January 15, 2025
Home » ଆରମ୍ଭ ହେଲା କୃଷିଭିତ୍ତିକ ପର୍ବ ନୂଆଖାଇ…. ଧର୍ମଗଡ ବ୍ଲକ ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ।

ଆରମ୍ଭ ହେଲା କୃଷିଭିତ୍ତିକ ପର୍ବ ନୂଆଖାଇ…. ଧର୍ମଗଡ ବ୍ଲକ ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ।

0

 

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା ରହିଛି। କୌଣସି ଏକ ନିର୍ଦ୍ଦିଷ୍ଟ ତିଥିରେ କିମ୍ବା ଗୋଟିଏ ଦିନରେ ଜିଲ୍ଲାରେ ନୂଆଖାଇ ପାଳନ ହୋଇ ନଥାଏ। ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ତିଥିରେ ଏହି ପର୍ବ ପାଳନ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଶ୍ରାବଣ ପୂର୍ଣ୍ଣିମାରେ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରୁଥିବା ବେଳେ ଜିଲ୍ଳାର କେସିଙ୍ଗା ବ୍ଲକ ପଥର୍ଲା ଗ୍ରାମରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ରେ ଗ୍ରାମବାସୀ ନୂଆଖାଇ ଥାଆନ୍ତି। ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, କଲମପୁର, ଧର୍ମଗତ,ଗୋଲାମୁଣ୍ଡା, କୋକସରା, କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ଅଞ୍ଚଳରେ ନୂଆଖାଇ ପାଳିତ ହୋଇଥାଏ। ତୃତୀୟ ପର୍ଯ୍ୟାୟରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ କଳାହାଣ୍ଡି ପୁରାତନ ଗଡ଼ଜାତର ଜମିଦାରୀ ଅଞ୍ଚଳ ଗୁଡିକରେ ନୂଆଖାଇ ପାଳନ ହୋଇଥାଏ । କୌଣସି କାରଣରୁ ଲୋକେ ନୂଆଖାଇ ପାରି ନ ଥିଲେ ବିଜୟା ଦଶମୀ ଦିନ ନୂଆଖାଇ ଥାଆନ୍ତି।

ଗତ କାଲି ଶ୍ରାବଣ ପୂର୍ଣ୍ଣିମାରେ ସମସ୍ତ ମହିମା ଧର୍ମାବଲମ୍ବୀ ନୂତନ ବର୍ଷର ଉତ୍ପାଦିତ ନୂଆଁ ଫସଲକୁ ପ୍ରଭୁଙ୍କୁ ଅର୍ପଣ କରି ସମସ୍ତେ ନବାନ୍ନ ଭକ୍ଷଣ କରିଥଲେ। ବାସ୍ତବିକ ଜୀବନକୁ ଠିକ ରାସ୍ତାରେ ନେବାକୁ ହେଲେ ଧର୍ମର ଆବଶ୍ୟକତା ରହିଛି। ଯୁଗେ ଯୁଗେ ମଣିଷ ସମାଜକୁ ସତ୍ୟ, ଶାନ୍ତିରେ ଜୀବନ ଯାପନ କରିବା ସହିତ ମନରେ ସ୍ନେହ,ପ୍ରେମ, ଶ୍ରଦ୍ଧା, ଭକ୍ତି ଭାବ ଜାଗ୍ରତ କରିବା ପାଇଁ ଅନେକ ଧର୍ମ ଓ ଧର୍ମ ପ୍ରଚାରକ ଙ୍କ ଆବିର୍ଭାବ ଘଟିଛି। ତା ମଧ୍ୟରୁ ଅଲେଖ ମହିମା ଧର୍ମ ଏକ ସର୍ବ ପୁରାତନ ଧର୍ମ। ଏହି ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସ୍ଵାମୀ। ତତ୍ ସହିତ ଅନ୍ୟତମ ଶିଷ୍ୟ ତଥା ଧର୍ମ ପ୍ରଚାରକ ହେଉଛନ୍ତି ସନ୍ଥ କବି ଭୀମ ଭୋଇ। ସନ୍ଥ କବି ଭୀମ ଭୋଇଙ୍କ ବାଣୀ ” ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଚିର ସ୍ମରଣୀୟ ଓ ବନ୍ଦନୀୟ। ଏହି ମହିମା ଧର୍ମ ପରମ୍ପରା ଅନୁସାରେ ବୈଶାଖ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମାର ସ୍ଵତନ୍ତ୍ର ମହତ୍ତ୍ଵ ରହିଛି। ଶ୍ରାବଣ ପୂର୍ଣ୍ଣିମାରେ ସମସ୍ତ ମହିମା ଧର୍ମାବଲମ୍ବୀ ନୂତନ ବର୍ଷର ଉତ୍ପାଦିତ ନୂଆଁ ଫସଲକୁ ପ୍ରଭୁଙ୍କୁ ଅର୍ପଣ କରି ସମସ୍ତେ ନବାନ୍ନ ଭକ୍ଷଣ କରିବାର ବିଧି ରହିଛି। ସେହିପରି କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ଜୟନ୍ତପୁର ମହିମା ମଠରେ ମଧ୍ଯ ଭକ୍ତିପୂତ ଭାବରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରବିବାର ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମଧୁନି ପ୍ରଜ୍ବଳନ ପୂର୍ବକ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରାଯାଇଥିଲା। ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ପ୍ରଭୁଙ୍କୁ ନିଜର ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମଧୁନିକୁ ମୁଣ୍ଡିଆ ମାରିଥିଲେ। ତା ଆରଦିନ ବ୍ରହ୍ମ ମୁହୂର୍ତ୍ତରେ ସପ୍ତମୃତ ପଣା ସହ ନବାନ୍ନକୁ ପ୍ରଭୁଙ୍କୁ ଅର୍ପଣ କଲା ପରେ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିଥିଲେ। ପୂଜ୍ୟ ସାଧୁ ହର ବାବା ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ କରିବା ସହ ସମସ୍ତ ଭକ୍ତ ବୃନ୍ଦଙ୍କୁ ନବାନ୍ନ ଭୋଗ ସ୍ଵହସ୍ତରେ ଅର୍ପଣ କରିଥିଲେ। ସମସ୍ତେ ନବାନ୍ନ ଭକ୍ଷଣ କଲା ପରେ ପୂଜ୍ୟ ସାଧୁଙ୍କୁ ଶରଣ ମାନ୍ୟ କରି ଆଶୀର୍ବାଦ କାମନା କରିଥିଲେ। ପରେ ସମସ୍ତ ଭକ୍ତବୃନ୍ଦ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। ପାଳିତ ହୋଇଥିବା ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଜୟନ୍ତପୁର ତଥା ଅଞ୍ଚଳର ଦିଗାମ୍ବର ଭକ୍ତ, ପବିତ୍ର ଭକ୍ତ, ବୈକୁଣ୍ଠ ଭକ୍ତ, ରୁପେନ୍ଦ୍ର ଭକ୍ତ, ଅଭି ଭକ୍ତ, ତ୍ରିନାଥ ଭକ୍ତ, ମୁରଲୀ ଭକ୍ତ, ଲିଙ୍ଗରାଜ ଭକ୍ତ, ଚୈତନ୍ୟ ଭକ୍ତ, ଜୟ ଭକ୍ତ, ଲଳିତ ଭକ୍ତ, ଧର୍ମାନନ୍ଦ ଭକ୍ତ, ଜୟଦେବ ଭକ୍ତ, ଘନଶ୍ୟାମ ଭକ୍ତ, ହରି ଭକ୍ତ, କୋକିଳ ଭକ୍ତ, ଧର୍ମାନନ୍ଦ ଭକ୍ତ, ଜୟଦେବ ଭକ୍ତ, ବଲ୍ଲଭ ଭକ୍ତ, ଗୋବର୍ଦ୍ଧନ ଭକ୍ତ, ରାଜୀବ ଭକ୍ତ, ଅଯୋଧ୍ୟା ଭକ୍ତଙ୍କ ସମେତ ଶତାଧିକ ଭକ୍ତବୃନ୍ଦ ଙ୍କ ସମାଗମ ଦେଖିବାକୁ ମିଳିଥିଲା।

କଳାହାଣ୍ଡି ଜିଲା ଈପିଏରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *