March 14, 2026
Home » ଆଠଗଡ଼ରେ ଶିଳ୍ପ ଭିତ୍ତିଭୂମିର ବିକାଶ: କୁସପାଙ୍ଗୀ ଓ ବାଲି ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପାର୍କ ସ୍ଥଳ ପରିଦର୍ଶନ କଲେ ଇଡ୍‌କୋ ଅଧ୍ୟକ୍ଷା

ଆଠଗଡ଼ରେ ଶିଳ୍ପ ଭିତ୍ତିଭୂମିର ବିକାଶ: କୁସପାଙ୍ଗୀ ଓ ବାଲି ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପାର୍କ ସ୍ଥଳ ପରିଦର୍ଶନ କଲେ ଇଡ୍‌କୋ ଅଧ୍ୟକ୍ଷା

0
WhatsApp Image 2026-03-13 at 5.44.34 PM (1)

ଭୁବନେଶ୍ୱର/କଟକ,: ରାଜ୍ୟରେ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡକୋ )ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇଡ୍‌କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ କଟକ ଜିଲ୍ଲା ଆଠଗଡ଼ ତହସିଲ ଅନ୍ତର୍ଗତ କୁସପାଙ୍ଗୀ ଏବଂ ବାଲି ଅଞ୍ଚଳ ଗସ୍ତ କରି ପ୍ରସ୍ତାବିତ ଶିଳ୍ପ ପାର୍କର ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଅଧ୍ୟକ୍ଷା ଶ୍ରୀମତୀ ପାଢ଼ୀଙ୍କ ସମେତ କଟକ ଜିଲ୍ଲାପାଳ ଏବଂ ଇଡ୍‌କୋ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଚିହ୍ନଟ ହୋଇଥିବା ଜମିର ପରିଦର୍ଶନ କରିଥିଲେ। ଏହି ସମୀକ୍ଷା କାଳରେ ମୁଖ୍ୟତଃ ନିମ୍ନଲିଖିତ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଶିଳ୍ପ ପାଇଁ ଆବଶ୍ୟକୀୟ ସରକାରୀ ଜମିର ସ୍ଥିତି , ଶିଳ୍ପ ପାର୍କ ପାଇଁ ଅତ୍ୟାବଶ୍ୟକ ବିଦ୍ୟୁତ ସଂଯୋଗ, ଜଳ ଯୋଗାଣ ଏବଂ ପରିବହନ ସୁବିଧା , ପ୍ରସ୍ତାବିତ ସ୍ଥଳକୁ ରାସ୍ତାଘାଟର ସୁଗମତା ଆଦି ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ ଯେ, ରାଜ୍ୟରେ ନିବେଶ ବୃଦ୍ଧି ଓ ଏକ ସମୃଦ୍ଧ ଶିଳ୍ପ ପରିସଂସ୍ଥା ଗଠନ ପାଇଁ ଯୋଜନାବଦ୍ଧ ଶିଳ୍ପ ପାର୍କର ଆବଶ୍ୟକତା ରହିଛି। କୁସପାଙ୍ଗୀଠାରେ ଏହି ପାର୍କ ନିର୍ମିତ ହେଲେ ଏହା ନୂତନ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରକଳ୍ପ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ଇଡ୍‌କୋ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି ପ୍ରସ୍ତାବିତ ପାର୍କ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *