December 26, 2024
Home » ବାୟୁମଣ୍ଡଳରେ ହୀରାଗୁଣ୍ଡ ପ୍ସ୍ରେ କରି ଜଳବାୟୁ ପରିବର୍ତ୍ତନ ରୋକାଯିବ !

ବାୟୁମଣ୍ଡଳରେ ହୀରାଗୁଣ୍ଡ ପ୍ସ୍ରେ କରି ଜଳବାୟୁ ପରିବର୍ତ୍ତନ ରୋକାଯିବ !

0

ଲଣ୍ଡନ: ଜଳବାୟୁ ପରିବର୍ତ୍ତନ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜାତିସଂଘ ମଧ୍ୟ ଏହି ବିଷୟରେ ନିରନ୍ତର ଚିନ୍ତା ପ୍ରକଟ କରୁଛି। ତେବେ ଏହି ସମସ୍ୟାର ମୁକାବିଲା ପାଇଁ ବୈଜ୍ଞାନିକମାନେ ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଦାବି କରାଯାଇଛି ଯେ ଯଦି ପ୍ରତିବର୍ଷ ପୃଥିବୀର ଉପର ବାୟୁମଣ୍ଡଳରେ ଲକ୍ଷ ଲକ୍ଷ ଟନ୍ ହୀରାଗୁଣ୍ଡ ପକାଯିବ।

ଏହା ଦ୍ବାରା ପୃଥିବୀର ତାପମାତ୍ରା ଥଣ୍ଡା ହୋଇପାରିବ। ଏହି ଦାବି ଅବିଶ୍ୱସନୀୟ ହେଲେ ମଧ୍ୟ ବୈଜ୍ଞାନିକ ଏଭଳି କରିବାକୁ ମତ ଦେଇଛନ୍ତି। କିନ୍ତୁ ଏଭଳି କରାଯିବା ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମଧ୍ୟ ସଲଫର, କ୍ୟାଲସିୟମ, ଆଲୁମିନିୟମ ଏବଂ ସିଲିକନ୍ ପରି ଅନେକ ଯୌଗିକ ବ୍ୟବହାର କରି ଏହି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

ବୈଜ୍ଞାନିକମାନେ କହିଛନ୍ତି ଯେ ବାୟୁମଣ୍ଡଳରେ ହୀରାଗୁଣ୍ଡ କିମ୍ବା ଅନ୍ୟାନ୍ୟ ଯୌଗିକ ସ୍ପ୍ରେ କରି ସୂର୍ଯ୍ୟଙ୍କଠାରୁ ଆସୁଥିବା ବିକିରଣକୁ ମହାକାଶକୁ ପଠାଯାଇପାରିବ ଯାହା ପୃଥିବୀର ତାପମାତ୍ରାକୁ ହ୍ରାସ କରିବାରେ ସକ୍ଷମ ହେବ। ଏହି କୌଶଳକୁ ସୋଲାର ରେଡିଏସନ୍ ମ୍ୟାନେଜମେଣ୍ଟ (ଏସଆରଏମ) କୁହାଯାଏ। ଏଥିରେ ସୂର୍ଯ୍ୟ କିରଣକୁ ପୃଥିବୀକୁ ପହଞ୍ଚିବାରେ ରୋକା ଯାଇଥାଏ। ଏହି ପ୍ରକାରର ସମାଧାନକୁ ସାଧାରଣତଃ ଜିଓ-ଇଞ୍ଜିନିୟରିଂ କୁହାଯାଇଥାଏ। ଯେଉଁଥିରେ ବାୟୁମଣ୍ଡଳୀୟ ପ୍ରକ୍ରିୟାକୁ ନିୟନ୍ତ୍ରଣ କରି ପରିବେଶ ସମସ୍ୟାର ସମାଧାନ କରାଯାଇଥାଏ।

ଏହି ନୂତନ ଅଧ୍ୟୟନରୁ ଏହା ଜଣାପଡିଛି ଯେ ହୀରାଗୁଣ୍ଡ ଅନ୍ୟ ଯୌଗିକ ଅପେକ୍ଷା ଏହି କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିପାରେ। ପୂର୍ବରୁ ବିବେଚନା କରାଯାଉଥିବା ଗନ୍ଧକ, କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ଯୌଗିକଠାରୁ ହୀରାଗୁଣ୍ଡ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇ ପାରିବ।
ଗ୍ଲୋବାଲ ୱାର୍ମିଂ ବନ୍ଦ କରିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଯଥେଷ୍ଟ ପ୍ରମାଣିତ ହୋଇନାହିଁ।

ନୂତନ ଅଧ୍ୟୟନରେ, ୭ଟି ଯୌଗିକକୁ ତୁଳନା କରାଯାଇଥିଲା, ଯେଉଁଥିରେ ହୀରାଗୁଣ୍ଡ ସବୁଠାରୁ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଥିଲା। ଜିଓଫିଜିକାଲ୍ ରିସୋର୍ ଲେଟର୍ସରେ ପ୍ରକାଶିତ ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ହୀରାଗୁଣ୍ଡ ବ୍ୟବହାର କରି ୧.୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହୋଇପାରିବ।
ଅବଶ୍ୟ, ଏହି ସଫଳତା ହାସଲ କରିବାକୁ ପ୍ରତିବର୍ଷ ପ୍ରାୟ ପାଞ୍ଚ ନିୟୁତ ଟନ୍ ହୀରା ଗୁଣ୍ଡ ବାୟୁମଣ୍ଡଳରେ ଛିଞ୍ଚିବାକୁ ପଡିବ। ତଥାପି, ଏହାକୁ କାର୍ଯ୍ୟକାରୀ କରିବାରେ ବୈଷୟିକ ସମସ୍ୟା ସହିତ ହୀରାର ମୂଲ୍ୟ ସମ୍ବନ୍ଧୀୟ ଆହ୍ବାନ ସୃଷ୍ଟି ହେବାର ଆଶଙ୍କା ରହିଛି।

ହୀରା ଗୁଣ୍ଡ ସ୍ପ୍ରେ କରିବା ଦ୍ବାରା ପ୍ରାକୃତିକ ପ୍ରକ୍ରିୟାରେ ହସ୍ତକ୍ଷେପ ଯୋଗୁ ବହୁ ଅଜଣା ଏବଂ ଅପ୍ରତ୍ୟାଶିତ ପରିଣାମ ଦେଖାଯିବାର ଆଶଙ୍କା ରହିବ। ଏହା ବିଶ୍ୱ ଏବଂ ଆଞ୍ଚଳିକ ପାଣିପାଗ ପ୍ରଣାଳୀ ତଥା ବର୍ଷା ବଣ୍ଟନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ଏହା ସହିତ ଅନ୍ୟ ଚିନ୍ତାଧାରା ମଧ୍ୟ ଅଛି। କାରଣ ପ୍ରାକୃତିକ ସୂର୍ଯ୍ୟ କିରଣର ପରିବର୍ତ୍ତନ ଚାଷ ଉପରେ ଏକ ପ୍ରମୁଖ ପ୍ରଭାବ ପକାଇପାରେ। ଏହା ଜୀବନ ସତ୍ତା ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ।

ଗ୍ଲୋବାଲ ୱାର୍ମିଂ ଉପରେ ଗବେଷଣା ଜାରି ରହିଛି । ଜଳବାୟୁ ଲକ୍ଷ୍ୟ ହାସଲ କରିବା ପାଇଁ କାର୍ବନ କ୍ୟାପଚର ଏବଂ ଷ୍ଟୋରେଜ୍ (ସିସିଏସ) ପ୍ରଯୁକ୍ତିବିଦ୍ୟା ମଧ୍ୟ ଏକ ସମ୍ଭାବ୍ୟ ବିକଳ୍ପ ଭାବରେ ବିବେଚନା କରାଯାଉଛି। କିନ୍ତୁ ଏଥିରେ ଅନେକ ତ୍ରୁଟି ମଧ୍ୟ ଅଛି। ୨୦୨୨ ମସିହାରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଇମ୍ପେରିଆଲ୍ କଲେଜ, ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ରିପୋର୍ଟ କରିଥିଲେ ଯେ କେତେକ କ୍ଷେତ୍ରରେ ଏହି ଟେକ୍ନୋଲୋଜିର ବ୍ୟବହାର ବୈଷୟିକ ଦୃଷ୍ଟିରୁ ସମ୍ଭବ ହୋଇପାରେ, କିନ୍ତୁ ସେଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିର୍ଭର କରାଯାଇପାରିବ ନାହିଁ।

ଏହା ମଧ୍ୟ ରିପୋର୍ଟ କରାଯାଇଛି ଯେ କେବଳ ସିସିଏସ ବ୍ୟବହାର କରିବା ଦ୍ୱାରା ବିଶ୍ବରେ ଅତି କମରେ ୩୦ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। ଯେତେବେଳେ କି ବିପୁଳ ପରିମାଣର କାର୍ବନ ଡାଇଅକ୍ସାଇଡକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା ପାଇଁ ପର୍ଯ୍ୟାପ୍ତ ଭୂତଳ ସ୍ଥାନ ନାହିଁ। ସେଥିପାଇଁ ଗ୍ଲୋବାଲ ୱାର୍ମିଂ ସମ୍ବନ୍ଧରେ କ୍ରମାଗତ ଭାବରେ ନୂତନ ଅନୁସନ୍ଧାନ କରାଯାଉଛି ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *