ଶ୍ରୀ ଭାଗବତ ସାର ୭୬: ଭାଗବତ ଖ୍ରୀଷ୍ଟ ପର ଯୁଗରେ ସଂକଳିତ ହୋଇଛି

ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବୁଦ୍ଧ ଅବତାର ପ୍ରସଙ୍ଗର ଆଲୋଚନାକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଏହି “ବୁଦ୍ଧ” ଯେ କପିଳବାସ୍ତୁର ରାଜକୁମାର ଓ ରାଜା ଶୁଦ୍ଧୋଦନଙ୍କ ପୁତ୍ର ସିଦ୍ଧାର୍ଥ ଅବା ଗୌତମ ଯିଏକି ସଂସାର ତ୍ୟାଗ କରି ବୌଧି ପ୍ରାପ୍ତି ପରେ ମହାତ୍ମା ବୁଦ୍ଧରେ ପରିଣତ ହୋଇଥିଲେ ତାହାର ପ୍ରମାଣ ନାହିଁ। ଶ୍ରୀ ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ରେ ବର୍ଣିତ ଅଛି
କଳି ଆଗମେ ଭାବଗ୍ରାହୀ।
ପାଷଣ୍ଡ -ଜନ -ମନ ମୋହି।
ବୁଦ୍ଧ ସ୍ୱରୂପ ଅବତାରେ।
ଜନ୍ମିବେ କୀକଟ ନଗରେ।।
ଜ୍ଞାନ ଉଦ୍ଧେଶ୍ୟେ ଭଗବାନ।
ମୋହିବେ ଅସୁର ଙ୍କ ମନ।।
ବୋଧହୁଏ ଏହା ମୂଳ ସଂସ୍କୃତ ଭାଗବତ ସେହି ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟର ଶ୍ଳୋକ ଆଧାରରେ ଲିଖିତ “ତତଃ କଲୌ ସଂପ୍ରବୃତ୍ତେ ସମ୍ମୋହାୟ ସୁରଦ୍ଵିଷାମ, ବୁଦ୍ଧ ନାମ୍ନା ଜନସୁତଃ କୀକଟେସୁ ଭବିଷ୍ୟତି” ପଣ୍ଡିତ ଦୀନବନ୍ଧୁ ଖାଡ଼ଙ୍ଗା ମଧ୍ୟ ନିଜ ରଚିତ ଭାଗବତରେ ଲେଖିଲେ
କଳିଯୁଗର କିଛି ଶେଷେ।
ଦୈତ୍ୟଙ୍କୁ ମୋହିବାର ଆଶେ।।
କୀକଟ ଦେଶେ ହେବେ ଜାତ।
ବୁଦ୍ଧ ନାମରେ ଜିନସୂତ।।
ମୂଳ ସଂସ୍କୃତ ଭାଗବତରେ ଅଜନସୂତ କଣ ଉପର ବର୍ଣିତ ଜିନସୂତ କି? ପୁଣି ଏକ ପ୍ରଶ୍ନ ଏହି ଜିନସୂତ କଣ କପିଳବାସ୍ତୁର ରାଜା ଶୁଦ୍ଧୋଦନଙ୍କ ପୁତ୍ର ସିଦ୍ଧାର୍ଥ କି? ଏସବୁ ବିଚାରକୁ ନେଲେ ପୁଣି ଦୃଷ୍ଟିକୁ ଆସେ ଶ୍ରୀଜଗନ୍ନାଥ ଦାସଙ୍କ ଭାଗବତର ଦ୍ଵିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟ ଯେଉଁଥିରେ ଏପରି ବର୍ଣ୍ଣନା
କଳି ପ୍ରବେଶେ କାଳ ବଳେ।
ପ୍ରାଣିଏ ଚେତନା ଚଞ୍ଚଳେ।।
ଭାରତୀ ନପାରନ୍ତି ଧରି।
ଅଳ୍ପ ଆୟୁଷ ଦେଖି ହରି।।
ଜନ୍ମିଲେ ବ୍ୟାସ ରୂପ ଧରି।
ଅଶେଷ ଶ୍ରୁତି ଶାସ୍ତ୍ର କରି।।
ବେଦ ଦ୍ରୁମ କୁ ଶାଖା କଲେ।
ଏକୁ ଆରେକ ବୁଦ୍ଧି ବଳେ।।
ଅସୁରେ ରହି ବେଦ ମାର୍ଗେ।
ମାୟାଭିମାନେ କଳିଯୁଗେ।।
ମୟ ଦୈତ୍ୟର ସଙ୍ଗତେ।
ଦୃଶ୍ୟ ଅଦୃଶ୍ୟ ବେନି ପଥେ।।
ସେ କଥା ଜାଣି ଜଗନ୍ନାଥେ।
ବୁଦ୍ଧlବତାର ଜନହିତେ।।
କପଟ -ମାୟା -ମୋହ ବଶେ।
ପାଷାଣ୍ଡ ମାର୍ଗ ଉପଦେଶେ।।
ଅନେକ ଦୁର୍ଗତି ହରିବେ।
ସୁଜନ ଜନଙ୍କୁ ରଖିବେ।।
ତଥାପି ଶ୍ରୀଜଗନ୍ନାଥଙ୍କ ନବମ ଅବତାର ଯେ କପିଳବାସ୍ତୁରେ ଜନ୍ମ ନେଇଥିବା ଗୌତମ ବୁଦ୍ଧ ଏହା ସ୍ୱୀକାର କରି ହେଉନାହିଁ। କାରଣ ଏହି ଗୌତମ ଗୃହତ୍ୟାଗୀ ହୋଇ ବୁଦ୍ଧତ୍ବ ପ୍ରାପ୍ତି ହେବା ଘଟଣା ଖ୍ରୀଷ୍ଟ ପୂର୍ବ ଷଷ୍ଠ ଶତାବ୍ଦୀରେ ସଂଗଠିତ ହୋଇଥିଲା। କିନ୍ତୁ ଭାଗବତ ଖ୍ରୀଷ୍ଟ ପର ଯୁଗରେ ସଂକଳିତ ହୋଇଛି ତେଣୁ ଏହି ବିବାଦୀୟ ପ୍ରସଙ୍ଗଟିକୁ ଆଜି ପର୍ଯ୍ୟନ୍ତ ସମାଧାନ କରାଯାଇ ପାରିନି। ବୌଦ୍ଧଧର୍ମର ଇତିହାସ ସହ ଭାଗବତର ଏହି ବର୍ଣନା ଗୁଡିକର କୌଣସି ତାଳମେଳ ନାହିଁ, ତଥାପି ଆଦିକବି ସାରଳା ଦାସ ଉଲ୍ଲେଖ କଲେ “କଳି ଯୁଗେ କେଶବ ହୋଇବେ ଵଉଧ ପ୍ରତିମା” ତେବେ କିଏ ବାସ୍ତବରେ ଏହି ବୁଦ୍ଧ ଅବତାର ତାର ଆଉ କିଛି ଆଲୋଚନା କରିବା ଆଗାମୀ ଅଧ୍ୟାୟରେ ଏଵେ କିନ୍ତୁ ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତଙ୍କ ଆରାଧନା କରିବା।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର