ଆସିଲେନି ଅତିରିକ୍ତ ଜିଲାପାଳ…ଜୁନାଗଡ଼ ଏନ୍ଏସି ଅନାସ୍ଥା ଭୋଟ ସ୍ଥଗିତ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ଭୋଟ ସ୍ଥଗିତ ରହିଛି। ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଗୁରୁବାର ପୂର୍ବାହ୍ଣ ୧୧ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯିବାର ରହିଥିଲା।ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ଵରେ ଥବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ନ ଆସିବାରୁ ଏହାକୁ ସ୍ଥଗିତ ରଖାଯାଇଛି। ଅନାସ୍ଥା ଭୋଟ କେବେ ହେବ ସେ ନେଇ ଜିଲାପାଳ ତାରିଖ ଘୋଷଣା କରିବେ।ପ୍ରାପ୍ତ ପ୍ରକାଶ ଯେ, ଏନ୍ଏସି ଅଧ୍ୟକ୍ଷ ଭାଜପାର ମୁକେଶଙ୍କ ବିରୋଧରେ ବିଜେଡିର ୯ ଜଣ କାଉନସିଲର ଓ
ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ଆଣି ଗତ ୧୬ ତାରିଖରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ।ଏହାପରେ ଜିଲାପାଳ ପତ୍ର ସଂଖ୍ୟା ଅନାସ୍ଥା ୧୩୨୭ ତା୨୫୭ /୨୪ ରିଖ ଅନୁଯାୟୀ ଅଗଷ୍ଟ ୧ରେ ଜୁନାଗଡ଼ ଏନ୍ଏସିରେ ଏକ ସ୍ବତନ୍ତ୍ର ବୈଠକ ପାଇଁ ସ୍ଥିର କରିଥିଲେ।ଜୁନାଗଡ଼ ଏନଏସିରେ ୧୨ଟି ୱାର୍ଡ ଥିବା ବେଳେ ସେଥି ମଧ୍ୟରୁ ୧୦ ଜଣ କାଉନସିଲର ବିଜେଡ଼ିର । ବିଜେପିର ୨ ଜଣ କାଉନସିଲର ଅଛନ୍ତି ।
ବିଜେଡି କାଉନସିଲରଙ୍କ ସଂଖ୍ୟା ଅଧିକ ରହିଥିବାରୁ ସିଧାସଳଖ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ମୁକେଶ ଅଗ୍ରୱାଲ ଙ୍କ ବିପକ୍ଷରେ ଭୋଟ ଯିବାର ଆଶଙ୍କା ରହିଥିଲା। ହେଲେ ସ୍ଵାସ୍ଥ୍ୟଗତ କାରଣରୁ ଅତିରିକ୍ତ ଜିଲାପାଳ ଏନ୍ଏସିକୁ ଆସିପାରି ନ ଥିବା ସ୍ଥାନୀୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ପ୍ରକାଶ କରିଥିଲେ। ଫଳରେ ଅନାସ୍ଥା ଭୋଟ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଏହାକୁ ନେଇ ବିଜେଡି କାଉନସିଲର ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଅଧ୍ୟକ୍ଷଙ୍କୁ ବଞ୍ଚାଇବାକୁ ବିଜେପି ଚକ୍ରାନ୍ତ କରି ସମସ୍ତ ସରକାରୀ କଳକୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ନିର୍ବାଚନ ଭଣ୍ଡୁର କରିବାକୁ ଚକ୍ରାନ୍ତ ହୋଇଥିବା କହି ଆଜି ହିଁ ଭୋଟ କରିବାକୁ ଅଡି ବସିଥିଲେ କାଉନସିଲର ମାନେ ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )