ମାଲକାନଗିରି ଏବଂ କୋରାପୁଟ ମାଓବାଦୀ ମୁକ୍ତ ଜିଲ୍ଲା କରିବାକୁ ସଂକଳ୍ପବଦ୍ଧ….ଡିଜିପି ଓଡିଶା
ମାଲକାନଗିରି ଏବଂ କୋରାପୁଟ ସମ୍ପୂର୍ଣ୍ଣ ଭାବେ ମାଓବାଦୀ ମୁକ୍ତ ଜିଲ୍ଲା କରିବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଦିନିକିଆ ମାଲକାନଗିରି ଗସ୍ତରେ ଆସି ଡିଜିପି ଓଡିଶା ଯୋଗେଶ ବାହାଦୂର ଖୁରାନିଆ । ଏକ ସ୍ବତନ୍ତ୍ର ହେଲିକେପ୍ଟରେ ଗୁରୁବାର ମାଲକାନଗିରି ପହଞ୍ଚି ପ୍ରଥମେ ଡିଜିପି ଓଡିଶା ବରିଷ୍ଠ ପୋଲିସ ଏବଂ ବିଏସଏଫ ଅଧିକାରୀଙ୍କ ସହ ମାଓବାଦୀ ବିରୋଧୀ କାର୍ଯ୍ୟର ସମୀକ୍ଷା କରି ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆଲୋଚନା ହୋଇଥିଲା। ଗୁରୁବାର ଦିନ ସର୍ବ ପ୍ରଥମେ ଡିଜିପି ଶ୍ରୀ ଖୁରାନିଆ ଡିଜି (ଅପରେସନ୍ସ) ଅଖିଳେଶ୍ୱର ସିଙ୍ଗଙ୍କ ସହ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ମାଓବାଦୀଙ୍କ ମୁକାବିଲାରେ ସୁରକ୍ଷା ବାହିନୀ ସମ୍ମୁଖୀନ ହେଉଥିବା ସମସ୍ୟା ତଥା ଏହି ସମସ୍ୟାର ସମାଧାନ ପାଇଁ ଉପାୟ ଜାଣିବା ପାଇଁ ଉକ୍ତ ଅଞ୍ଚଳରେ ନିୟୋଜିତ କେନ୍ଦ୍ରୀୟ ଦଳକୁ ଭେଟିବା ସହ ମାଓ ଦମନକୁ ନେଇ ସେଠାରେ ଥିବା ଯବାନଙ୍କ ସହ ମାଓ ଦମନ ଅଭିଯାନରେ ଯବାନମାନଙ୍କ କର୍ତ୍ତବ୍ୟ ନେଇ ଆଲୋଚନା କରି ଯବାନମାନଙ୍କ କାର୍ଯ୍ୟ ନେଇ ପ୍ରଶଂସା କରି ସେମାନଙ୍କ ମନବଳ ବଢାଇଥିଲେ ଡିଜିପି ଶ୍ରୀ ଖୁରାନିଆ ।
ସଶସ୍ତ୍ର ପୋଲିସ ଫୋର୍ସ, ସ୍ପେଶାଲ ଅପରେସନ୍ସ ଗ୍ରୁପ ଏବଂ ଜିଲ୍ଲା ସ୍ବେଚ୍ଛାସେବୀ ବାହିନୀର ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଏଥିସହ ମାଓ ସମସ୍ୟା ନେଇ ବିଏସଏଫ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଆଇଜି ସି.ଡି ଅଗ୍ରୱାଲ, ଡିଆଇଜି ବିଜୟ ସିହ୍ନା ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମାଓ ଦମନର ରଣନିତି ସମ୍ପର୍କ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବିଏସଏଫର ଉଚ୍ଚ ଅଧିକାରୀ ଓ ଅନ୍ୟାନ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ।
ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଗଣମାଧ୍ୟମଙ୍କୁ ସମ୍ବୋଧିତ କରି ଡିଜିପି କହିଛନ୍ତି ଦେଶରେ ମାର୍ଚ୍ଚ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ମାଓ ମୁକ୍ତ କରାଯିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆହ୍ବାନ ଦେଇଥିବା ବେଳେ ତାହା ତାଙ୍କର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି । ଏଥି ସକାଶେ ରାଜ୍ୟରେ ସୁରକ୍ଷା ବଳ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରି ଓଡିଶାରୁ ମଧ୍ୟ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ହେବ ବୋଲି ଡିଜିପି ଖୁରାନିଆଙ୍କ ଦୃଢକ୍ତି ପ୍ରକାଶ କରିଛନ୍ତି। ଏଥି ସହ ମାଓପ୍ରବଣ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାଓବାଦୀମାନେ ଲୁଚାଇଥିବା ଅସ୍ତ୍ରଶସ୍ତ୍ରକୁ ଖୋଜି ବାହାର କରାଯିବ। ସ୍ଵାଭିମାନ ଅଞ୍ଚଳବସି ସ୍ଵାଧୀନ ଭାବେ ବସବାସ ସହ ନିଜନିଜର ଜିବିକିକ ଶାନ୍ତିରେ ଅତିବାହିତ କରୁଛନ୍ତି। ସ୍ଵାଭିମାନ ଅଞ୍ଚଳରେ ଚାଷୀ ନିଜ ଜମି ସ୍ଵାଧୀନ ଭାବେ ଚାଷ କରୁଛନ୍ତି, ବ୍ୟବସାୟୀ ନିଜ ବ୍ୟବସାୟ କରୁଛି । ପୂର୍ବରୁ ରାଜ୍ୟରେ ମାଓବାଦୀଙ୍କ ପ୍ରୋତ୍ସାହନରେ ଗଞ୍ଜେଇ ଚାଷ ସହ ବେଆଇନ ଭାବେ ପ୍ରଚୁର ଚାଲାଣ ହେଉଥିଲା, କିନ୍ତୁ ବର୍ତ୍ତମାନ ମାଓବାଦୀ ଗ୍ରାସ ପାଇବାରୁ ତାହା ମଧ୍ୟ କମିଆସିଚି ।
ଏଥିପାଇଁ ମୁଖ୍ୟତଃ ଅବକାରୀ ବିଭାଗ,ଜଙ୍ଗଲ ଏବଂ ରାଜସ୍ୱ ବିଭାଗର କର୍ମକର୍ତାଙ୍କ ବାରମ୍ବାର ମିଳିତ ଚଢ଼ାଉ ଫଳରେ ଗଞ୍ଜେଇ ଚାଷ ଓ ଚାଲାଣ ବହୁ ମାତ୍ରାରେ ହ୍ରାସ କରିପାରିଛି। ସେ କହିଛନ୍ତି ଯେ, ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ବେପାର ମୁକ୍ତ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଭବିଷ୍ୟତରେ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ ବନ୍ଦ ପାଇଁ ପ୍ରୟାସ ଜାରି ରହିବ। ସ୍ଵାଭିମାନ ଅଞ୍ଚଳରେ ସର୍ବଦା ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା ବଳ ଉକ୍ତ ଅଞ୍ଚଳରେ ମଜବୁତ୍ ଭାବେ କାମ କରିବା ସହ ସ୍ବାଭିମାନ ଅଞ୍ଚଳବାସୀଙ୍କ ସକାଶେ ଯଥେଷ୍ଟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଡିଜିପି କହିଛନ୍ତି । ତେଣୁ ଏହି ବିଷୟ ନେଇ ସ୍ୱାଭିମାନ ଅଞ୍ଚଳବାସୀ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ଖୁରାନିଆ ଅଞ୍ଚଳବାସୀଙ୍କୁ ଘୋଷଣା କରି କହିଥିଲେ ।
ଗୁରୁବାର ଦିନ ଡିଜିପି ଶ୍ରୀ ଖୁରାନିଆଙ୍କ ମାଲକାନଗିରି ଗସ୍ତ ବେଳେ ଡିଆଇଜି ଅପରେସନ ଅଖିଳେଶ୍ଵର ସିଂ, ଡିଆଇଜି ଏସଆଇଡବ୍ଲ୍ୟୁ କେଭି ସିଂ, କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଅତିରିକ୍ତ ଏସପି ତପନ ନାରାୟଣ ରଥଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ