ଗଣଶିକ୍ଷା ବିଭାଗ ର ଅଜବ ନିର୍ଦେଶାନାମା

ସୁବର୍ଣ୍ଣପୁର: ଓଡିଶା ରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ସେମାନଙ୍କର ଦରମା (ଗ୍ରେଡ଼ ପେ ) ବୃଦ୍ଧି ସହ ସେମାନଙ୍କର ଠିକା କାର୍ଯ୍ୟକାଳ 6 ବର୍ଷ କୁ ମୂଳ ଚାକିରୀ ରେ ଗଣନା କରିବା ପାଇଁ ଦୀର୍ଘ ଦିନ ରୁ ଦାବୀ କରି ଆସୁଛନ୍ତି l ଏପରିକି ପୁରୁଣା ପେନସନ କୁ ସମସ୍ତ ଙ୍କ ପାଇଁ ଲାଗୁ କରିବାକୁ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି l ପୁଣି ଓଡିଶା ସରକାର ଦୀର୍ଘ ଦୁଇ ବର୍ଷ ହେବ ପ୍ରାଥମିଜ ଶିକ୍ଷକ ମାନଙ୍କର ପଦୋନ୍ନତି କୁ ବନ୍ଦ ରଖିଛନ୍ତି l ଯାହା ଫଳରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରେ ପ୍ରାୟ ଅଧିକାଂଶ ବିଦ୍ୟାଳୟ ଚାଲିଛି l ଏହି ସମସ୍ୟା ମଧ୍ୟରେ ଏବେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ଓଟିଇଟି) ନାମରେ ଆଉ ଏକ ସମସ୍ୟା ଯୋଡି ହୋଇ ଯାଇଛି କାରଣ ଏହା ମଧ୍ୟରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯେତେ ବର୍ଷ ଚାକିରୀ କରିଥିଲେ ମଧ୍ୟ ଏପରିକି ଅବସର ଦ୍ୱାର ଦେଶରେ ଜଣେ ଶିକ୍ଷକ ପହଂଚି ଥିଲେ ମଧ୍ୟ ପଦୋନ୍ନତି ପାଇବା ପାଇଁ ହେଲେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି ) ରେ ପାସ କରବା ବାଧ୍ୟତା ମୂଳକ l ପ୍ରକାଶ ଥାଉକି କେନ୍ଦ୍ର ସରକାର ଙ୍କ ତରଫରୁ NCTE, 2001 ମସିହାରେ ଶିକ୍ଷକ ମାନଙ୍କ ପାଇଁ ଯେଉଁ ସର୍ବନିମ୍ନ ଯୋଗ୍ୟତା ନିର୍ଧାରଣ କରିଥିଲେ ସେହି ଅନୁଯାୟୀ 2010 ମସିହା ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇ ଆସୁଥିଲେ l RTE -2010 କୁ ଭିତ୍ତି କରି କେନ୍ଦ୍ର ସରକାର ଙ୍କ ତରଫରୁ NCTE, ତା 23/08/2010 ରିଖ ଦିନ ଶିକ୍ଷକ ମାନଙ୍କ ସର୍ବନିମ୍ନ ଶିକ୍ଷା ଗତ ଯୋଗ୍ୟତା ରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି ) କୁ ସଂଯୋଗ କଲେ l ଉକ୍ତ ନୋଟିଫିକେସନ ର ପାରା -04 ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ ନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ର ଆବଶ୍ୟକ ନାହିଁ ଅର୍ଥାତ 2001 ମସିହାର NCTE ନୋଟିଫିକେସନ ଆଧାରରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଥାଇ ଯେଉଁ ଶିକ୍ଷକ ମାନେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ପାଇଁ ଓଟିଇଟି ଛାଡ଼ କରାଗଲା l ଓଟିଇଟି ପରୀକ୍ଷା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଗାଇଡଲାଇନ ତା 11/02/2011 ମସିହା ରେ ପ୍ରକାଶ ପାଇଥିଲା l ଏଣୁ ଓଡ଼ିଶାରେ ଶିକ୍ଷକ ମାନଙ୍କ ପାଇଁ ଓଟିଇଟି ତା 11/02/2011 ରିଖ ଠାରୁ ବାଧ୍ୟତା ମୂଳକ ହେଲା l NCTE ନୋଟିଫିକେସନ ତା. 29/07/2011ରିଖ ପୁଣି ଥରେ ପଏଣ୍ଟ -IV ର para-5(a) ସ୍ପଷ୍ଟ ଭାବରେ କୁହାଗଲା ଯେ ଯେଉଁ ଶିକ୍ଷକ ମାନେ NCTE ନୋଟିଫିକେସନ-2001 ଅନୁସାରେ ପୂର୍ବରୁ ନିଯୁକ୍ତି ପାଇଛନ୍ତି ସେମାନଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ଓଟିଇଟି) ଦରକାର ନାହିଁ l ଓଡିଶା ଏଲିମେଣ୍ଟାରୀ କ୍ୟାଡର ରୁଲ -2019 ରେ ମଧ୍ୟ 11/02/2011 ପୂର୍ବରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଓଟିଇଟି ଲାଗୁହେବନାହିଁ ବୋଲି କୁହାଗଲା l ଏହି ଆଇନ ବଳରେ ଓଡିଶା ରେ ପ୍ରାଥମିକ ଶିକ୍ଷକ ମାନଙ୍କର ପଦୋନ୍ନତି ହୋଇ ଆସୁଥିଲା l ହଠାତ ସରକାରଙ୍କ ନିଷ୍ପତ୍ତି ବଦଳିବାରୁ ମାମଲା ଅଦାଲତ କୁ ଗଲା l ମାନ୍ୟବର ଅଦାଲତ ଙ୍କ ପ୍ରଥମେ ବେଞ୍ଚ ର ରାୟ ରେ ସରକାର ଅସନ୍ତୁଷ୍ଟ ପ୍ରକାଶ କରି କହିଲେ ଯେଉଁମାନେ ସର୍ବନିମ୍ନ ଯୋଗ୍ୟତା ହାସଲ କରି ନିଯୁକ୍ତ ହୋଇଛନ୍ତି ସେମାନଙ୍କ ପାଇଁ ଓଟିଇଟି ଦରକାର ନାହିଁ l ଯେଉଁମାନେ 11/02/2011 ପରେ ଉଚ୍ଚ ଶିକ୍ଷା ଗ୍ରହଣ କରିଛନ୍ତି ସେମାନେ ପଦୋନ୍ନତି ପାଇ ପାରିବେ କିନ୍ତୁ ସେମାନଙ୍କୁ ତିନି ବର୍ଷ ମଧ୍ୟରେ ଓଟିଇଟି ପାସ କରିବାକୁ ପଡିବ l ଏଥିରେ ସରକାର ସନ୍ତୁଷ୍ଟ ନ ହୋଇ ଦୁଇ ଜଣିଆ ଖଣ୍ଡପୀଠ ରେ ଆବେଦନ କରି ପଦୋନ୍ନତି ପ୍ରକ୍ରିୟା କୁ ଜାଣିଶୁଣି ବନ୍ଦ ରଖିଛନ୍ତି l ଏହି କ୍ରମରେ ଅନ୍ୟ ରାଜ୍ୟ ର ଓଟିଇଟି ସମ୍ବନ୍ଧୀୟ ଏକ ମାମଲା ରେ ମାନ୍ୟବର ସୁପ୍ରିମକୋର୍ଟ ରେ ଶୁଣାଣି ସରି ରାୟ ସଂରକ୍ଷିତ ଅଛି l ଏହି ମାମଲାରେ NCTE ଗତ ତା 07/03/2025ରିଖ ଦିନ ସୁପ୍ରିମକୋର୍ଟ ରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଠାରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ତା 11/02/2011 ପୂର୍ବରୁ ନିଯୁକ୍ତ ଶିକ୍ଷକ ମାନଙ୍କ କ୍ଷେତ୍ର ଙ୍କତେ ନୋଟିଫିକେସନ ତା. 23/08/2010 ମତେ ଯେଉଁ ସର୍ବନିମ୍ନ ଯୋଗ୍ୟତା ରେ ଓଟିଇଟି କୁ ଛାଡ଼ କରାଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ବଳବତ୍ତର ଅଛି l ତା 11/02/2011 ପୂର୍ବରୁ ନିଯୁକ୍ତ ଅନ ଟ୍ରେଣ୍ଡ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଓଟିଇଟି ବାଧ୍ୟତା ମୂଳକ ଅଟେ l ଓଡିଶା ସରକାର ଏକକ ବେଞ୍ଚ ର ରାୟ କୁ ଅଦାଲତ ର ଉପର ବେଞ୍ଚ ରେ ଆବେଦନ କରି 25/30 ବର୍ଷ ଚାକିରୀ କରି ଅବସର ର ଦ୍ୱାରଦେଶ ରେ ଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ ପ୍ରାୟ ଦୁଇ ବର୍ଷ ରୁ ଅଧିକ ହେବ ପଦୋନ୍ନତି ରୁ ବଞ୍ଚିତ କରିଛନ୍ତି l ଇତି ମଧ୍ୟରେ ଚାକିରୀ ର ଅପରାହ୍ନ ରେ ପହଂଚି ମାନସୀ ଜ ଦୁଶ୍ଚିନ୍ତା ସହିତ ଶହ ଶହ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପଦୋନ୍ନତି ନ ପାଇ ଅବସର ନେଇ ସାରିଛନ୍ତି ଏବଂ ଆଗାମୀ ଦିନରେ ଅବସର ନେବାକୁ ଯାଉଛନ୍ତି ମଧ୍ୟ l ଯଦି ସରକାର ଙ୍କ ଦ୍ୱାରା ଆଦେଶ କୁ କାର୍ଯ୍ୟକାରୀ କରି କେବଳ ଓଟିଇଟି ଯୋଗ୍ୟତା ହାସଲ କରିଥିବା ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେଇ 25-30 ବର୍ଷ ଚାକିରୀ କରି ଅବସର ର ଦ୍ୱାର ଦେଶ ରେ ପହଂଚି ଥିବା ଶିକ୍ଷକ ମାନଙ୍କୁ ପଦୋନ୍ନତି ରୁ ବଞ୍ଚିତ କରାଯାଏ ତେବେ ଯିଏ ବରିଷ୍ଠ ସିଏ କନିଷ୍ଠ ଏବଂ ଯିଏ କନିଷ୍ଠ ସିଏ ବରିଷ୍ଠ ହେବେ ଏଭଳି ଆଦେଶ କୁ ତୁରନ୍ତ ପ୍ରତ୍ୟାହାର କରି ପୂର୍ଵ ନିୟମ ଏଲିମେଂଟାରୀ କ୍ୟାଡର ରୁଲ -2019 ଅନୁଯାଇ ପୂର୍ବପରି ଯଥାଶୀଘ୍ର ପଦୋନ୍ନତି ଦେବାକୁ ସୋନପୁର ସହର ସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲା ତରଫ ରୁ ଶିକ୍ଷକ ହୃଷିକେଶ ଚାନ୍ଦ, ଦୋଳଗୋବିନ୍ଦ ପଣ୍ଡା, ଗୋପେଶ ପଣ୍ଡା, ଶ୍ରୀନିବାସ ରଥ, ସରୋଜ ସାହୁ, ବିଶ୍ୱବିହାରୀ ମିଶ୍ର, ପ୍ରାଣବନ୍ଧୁ ସାହୁ, ଭରତ ହରିପାଳ, ଚୈତନ୍ୟ ସେଠୀ, ଚୈତନ୍ୟ ଜଗଦଳା, ଜ୍ୟୋତିରଞ୍ଜନ ପଧାନ ଆଦି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ଠାରେ ଦୃଢ ଦାବୀ ଜଣାଇଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର