December 22, 2024
Home » ରାଜ୍ୟରେ ନୂତନ ସରକାର ଗଠନ ହେଲାପରେ ଦୈନନ୍ଦିନ ବଜାର ଦର ବୃଦ୍ଧିକୁ ସରକାରଙ୍କ ଲଗାମ ନାହିଁ

ରାଜ୍ୟରେ ନୂତନ ସରକାର ଗଠନ ହେଲାପରେ ଦୈନନ୍ଦିନ ବଜାର ଦର ବୃଦ୍ଧିକୁ ସରକାରଙ୍କ ଲଗାମ ନାହିଁ

0

 

ଭୁବନେଶ୍ୱର: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ରାଜ୍ୟବାସୀଙ୍କ ଭାବନା ଥିଲା ଯେ ରାଜ୍ୟରେ ନୂତନ ସରକାର ଗଠନ ହେଲାପରେ ରାଜ୍ୟ ବାସୀ ଭଲରେ ଚଳିଲେ, କୁନ୍ତୁ ସରକାର ପରିବର୍ତ୍ତନ ପରେ ବିପରିତ୍ତ ପରିସ୍ଥିତିରେ ସମ୍ମୁଖୀନ ହୋଇଛନ୍ତି ରାଜ୍ୟ ବାସୀ। ରାଜ୍ୟରେ ନିତ୍ୟାବଶ୍ଯକ ଦ୍ରବ୍ୟର ଆକାଶ ଛୁଆଁ ଦର ସାଧାରଣ ଲୋକର ମାନଦଣ୍ଡ କୁ ଆଘାତ ଦେଇଛି। କଲବଲ କଲାଣି ପରିବା ଦର । ଆଳୁ ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ପରିବା କିଲା ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି। କୌଣସି କଞ୍ଚାପରିବାରେ ହାତ ମାରି ହେଉନାହିଁ । ଅଧିକାଂଶ ପରିବାର ଦର କିଲୋ ପିଛା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ହୋଇଛି। ଆଳୁ କିଲୋ ୩୫ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ ୭୦ଟଙ୍କାରୁ ତଳକୁ ଆସୁନି। ସେହିଭଳି ବାଇଗଣ ଦୀର୍ଘ ଦିନ ଧରି ୮୦ ଟଙ୍କା ଉପରେ ରହିଛି। ଟମାଟୋ ମଧ୍ୟ ୫୦ ତଳକୁ ଖସୁନି କାଙ୍କଡ଼ କେଜି ୧୦୦, ଭେଣ୍ଡି ୬୦-୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ ୮୦ ଟଙ୍କା, କଲରା କେଜି ୮୫, ଝୁଡଙ୍ଗ ୯୦ ଏବଂ ବିନ୍‌ ୧୮୦ ଟଙ୍କାରେ ପହଞ୍ଚିଛି। ଶିମଲା ଲଙ୍କା ୧୯୦-୨୦୦ ଟଙ୍କା, ଗାଜର ୧୨୦ ଟଙ୍କା ରହିଛି।

ବ୍ୟବସାୟୀମାନେ କହୁଛନ୍ତି ଯେ ରାଜ୍ୟରେ ଶୀତଦିନିଆ ଚାଷ ଭଲ ହେଲାନାହିଁ। ପରବର୍ତ୍ତୀ ସମୟରେ ବର୍ଷା ଦିନିଆ ଫସଲର ସ୍ଥିତି ମଧ୍ୟ ଏତେ ଭଲ ନାହିଁ। ତେଣୁ ରାଜ୍ୟ ଭିତରର ଉତ୍ପାଦିତ ପନିପରିବା ବଡ଼ ବଜାରକୁ ଆସିପାରିଲା ନାହିଁ। କେବଳ ଗ୍ରାମାଞ୍ଚଳ ମାର୍କେଟ୍‌ରେ ଅଳ୍ପ ପରିମାଣରେ ବିକ୍ରି ହେଲା। ସହରାଞ୍ଚଳ ଗୁଡ଼ିକରେ ପନିପରିବା ପାଇଁ ବିଶେଷକରି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଦର ନିୟନ୍ତ୍ରଣ ଭିତରେ ରହୁନାହିଁ। ସେଠିକାର ମାର୍କେଟ୍‌ରେ ଯାହା ଦରଦାମ୍‌ ରହୁଛି, ଏଠି ପରିବହନ ଓ ପରିବହନଜନିତ କ୍ଷୟକ୍ଷତି ମିଶିଲେ ଦର ଆକାଶଛୁଆଁ ହୋଇଯାଉଛି।

ସେମାନଙ୍କ କହିବା ଅନୁସାରେ ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁଁ କେନ୍ଦୁଝର, ଜଗତସିଂହପୁର, ବାଙ୍କୀ ଅଞ୍ଚଳରୁ ଆବଶ୍ୟକ ପରିମାଣର ବିଲାତି ବଜାରକୁ ଆସିନି। ତେଣୁ ଟମାଟୋ ପାଇଁ ନାସିକ୍‌, ବେଙ୍ଗାଲୁରୁ, ରାୟପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ସେଠି ଯାହା ଦାମ୍‌ ରହୁଛି, ସେହି ଅନୁସାରେ ଆମର ଦାମ୍‌ ରହୁଛି। ତଥାପି ପୂର୍ବାପେକ୍ଷା ଟମାଟୋ ଦର ସାମାନ୍ୟ କମ୍‌ ରହିଛି। ସେହିଭଳି ଅଧିକାଂଶ ପୋଟଳ ଏବେ କଲିକତାରୁ ଆମଦାନୀ ହେଉଛି। ସେହି ପୋଟଳର ଦାମ୍‌ ସାମାନ୍ୟ କମ୍‌ ଥିବାବେଳେ ଦେଶୀ ପୋଟଳରେ ହାତ ମାରିହେଉନି। ଆମ ରାଜ୍ୟରେ ବରଗଡ଼, ଅନୁଗୋଳ ଆଦି ଅଞ୍ଚଳରୁ ଦେଶୀ ପୋଟଳ ଆମଦାନୀ ହେଉଥିଲେ ହେଁ ତାହା ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେଉନି। ସେହିଭଳି ଅନ୍ୟ ସମସ୍ତ ପରିବା ମଧ୍ୟ ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ଦର ହ୍ରାସ ପାଉନି। ରାଜଧାନୀର ବଡ଼ ବଜାର ଏକ ନମ୍ବର ପରିବା ବ୍ୟବସାୟୀ ବୈକୁଣ୍ଠ ବିଶ୍ୱାଳଙ୍କ କହିବାନୁସାରେ, ଶୀତ ଦିନେ ଅଦିନିଆ ବର୍ଷା ଫସଲ ନଷ୍ଟ କରିଦେଲା। ବର୍ଷା ଆରମ୍ଭରୁ ନିୟମିତ ବର୍ଷା ହେଲାନି। ଫଳରେ ଆଗୁଆ ଚାଷ କରିଥିବା ଚାଷୀ ହତାଶ ହେଲେ। ତା’ପରେ ଲଗାଣ ବର୍ଷା ଓ ଦୀର୍ଘ ଦିନ ପାଣି ଜମି ରହିବା କାରଣରୁ ଫସଲ ମୂଳ ସବୁ ପଚି ନଷ୍ଟ ହୋଇଗଲା। ଏସବୁ ସମସ୍ୟା ପାଇଁ ଓଡ଼ିଶାରୁ ପରିବା ଉତ୍ପାଦନ ବାଧାପ୍ରାପ୍ତ ହେଲା। ତେଣୁ ଦାମ୍‌ ନିୟନ୍ତ୍ରଣକୁ ଆସୁନି। ଏହି ଦରବୃଦ୍ଧି ନୂଆ ପରିବା ଉତ୍ପାଦନ ହେବା ପର୍ଯ୍ୟନ୍ତ ଲାଗିରହିବ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆମଦାନୀ ହେଉଛି। ପୂର୍ବରୁ ଯେମିତି ଦୈନିକ କଟକ-ଭୁବନେଶ୍ୱରକୁ ୩ଶହ ଟ୍ରକ୍‌ ଆଳୁ ଆସୁଥିଲା, ଏବେ ଆସୁଛି। ହେଲେ ଦୁଃଖର ବିଷୟ ପାଇକାରୀ କିଲୋ ପିଛା ଦାମ୍‌ ୨୦ରୁ ୨୨ ଭିତରେ ରହୁଥିବାବେଳେ ଖୁଚୁରା ବଜାର ଦାମ୍‌ କିନ୍ତୁ ୩୫ ଟଙ୍କାରୁ ତଳକୁ ଖସୁନି। ସେହିଭଳି ପିଆଜ କିଲୋ ପିଛା ପାଇକାରୀ ଦାମ୍‌ ୪୫ରୁ ୪୮ ଟଙ୍କା ରହୁଥିବାବେଳେ ଖୁଚୁରା ବଜାରରେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ଦାମ୍‌ ବଢ଼ିବା ପ୍ରତିଯୋଗିତାରୁ ବାଦ୍‌ ପଡ଼ୁନାହାନ୍ତି ରସୁଣ ଓ ଅଦା। ରସୁଣ କିଲୋ ୪ଶହ ଟଙ୍କାରେ ବିକ୍ରି ହେଉଥିବାବେଳେ ଅଦା କିଲୋ ୨୫୦ ଟଙ୍କାରେ ବିକ୍ରି ହେଉଛି। ଖାଇବା ତେଲ ଓ ଡାଲି ଦାମ୍‌ ବି ବଢ଼ୁଛି। ଖାଇବା ତେଲ ଦାମ୍‌ ଲିଟର ପିଛା ୧୨୫ ଟଙ୍କାରେ ପହଞ୍ଚିଲାଣି। ଏହି ତେଲ ୮ ଦିନ ତଳେ ୧୧୦ ଟଙ୍କା ଥିବାବେଳେ ଗୋଟିଏ ସପ୍ତାହ ଭିତରେ ବଢ଼ି ୧୨୫ ଟଙ୍କାରେ ବିକ୍ରି ହେଉଛି। ହରଡ଼ ଡାଲି କିଲୋ ୧୮୦ ଟଙ୍କାରେ ପହଞ୍ଚିଲାଣି। ଆଉ କେତେ ଦିନ ଭିତରେ ଏହା ୨ଶହ ଛୁଇଁବ ବୋଲି ବ୍ୟବସାୟୀ ମହଲରେ ଆକନଳ ହେଲାଣି। ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ନିୟନ୍ତ୍ରଣରେ ସରକାର ପଦକ୍ଷେପ ନ ନେଲେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *