ଆଳୁ’ ପାଇଁ ଓଡିଶାରେ ସ୍ଥିତି ଅଣାୟତ୍ତ’ ସରକାର ବଦନାମ ହେବ !
ଗତ ୪ ମାସ ଧରି ରାଜ୍ୟରେ ଆଳୁ ଉତ୍ପାଦନ ଉପରେ ସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ରାଜ୍ୟରେ ପୁଣି ଚଢା ଦରରେ ଆଳୁ ବିକ୍ରୀ ହେବା ସାଧାରଣ ଲୋକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ପଶ୍ଚିମ ବଙ୍ଗରେ ଫେବ୍ରୁଆରୀରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଓ ପିଆଜ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇଛନ୍ତି । ଅଗଷ୍ଟରେ ପଶ୍ଚିମବଙ୍ଗ ଆଳୁ ରପ୍ତାନୀ ବନ୍ଦ କରିବା ପରେ ଓଡିଶାରେ ସ୍ଥିତି ଅଣାୟତ୍ତ ହୋଇଥିଲା । ଏବେ ପୁଣି ସେଭଳି ସଂକଟ ଦେଖା ଦେବ କି ?
କ୍ଷମତାକୁ ଆସୁ ଆସୁ ରାଜ୍ୟରେ ଆଳୁ ସଂକଟର ସାମନା କରିଥିଲା ବିଜେପି ସରକାର । ସମାଧାନ ନେଇ ସରକାରଙ୍କ ସେଭଳି ତତ୍ପରତା ବି ଦେଖିବାକୁ ମିଳିନଥିଲା । ଆଳୁ ଦର ୬୦ଟଙ୍କା ଛୁଇଁଥିବା ବେଳେ କେତେବେଳେ ଉତ୍ତରପ୍ରଦେଶରୁ ତ କେତେବେଳେ ପଞ୍ଜାବରୁ ଆଳୁ ଆଣିବା ନେଇ କହୁଥିଲେ ଯୋଗାଣ ମନ୍ତ୍ରୀ । ଆଳୁ ସଂକଟ ଆଗରେ ସରକାର ସେତେବେଳେ ଏକପ୍ରକାର ହାତ ଟେକି ଦେଇଥିଲେ । ଆଳୁ ପରିଚାଳନାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ସେତେବେଳେ ସରକାରଙ୍କ ପାଖରେ କ୍ରାଇସିସ ମ୍ୟାନେଜ କରିବାର ଅଭିଜ୍ଞତା ନଥିଲା । ହେଲେ ଏଥର ବି ଯଦି ପୂର୍ବ ଭଳି ସବୁ ଦେଖି ସରକାର ଚୁପ୍ ରହିବେ, ତେବେ ଜନ ଅସନ୍ତୋଷ ବଢିବ । ବିଜେପି ସରକାରଙ୍କୁ ଦରଦାମ୍ ବୃଦ୍ଧିକୁ ନେଇ ଅଧିକ ସମ୍ବେଦନଶୀଳ ହେବାକୁ ପଡିବ । ନହେଲେ ସରକାର ପରିବର୍ତ୍ତନ ପରେ ମହଙ୍ଗା ମାଡ ନେଇ ବିରୋଧୀ ଯେଉଁ ନାରେଟିଭ୍ ପ୍ରସ୍ତୁତ କରୁଛନ୍ତି ତାକୁ ବିଶ୍ବାସ କରିବେ ଜନତା । ଯାହା ବିଜେପି ସରକାର ପାଇଁ ଶୁଭଙ୍କର ହେବନି ।
ଆଳୁ ଦେବେନି ଦିଦି । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ବଢିଛି ଚିନ୍ତା। ପଶ୍ଚିମବଙ୍ଗ ପୋଲିସ ଓଡିଶା ଆସୁଥିବା ଆଳୁ ଟ୍ରକ ଛାଡୁନି । ସୀମାରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ । ଲକ୍ଷ୍ମଣନାଥ ଟୋଲ ଗେଟ ପାଖରୁ କିଛି ଗାଡ଼ି ଫେରିଯାଇଛି ।
କଟକ ଛତ୍ରବଜାରରେ ଦିନକ ଭିତରେ ଆଳୁଦର କିଲୋ ପିଛା ୮ଟଙ୍କା ବଢି ୩୫ଟଙ୍କାରେ ପହଞ୍ଚିଛି । ରାଜ୍ୟରେ କେଉଁଠି ୩୦ ତ କେଉଁଠି ୩୫ରୁ ୪୦ଟଙ୍କା କିଲୋ ପିଛା ବିକ୍ରି ହେଉଛି ଆଳୁ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ହୋଇଥିବା ବେଳେ ଆଳୁ ଦର ଅଗଷ୍ଟ ମାସ ଭଳି ବଢିଲେ ଲୋକେ ହଇରାଣ ହୋଇଯିବେ । ବିଗିଡିଯିବ ଲୋକଙ୍କ ମାସିକ ବଜେଟ୍ । ରାଜ୍ୟ ସରକାର ଗ୍ରାହକଙ୍କୁ ୩୦ଟଙ୍କା କିଲୋରେ ଆଳୁ ଯୋଗାଇ ଦେବେ ବୋଲି କହିଛନ୍ତି । ତେବେ ଗତଥର ବି ପଞ୍ଜାବ, ୟୁପି ଆଳୁ କଥା କହିଥିଲେ ବି ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହୋଇଥିଲେ ଖାଉଟି ।
ରାଜ୍ୟରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ବୁଧବାର ମମତା ବାନାର୍ଜୀ ପ୍ରଥମେ ନିଜ ରାଜ୍ୟର ଆବଶ୍ୟକତା ପୂରଣ କର, ପରେ ବ୍ୟବସାୟୀ ବିକ୍ରି କରନ୍ତୁ ବୋଲି କହିଥିଲେ । ପଶ୍ଚିମବଙ୍ଗରେ ସାଧାରଣତଃ ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ବେଳକୁ ନୂଆ ଆଳୁ ଅମଳ ହୋଇଥାଏ । ଅର୍ଥାତ ୨ରୁ ୩ମାସ ଆଳୁ ସଂକଟ ଭୋଗିପାରେ ଓଡିଶା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ଆଳୁ ଆମଦାନୀ କରିପାରନ୍ତି । ତେବେ ଅଗଷ୍ଟ ମାସରେ ବି ସମାନ ସ୍ଥିତି ବେଳେ ୟୁପି, ପଞ୍ଜାବରୁ ଆଳୁ ଆଣିବା କଥା କହିଥିଲେ ଯୋଗାଣ ମନ୍ତ୍ରୀ । ଉତ୍ତରପ୍ରଦେଶରୁ ଟ୍ରେନରେ ଆଳୁ ଆସିବା କଥା ବି କହିଥିଲେ, ହେଲେ ସ୍ଥିତି ବଦଳିନଥିଲା।
ଆଳୁ ସଂକଟ କିଭଳି ସମାଧାନ ହେବ ସେନେଇ ଯୋଜନା କରିବା ବଦଳରେ ପୂର୍ବ ସରକାର ନାଁରେ ଦୋଷ ଠେଲିବାକୁ ଉଦ୍ୟମ କରିଛନ୍ତି ଯୋଗାଣ ମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଇ-ଭଉଣୀ କହି ମନ୍ତ୍ରୀ ନିଜ ଉପରୁ ଦୋଷ ଠେଲିଛନ୍ତି । ଭାଇ କହିଥିବେ ନଚେତ ଚିଠି ଲେଖିଥିବାରୁ ଭଉଣୀ ଆଳୁ ଦେଉନଥିବା କହିଛନ୍ତି । ତେବେ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ କଡା କାଉଣ୍ଟର କରିଛି ବିଜେଡି । ଲୋକଙ୍କୁ ଆଳୁ ଯୋଗାଇବା ସରକାରଙ୍କ ଦାୟିତ୍ବ । ନିଜ ଅପାରଗତା ଲୁଚାଇବାକୁ ପୂର୍ବ ସରକାର ନାଁରେ ଦୋଷ ଠେଲୁଥିବା କହିଛି ବିଜେଡି ।
ରାଜ୍ୟରେ ଆଳୁ ସଙ୍କଟ ଟଳିବାକୁ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ନିର୍ବାଚନ ମଣ୍ଡଳୀ ଓ କେନ୍ଦୁଝର ଜିଲ୍ଲାରେ ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ରହିଥିବା କହି। ବୈତରଣୀ ପରି ଚୀର ସ୍ରୋତା ନଦୀ ବୋହି ଯାଇଥିବା ବେଳେ କାନପୁର, ଦେଓ ଜଳ ସେଚନ ପ୍ରକଳ୍ପ, ସାପୁଆ ଡ୍ୟାମ ଓ ବଡ଼ବଡ଼ ନାଳ ଜିଲ୍ଲାରେ ରହିଛି। ଜିଲ୍ଲାରେ ପାଣିର ଅଭାବ ନଥିବାରୁ କାହିଁ କେଉଁ କାଳରୁ ଆଦିବାସୀମାନେ ନିଜ ପାଇଁ ପାରମ୍ପରିକ ଭାବେ ଆଳୁ ଚାଷ କରୁଥିଲେ। ତେବେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଆଳୁ ଚାଷୀଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ସରକାର। ତେଣୁ ଜିଲ୍ଲାର ଚାଷୀମାନେ ଆଳୁ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଉଦ୍ୟାନ ବିଭାଗ ଜିଲ୍ଲାର ତେଲକୋଇ, ଚମ୍ପୁଆ, ଯୋଡ଼ା, ଘଟଗାଁ, ବାଂଶପାଳ, ହରିଚନ୍ଦନପୁର, ଘଷିପୁରା, ହାଟଡିହି, ଆନନ୍ଦପୁର, ପାଟଣା, ସାହାରପଡ଼ା, କେନ୍ଦୁଝର ସଦର ଓ ଝୁମ୍ପୁରା ବ୍ଲକରେ ୫୭୫ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ସୁଦ୍ଧା ୬୨୪୨ କ୍ୱିଣ୍ଟାଲ୍ ଆଳୁ ବିହନ ଚାଷୀଙ୍କୁ ବଣ୍ଟନ କରାଯାଇଛି। ଆହୁରି ୩୦୦ କ୍ୱିଣ୍ଟାଲ୍ ଆଳୁ ବିହନ ଆସିଛି। ଖୁବ୍ଶୀଘ୍ର ଚାଷୀଙ୍କୁ ସେହି ବିହନ ବଣ୍ଟାଯିବ ବୋଲି ଉଦ୍ୟନ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବିହନ ପାଇବା ପରେ ଚାଷୀମାନେ ଚାଷ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।
ଜିଲ୍ଲାର ୧୩ ବ୍ଲକରେ କିଛି କିଛି ଆଳୁ ଚାଷୀଙ୍କୁ ନେଇ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ (FPO) ଗ୍ରୁପ୍ ଗଠନ କରାଯାଇଛି। ଉଦ୍ୟାନ କୃଷି ତରଫରୁ FPOକୁ ସବୁ ପ୍ରକାଶ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। କ୍ଷେତକୁ ପାଣି ଯୋଗାଇବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଯେଉଁଠି ଜଳ ଯୋଗାଣର ବ୍ୟବସ୍ଥା ନାହିଁ, ସେଠାରେ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ବୋରୱେଲ ଖୋଳାଯାଇ ସୋଲାର ପମ୍ପ ସାହାଯ୍ୟରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି। ଏଥିରୁ ଚାଷୀମାନେ ବେଶ ଲାଭବାନ ହେବେ ବୋଲି ଆଶା ରଖିଛନ୍ତି। ୫୭୫ ହେକ୍ଟର ଜମିରୁ ଏକ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ୍ ଆଳୁ ଉତ୍ପାଦନ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଟାର୍ଗେଟ ରଖିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି, ଅମଳ ହେବାକୁ ଆଳୁ ରହିବ କେଉଁଠି? ସେଥିପାଇଁ ପ୍ରଶାସନ ତରଫରୁ କ’ଣ ବ୍ୟବସ୍ଥା କରାଯାଇଛି? ଏନେଇ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ କହିଛନ୍ତି, ଜିଲ୍ଲାରେ ବର୍ତ୍ତମାନ ଗୋଟିଏ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ଆଉ ଗୋଟିଏରେ ମେସିନ୍ ଠିକ୍ ନାହିଁ। ମରାମତି ଚାଲିଛି, ଚଲାଇବେ। ତାହାଛଡ଼ା ୩ ସବ୍ଡିଭିଜନ୍ରେ ୩ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ସେଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର