ୍ଲା ଅଧିକାଂଶ ସମୟରେ ସ୍ବାସ୍ଥ୍ୟ ସେବା ପାଇଁ ଚର୍ଚ୍ଚା ରେ ଥାଏ। ବର୍ତମାନ
ମ୍ୟାଲେରିଆ,ଡାଇରିଆ ଓ ଡେଙ୍ଗୁ ପ୍ରବଣ ଅଞ୍ଚଳରେ ଥିବା ଶିକର ପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ବର୍ଷ ବର୍ଷ ହେଲା ଡାକ୍ତର ପଦବି ଖାଲି ପଡ଼ି ରହିଅଛି । ଫଳରେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ଭରସାରେ କୋଡିଏ ହଜାର ଜନସାଧାରଣଙ୍କ ଜୀବନ ସହ ରୋଗୀ ସେବା ଚାଲିଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିକରପାଇ, ସେରିଗୁମା, ବୁଡ଼ାଗୁଡା ପଞ୍ଚାୟତ ସହ କାଶୀପୁର ବ୍ଲକ ଗୁଡିବାଲି, ଲେଲିଗୁମା ପଞ୍ଚାୟତର ଦୈନିକ ୧୦୦ ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହୋଇ ପଡ଼ିଥିବା ବେଳେ ଜଣେ ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷ କୁମାର ଲେଙ୍କାଙ୍କ ସହିତ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀଙ୍କ ସେବା କରି ଆସୁଛନ୍ତି । ଡାକ୍ତର ସହିତ ଆବଶ୍ୟକ କର୍ମଚାରୀ ନଥିବାରୁ ରୋଗୀଙ୍କ ଚିକିତ୍ସା ବିପର୍ଯ୍ୟସ୍ତ ହୋଇ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ଅପ୍ରିତୀକର ଘଟଣା ଘଟୁଥିବା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି । ଗତ ଛଅ ମାସ ପୂର୍ବେ ଏଠାରେ ଜଣେ ଡାକ୍ତର ନିଯୁକ୍ତି ପାଇଥିଲେ କ’ଣ ହେଲା କେଜାଣି କାହାର ଚାପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅନ୍ୟତ୍ର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଣି ବଦଳି କରି ଦେଲେ ନା ଉଚ୍ଚ ଶିକ୍ଷା ପାଇଁ ଚାଲିଗଲେ ଅଞ୍ଚଳ ବାସିଙ୍କ ପାଇଁ ଅଭିଶାପ ହୋଇ ଯାଇଛି। ଏହି ଅଞ୍ଚଳର ଦୈନିକ ଶତାଧିକ ମ୍ୟାଲେରିଆରେ, ଝାଡା ବାନ୍ତି, ଡେଙ୍ଗୁ ଆକ୍ରାନ୍ତ ରୋଗ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଆରଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ହୋଇ ଫେରୁଛନ୍ତି। ଜଣେ କର୍ମଚାରୀ ଔଷଧ ବିତରଣ ସାଙ୍ଗକୁ ରୋଗୀ ସେବା ସହ ଅଫିସ କାଗଜ ପତ୍ର କରିବାକୁ ପଡୁଥିବାରୁ ଜଟିଳ ସମସ୍ୟାରେ ଗତି କରିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି। ଦିନ ଥିଲା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୁତି ମହିଳାଙ୍କ ଲମ୍ବା ଲାଇନ ଲାଗୁଥିଲା। ଏଠି ମାଆ ଓ ଶିଶୁଙ୍କ ଯତ୍ନ ଠିକ ରୂପରେ ନିଆଯାଇ ପ୍ରସବ କରାଯାଉଥିବାରୁ ଅନେକ ମହିଳା ଏଠାକୁ ଆସୁଥିଲେ।
କିନ୍ତୁ ସେଦିନ ଆଉ ନାହିଁ ବର୍ତ୍ତମାନ ଗର୍ଭବତୀ ମହିଳା କଣ ସାମାନ୍ୟ ପେଟ ବ୍ୟଥା କି ମୁଣ୍ଡ ବ୍ୟଥା ରୋଗୀ ଆସିବାକୁ ଇଚ୍ଛା କରୁନଥିବା ପ୍ରକାଶ କରୁଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ଅଭାବର ସୁଯୋଗ ନେଇ ନକଲି ଡାକ୍ତର ଓ କର୍ମଚାରୀଙ୍କ ଘରେ କ୍ଲିନିକ ଖୋଲି ଚିକିତ୍ସା କରି ଲୋକଙ୍କ ଧନ ଓ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ସ୍ଥାନୀୟ ଜନସାଧାରଣଙ୍କ ମହଲରେ ଶୁଣିବାକୁ ମିଳୁଛି । ସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ମଧ୍ୟ ନଜାଣିଲା ଭଳି ଚୁପ ବସିବା ଘଟଣା ସନ୍ଦେହ ସୃଷ୍ଟି କରୁଛି ବୋଲି ଅଞ୍ଚଳବାସୀଙ୍କ ମହଲରୁ ଶୁଣିବାକୁ ମିଳୁଛି। ଅନ୍ୟପଟେ ୧ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ନୂତନ କୋଠା ଆରମ୍ଭ ହେଲେ ଜଣେ କିପରି କାର୍ଯ୍ୟ କରିବି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ କାର୍ଯ୍ୟକ୍ଷମ କରାଯାଉନି। ୨୦୨୩ ମସିହାରେ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନା ଗନ୍ଧ ନେଉନି। ଠିକାଦାର ନିମ୍ନମାନର ଟାଇଲି ସହ ବିଦ୍ୟୁତ ଉପକରଣ ଲଗାଇ ଥିବାର ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଆବଶ୍ୟକ ରକ୍ଷଣାବେକ୍ଷଣ ଓ କର୍ମଚାରୀ ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା କାର୍ଯ୍ୟକ୍ଷମ ହେବା ପୁର୍ବରୁ ନଷ୍ଟ ହେବାକୁ ବସିଲାଣି। ଡାକ୍ତର ସହିତ ଆବଶ୍ୟକ କର୍ମଚାରୀ ନିଯୁକ୍ତ ଏବଂ ନୂତନ କୋଠା କାର୍ଯ୍ୟକ୍ରମ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।