ଆଉ ନାହାଁନ୍ତି ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
ରାଜ୍ୟର ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ୮୩ ବର୍ଷ ବୟସରେ ପରଲୋକ ଘଟିଛି। ସ୍ୱର୍ଗତ ମିଶ୍ର ପ୍ରଥମେ ଓଡିଶା ରାଜଧାନୀ କଟକର ଦୈନିକ ମାତୃଭୂମିରୁ ସାମ୍ବାଦିକତା ଜୀବନ ଆରମ୍ଭ କରିବା ପରେ ଭୁବନେଶ୍ୱର ରାଜଧାନୀକୁ ଆସି ଦୈନିକ ଦିନଲିପି, ଆଜିକାଲି ଓ କଳିଙ୍ଗ ମେଲ୍ ର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୬୦ ଦଶକରୁ ସାମ୍ବାଦିକତା ପେଶାକୁ ଆବୋରି ସେ ସମୟରେ ହାତଗଣା ସାମ୍ବାଦିକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ। ଜଣେ ମେଳାପି, ମିଷ୍ଟଭାଷି ଓ ପରୋଉପକାରୀଗୁଣ ଯୋଗୁଁ ସମସ୍ତଙ୍କ ସେ ପ୍ରିୟଭାଜନ ହୋଇପାରିଥିଲେ। ଏପରିକି ବାଂଲାଦେଶ ଯୁଦ୍ଧ ସମୟରେ ସେଠାକୁ ଯାଇ ରିପୋର୍ଟିଂ ମଧ୍ୟ କରିଥିଲେ। ଦୁଇ ନମ୍ବର ସରକାରୀ କ୍ୱାଟର ଛାଡିବାକୁ ପଡିବାରୁ ସେ ନିଜର ଜନ୍ମସ୍ଥାନ କେନ୍ଦ୍ରାପଡା ବଳଦେବଜୀଉମନ୍ଦିର ନିକଟ କମରଖଣ୍ଡିରେ ଅବସ୍ଥାନ କରୁଥିଲେ। ତେବେ କିଛି ଦିନ ତଳେ ସେ ରଥ ଦାଣ୍ଡରେ ଇଭିନିଂ ୱାକ୍ କରୁଥିବା ସମୟରେ ଅଚାନକ ଏକ ଷଣ୍ଢର ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ହାଇଟେକ୍ ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବା ସହ ଗତ ଶନିବାର ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ପରେ ରାଜଧାନୀର ବହୁ ସାମ୍ବାଦିକ, ରାଜନୈତିକ ନେତା, ସମାଜସେବୀ ଓ ବିଭିନ୍ନ ବର୍ଗର ଲୋକେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ସତ୍ୟନଗର ଶଶ୍ମାନରେ ଶେଷକୃତ୍ୟ ସମାପନ ହୋଇଥିଲା। ତାଙ୍କର ଜ୍ୟେଷ୍ଠପୁତ୍ର ଦେବାଶିଷ ମିଶ୍ର ମୁଖାଗ୍ନି ଦେଇଥିବାବେଳେ ସାନପୁଅ ସୁଭାଶିଷ ମିଶ୍ର ଓ ଦୁଇ ପୁତ୍ରବଧୂ, ନାତି ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।
ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହିତ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କର ବିୟୋଗ ଓଡିଶାର ସାମ୍ବାଦିକତା ଜଗତ ତଥା ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦିବ୍ୟଙ୍ଗତ ଆତ୍ମାର ସଦ୍ଗତି ପ୍ରାର୍ଥନା କରିଛନ୍ତି। କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡା ଜିଲ୍ଳା ସାମ୍ବାଦିକ ସଂଘର ସଭାପତି ଡା ଅବନୀ ମୋହନ ଦାଶ, ସାଧାରଣ ସମ୍ପାଦକ ଚିତ୍ତରଂଜନ ସାହୁ, ସମ୍ପାଦକ ଅନୀଲ ଚୌଧୁରୀ ପ୍ରମୁଖ ଗଭୀର ଶୋକପ୍ରକଟ କରିଛନ୍ତି।
ଇପିଏର ଶୋକସଭା
ଇପିଏ ପରିବାରର ଅନ୍ୟତମ ସହଯୋଗୀ ତଥା ଶୁଭେଚ୍ଛୁ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ପରଲୋକରେ ଏକ ଶୋକସଭା ମୁଖ୍ୟ ସମ୍ପାଦକ ଶ୍ରୀମତୀ ଅଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ସାମ୍ବାଦିକତା କ୍ଷେତ୍ରକୁ ସ୍ୱର୍ଗତ ମିଶ୍ରଙ୍କ ଅବଦାନ ଓ ତାଙ୍କ ଗୁଣାବଳୀ ସମ୍ପର୍କରେ ଆଲୋଚନା କରାଯିବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାର୍ତ୍ତା ସମ୍ପାଦକ ମୁରଲୀଧର ମିଶ୍ର, ସହ ସମ୍ପାଦକ ବବିତା ପରିଡା, ଫଟୋ ପ୍ରତିନିଧି ମଧୁସୂଦନ ସାହୁ, ରିପୋଟର ରଂଜିତା ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
