ଯୁଗାନ୍ତକାରୀ ପଦକ୍ଷେପ : ସାରଳା ସୂତାକଳ ସ୍ଥାନରେ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ଅଣ୍ଟାଭିଡ଼ିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ

ପାରାଦୀପ – ଜଗତସିଂହପୁର ଜିଲ୍ଲାର ଲୋକଙ୍କ ପାଇଁ ପ୍ରମୁଖ ବିକାଶ ସ୍ୱରୂପ ତିର୍ତୋଲର ବନ୍ଦ ହୋଇ ପଡ଼ିଥିବା ସାରଳା ସୂତାକଳ ସ୍ଥାନରେ ଏକ ଆଧୁନିକ, ଶ୍ରମିକ କୈନ୍ଦ୍ରିକ ବୟନ ଓ ପୋଷାକ ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ l ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ହୋଇ ରହିଥିବା ସାରଳା ସୂତାକଳ ସ୍ଥାନରେ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଶିଳ୍ପ ମନ୍ତ୍ରୀଙ୍କ ସାରଳା ସୂତାକଳ ପରିସର ଗସ୍ତ କରି ସ୍ଥାନୀୟ ଲୋକ ଏବଂ ଜିଲ୍ଲାର ଶିଳ୍ପ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ନୂତନ ଆଶା ଜାଗ୍ରତ କରିଛି, ଯାହା ତିର୍ତୋଲ ଅଞ୍ଚଳରେ ଶିଳ୍ପ ଅଭିବୃଦ୍ଧି ପାଇଁ ଥିବା ସମ୍ଭାବନା ଆଡକୁ ଏକ ନୂତନ ସଙ୍କେତ ଦେଇଛି। ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିର୍ତୋଲ ଠାରେ ଅବସ୍ଥିତ ସାରଳା ସୂତାକଳ ସ୍ଥାନରେ ଯୁଗୋପଯୋଗୀ ଶିଳ୍ପ ସ୍ଥାପନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ | ସେହି ପ୍ରତିଶୃତିକୁ ରକ୍ଷା କରି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଶିଳ୍ପ ମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ସାରଳା ସୂତାକଳ ପରିଦର୍ଶନରେ ଆସିଛନ୍ତି |
ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ଠାରେ ଅବସ୍ଥିତ ସାରଳା ସୂତାକଳ ଏକଦା ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ୟୁନିଟ୍ ଥିଲା। ଏହା ୨୪ ଏପ୍ରିଲ ୧୯୮୧ରେ ପ୍ରତିଷ୍ଠା ହୋଇ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ୧୩୮୬ ଜଣଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରିଥିଲା | ୧୯୮୦ ଦଶକର ପ୍ରାରମ୍ଭରେ ଏହା ଜଗତ୍ସିଂହପୁର ଜିଲ୍ଲାର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଭାବରେ ନିଜର ଉପସ୍ଥିତି ଜାହିର କରିପାରିଥିଲା । ତଥାପି, ବିଭିନ୍ନ କାରଣ ଯୋଗୁଁ ଏହି ସୂତାକଳ ୨୯ ଅକ୍ଟୋବର ୧୯୯୯ରେ ବନ୍ଦ ହୋଇଗଲା। ସେବେଠାରୁ, ଏହି ବିଶାଳ ସୂତାକଳ କମ୍ପ୍ଲେକ୍ସ ପରିତ୍ୟକ୍ତ ହୋଇ ପଡିରହିଛି | ଏହାର ଯନ୍ତ୍ରପାତି କଳଙ୍କି ଲାଗି ନଷ୍ଟ ହୋଇ ସାରିଲାଣି | ସୂତାକଳ ପରିସର ସରକାରୀ ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି।ତିର୍ତୋଲ ନିକଟବର୍ତ୍ତୀ ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀର ଜଣେ ବାସିନ୍ଦା ଭାବରେ ସମ୍ପଦ ସ୍ୱାଇଁ, ଏକଦା ଏହି ବ୍ୟସ୍ତବହୁଳ ସୂତାକଳ ସହିତ ଜଡିତ ତାଙ୍କର ପିଲାଦିନର ଅନେକ ସ୍ମୃତିକୁ ମନେପକାନ୍ତି । ସେ ଓଡ଼ିଶାର ଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ପାଇବା ପରେ ସାରଳା ସୂତାକଳ ଠାରେ ନୂତନ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି ବୋଲି ଜଣାଇଛନ୍ତି | ଏହି ଅଂଚଳରେ ଦୀର୍ଘସ୍ଥାୟୀ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ସେ ଗୁରୁତ୍ୱ ଦେଉଛନ୍ତି।
ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ ସମୟରେ, ଶିଳ୍ପ ମନ୍ତ୍ରୀ ଓଡ଼ିଶାରେ ନିବେଶ ସୁଯୋଗ ଅନୁସନ୍ଧାନ କରିବା ପାଇଁ ବୟନ ଏବଂ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନୀଙ୍କୁ ଆହ୍ୱାନ କରିଥିଲେ। ସେହି ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନୀଙ୍କ ଦ୍ୱାରା ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ମଧ୍ୟରେ ମନ୍ତ୍ରୀ, ସାରଳା ସୂତାକଳ ସ୍ଥାନକୁ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ | ସୂତାକଳର ଅବସ୍ଥିତି, ବିଦ୍ୟମାନ ଭିତ୍ତିଭୂମି ଏବଂ ସ୍ଥାନୀୟ ଦକ୍ଷ ଶ୍ରମଶକ୍ତି ଭଳି ପ୍ରମୁଖ ସୁବିଧା ସବୁକୁ କମ୍ପାନୀ ଗୁଡିକ ଆଗରେ ସେ ଉଲ୍ଲେଖ କରିଥିଲେ |ପରିଣତ ସ୍ୱରୂପ ଅନେକ ବୟନଶିଳ୍ପ ଏବଂ ପୋଷାକ କମ୍ପାନୀ ଆଗ୍ରହ ଦେଖାଇ ପୁରୁଣା ସାରଳା ସୂତାକଳ ପରିସରକୁ ପରିଦର୍ଶନ କରିଥିଲେ। ବିଭିନ୍ନ ସମ୍ଭାବନା ଦ୍ୱାରା ପ୍ରଭାବିତ ହୋଇ ସାରଳା ସୂତାକଳ ପରିସରରେ ଯୁଗୋପଯୋଗୀ, ପରିବେଶ ଅନୁକୂଳ ଏବଂ ଶ୍ରମିକ କୈନ୍ଦ୍ରିକ ବୟନଶିଳ୍ପ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ କମ୍ପାନୀ ଗୁଡିକ ପ୍ରସ୍ତାବ ଦାଖଲ କରିଛନ୍ତି।
ସେହି ମହତ ଉଦେଶ୍ୟ ନେଇ ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ, ଜଗତ୍ସିଂହପୁର କଲେକ୍ଟର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ସାରଳା ସୂତାକଳ ପରିସରକୁ ପରିଦର୍ଶନ କରି ଏହାର ବାସ୍ତବ ଚିତ୍ର ମୂଲ୍ୟାଙ୍କନ କରିବା ସହ ବିଭିନ୍ନ ଆନୁସାଙ୍ଗିକ ବିଷୟରେ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କ ଏହି ଗସ୍ତ ଶିଳ୍ପ ବିକାଶ ହୋଇନଥିବା ଅଞ୍ଚଳ ଗୁଡ଼ିକୁ ଶିଳ୍ପ ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଏକ ଦୃଢ଼ ବାର୍ତ୍ତା ଭାବରେ ଦେଖାଯାଉଛି। ସାରଳା ସୂତାକଳ ପୂର୍ବରୁ ଜଗତସିଂପୁର ଜିଲ୍ଲାର ହଜାର ହଜାର ଲୋକଙ୍କ ପାଇଁ ଗର୍ବ ଏବଂ ଜୀବିକାର ପ୍ରତୀକ ଥିଲା। ମୁଁ ସେହି ଗର୍ବକୁ ଫେରାଇ ଆଣିବା ପାଇଁ ପ୍ରତିବଦ୍ଧ ବୋଲି ସମ୍ପଦ ଗଣମାଧ୍ୟମ ଆଗରେ ପ୍ରକଶ କରିଛନ୍ତି । ଆମେ ଏଠାରେ ଏକ ଆଧୁନିକ ବୟନଶିଳ୍ପ ହବ୍ ପ୍ରତିଷ୍ଠା କରିବା ପାଇଁ ସମସ୍ତ ବିକଳ୍ପ ଅନୁସନ୍ଧାନ କରୁଛୁ ଯାହା ନିଯୁକ୍ତି ସୃଷ୍ଟି କରିବ ଏବଂ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି |
ବିଗତ ୨୬ ବର୍ଷ ମଧ୍ୟରେ ସାରଳା ସୂତାକଳ ପାଇଁ କୌଣସି ଦଳ ବା ରାଜନୈତିକ ନେତା କେବେ ବି ପ୍ରୟାସ କରିନାହାଁନ୍ତି। ବିଜେଡି ହେଉ କି କଂଗ୍ରେସ ସାରଳା ସୂତାକଳ ବର୍ଷ ବର୍ଷ ଧରି ସରକାରୀ ଉଦାସୀନତା ଏବଂ ଭଙ୍ଗ ପ୍ରତିଶ୍ରୁତିର ପ୍ରତୀକ ପାଲଟି ସାରିଥିଲା। ତେଣୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଏହି ପଦକ୍ଷେପକୁ ଏକ ଦୀର୍ଘ ସମୟ ଧରି ପ୍ରତୀକ୍ଷିତ ପଦକ୍ଷେପ ଭାବରେ ଦେଖାଯାଉଛି | ଜଗତସିଂହପୁର ଜିଲ୍ଲାବାସୀ, ଯୁବପିଢ଼ି ଏବଂ ବୁଦ୍ଧିଜୀବୀମାନେ ଏହାକୁ ହୃଦୟର ସହିତ ସ୍ୱାଗତ କରିଛନ୍ତି। ସାରଳା ସୂତାକଳ ସ୍ଥାନରେ ଯୁଗପୋଯୋଗୀ ଶିଳ୍ପ ପ୍ରତିଷ୍ଠା, ସ୍ଥାନୀୟ ଯୁବବର୍ଗ ଏବଂ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଏବଂ ଆଶାର ଲହରୀ ଆଣିଦେଇଛି। ପ୍ରାରମ୍ଭିକ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ ହେବା ପରେ, ବଡ଼ ଧରଣର ନିବେଶକୁ ଆକର୍ଷିତ କରିବା ପାଇଁ ବିଭିନ୍ନ କେନ୍ଦ୍ର ଏବଂ ରାଜ୍ୟ ଯୋଜନା ଅଧୀନରେ ଏହି ସ୍ଥାନକୁ ବୟନଶିଳ୍ପ ଏବଂ ପୋଷାକ କ୍ଲଷ୍ଟର ଭାବରେ ପ୍ରଦାନ କରାଯିବାର ସମ୍ଭାବନା ରହିଛି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ