ଆଇନଜୀବୀ ହେମନ୍ତ କୁମାର ନାୟକଙ୍କୁ ୨ ବର୍ଷ ପାଇଁ ଓକିଲାତି ପେଶାରୁ ବରଖାସ୍ତ
କଟକ: ଓଡିଶା ଆଇନଜୀବୀ ପରିଷଦ କଟକ ଭଦ୍ରକର କାର୍ଯ୍ୟରତ ଆଇନଜୀବୀ ହେମନ୍ତ କୁମାର ନାୟକଙ୍କୁ ୨ ବର୍ଷ ପାଇଁ ଓକିଲାତି ପେଶାରୁ ବରଖାସ୍ତ କରିଛନ୍ତି। ସେ ଭାରତ ବର୍ଷର କୌଣସି ବିଚାରଳୟରେ ଓକିଲାତି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି। କଟକସ୍ଥିତ ଓଡିଶା ଆଇନଜୀବୀ ପରିଷଦ ଜିଟିର ଗତ ୧୫ ତାରିଖରେ ପତ୍ର ସଂଖ୍ୟା ୫୫୩୦/୨୫ ମୂଳେ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟର ଅଧିବକ୍ତା ପରିଷଦ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଓଡିଶା ଉଚ୍ଚ ନ୍ୟାୟାଳୟ, ଓଡିଶାର ସମସ୍ତ ଓକିଲ ସଂଘ , ରାଜ୍ୟର ସମସ୍ତ ଜିଲ୍ଲା ଜଜ ତାଙ୍କ ଅଧୀନରେ ଥିବା ସମସ୍ତ ନ୍ୟାୟାଳୟ, ଭଦ୍ରକ ଜିଲ୍ଲା ଜଜ, ଭଦ୍ରକ ଓକିଲ ସଂଘ ଆଦିଙ୍କୁ ଏ ଆଦେଶ ବିଷୟରେ ଚିଠି ଲେଖି ଅବଗତ କରି ଅଛନ୍ତି କଟକ ଆଇନଜୀବି ପରିଷଦ।
ହେମନ୍ତ କୁମାର ନାୟକ ଗତ ୧୯୯୮ ମସିହା ଫେବ୍ରୁଆରୀ ୧୨ ତାରିଖରୁ ଓଡିଶା ଅଧିବକ୍ତା ପରିଷଦ ଠାରୁ ଓ-୧୫୯/୧୯୯୮ ନମ୍ବର ଲାଇସେନ୍ସ ମୂଳେ ଓକିଲାତି ପେଷାରେ ଯୋଗ ଦେଇ ଆଇନଜୀବୀ ଭାବରେ ଭଦ୍ରକ ସିଭିଲ କୋର୍ଟ ତଥା ଅନ୍ୟ କୋର୍ଟ ମାନଙ୍କରେ ଓକିଲାତି କରି ଆସୁଥିଲେ। ମାତ୍ର କିଛି ବର୍ଷ ହେବ ସେ ଫେସବୁକ ଆକାଉଣ୍ଟରେ ଗ୍ରାଣ୍ଟ ଚାଣକ୍ୟ ନାମରେ ଏକ ଆକାଉଣ୍ଟ ଖୋଲି ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ଭାବରେ ବିଚାରପତି ତଥା ବିଚାର ବିଭାଗୀୟ କର୍ମଚାରୀମାନଙ୍କ ବିରୁଦ୍ଧରେ ବିଭିନ୍ନ ଅରୁଚିକର ମନ୍ତବ୍ୟ ଦେଇ ଆସୁଥିଲେ। ଏନେଇ ଓଡିଶା ରାଜ୍ୟ ଅଧିବକ୍ତା ପରିଷଦ ନିକଟରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ହେବା ପରେ ଓଡିଶା ଆଇନଜୀବୀ ପରିଷଦ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଗଠନ କରି ଅଭିଯୋଗର ତଦନ୍ତ କରିଥିଲେ। ଉକ୍ତ କମିଟି ଗତ ସେପ୍ଟେମ୍ବର ୧୩ ତାରିଖରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ଏହାକୁ ଭିତ୍ତି କରି ଅଧିବକ୍ତା ଆଇନର ଧାରା ୩୫ ୯୩)(ସି) ଅନୁଯାୟୀ ରାଜ୍ୟ ଅଧିବକ୍ତା ପରିଷଦ ଆଇନଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ହେମନ୍ତ କୁମାର ନାୟକ ଭବିଷ୍ୟତରେ କୌଣସି ପ୍ରକାର ଅରୁଚିକର, ଅଶାଳୀନ ଭାଷାରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନକରିବାକୁ ଓଡ଼ିଶା ବାର କାଉନସିଲ ପକ୍ଷରୁ ପ୍ରେସ ରିଲିଜ କରି ଜଣାଇଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ , ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
