ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା
ସୁବର୍ଣ୍ଣପୁର: କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନ଼ଟାକର ସୋନପୁର ଚ୍ୟାପ୍ଟର ତରଫରୁ ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଇନଟାକ ତରଫରୁ ‘ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁ’ ନାମକ ଏକ ସୂଚନା ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ପୁସ୍ତିକାଟି ଐତିହାସିକ ସୁଦାମ ନାଏକ ରଚ଼ନା କରିଥିବା ବେଳେ ଇଂରାଜୀରେ ଅନୁବାଦ କରିଛନ୍ତି ପ୍ରଦ୍ୟୁମ୍ନ କୁମାର ସାହୁ | ଏହି ଐତିହ୍ୟ ପଦଯାତ୍ରାର ଅଂଶଗ୍ରହଣକାରୀମାନେ ଖୁବ ଉଲ୍ଲାସ ଏବଂ ଉତ୍ସାହର ସହ ଭଜନ କିର୍ତ୍ତନ କରି ସୁବର୍ଣ୍ଣପୁର ସହରରେ ଥିବା ଅଷ୍ଟଶମ୍ଭୁ ମନ୍ଦିର ପରିଦର୍ଶନ କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲୋକନାଥ ମନ୍ଦିର, ରାଜାଘାଟରେ ଥିବା ବାଲୁଙ୍କେଶ୍ୱର ମନ୍ଦିର, ଗୋପାଲଜୀ ମନ୍ଦିର ପରିସରରେ ଥିବା ସିଦ୍ଧେଶ୍ଵର ମନ୍ଦିର, ସୋନପୁର ମହାବିଦ୍ୟାଳୟ ନିକଟରେ ଥିବା ଗୋକର୍ଣ୍ଣେଶ୍ଵର ମନ୍ଦିର, କଚେରୀ ଛକରେ ଥିବା ପଶ୍ଚିମ ସୋମନାଥ ମନ୍ଦିର, ସଙ୍ଗମସ୍ଥଳରେ ଥିବା ରାମେଶ୍ଵର ମନ୍ଦିର ଏବଂ ସୁବର୍ଣ୍ଣପୁରର ଅଧିଶ୍ଵର ତେଲନଦୀ କୂଳରେ ଥିବା ସୁବର୍ଣ୍ଣମେରୁ ମନ୍ଦିରକୁ ଅଂଶଗ୍ରହଣକାରୀମାନେ ପରିଦର୍ଶନ କରିଥିଲେ । ତେବେ ଅଷ୍ଟଶମ୍ଭୁ ମଧ୍ୟରୁ ଅନ୍ୟତମ ପ୍ରମୁଖ ରୁଦ୍ରନାଥ ମନ୍ଦିରଟି ସିନେମା ହଲ ମଧ୍ୟରେ ଜୀର୍ଣ୍ଣ ଅବସ୍ଥାରେ ଏକ ପ୍ରକାର ବନ୍ଦୀ ଭାବରେ ଥିବାରୁ ପଦଯାତ୍ରୀମାନେ ପରିଦର୍ଶନରୁ ବଞ୍ଚିତ ହୋଇ କ୍ଷୋଭ ପ୍ରକାଶ କରିଥିଲେ ଏବଂ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼. ସନ୍ତୋଷ କୁମାର ପାଢ଼ୀଙ୍କ ମାର୍ଗଦର୍ଶନରେ ସମସ୍ତ ପଦଯାତ୍ରୀ ଏହି ଐତିହ୍ୟ ପଦଯାତ୍ରାରେ ସାମିଲ ହୋଇଥିବା ବେଳେ ବିଶିଷ୍ଟ ଐତିହାସିକ ସୁଦାମ ନାଏକ ଏହି ଅଷ୍ଟଶମ୍ଭୁ ମନ୍ଦିର ଗୁଡ଼ିକର ଐତିହାସିକ ଓ ସାଂସ୍କୃତିକ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟଶ୍ରୀ ଗଦାଧର ବାରିକ, ବିଭୂତି ଭୂଷଣ ଓତା, ବଳଦେବ ପ୍ରଧାନ, ଡ. ସୌରଭ ରଂଜନ ଖମାରୀ, ଗତିକୃଷ୍ଣ ବଣିଆଁ, ଲକ୍ଷ୍ମୀ ନାରାୟଣ ସାହୁ, ସରିତା ପୋଥାଲ, ରୀମା ଖଟୁଆ, ଅନୁପମା ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଇନଟାକ୍ ସୋନପୁର ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଐତିହ୍ୟ ପଦଯାତ୍ରାର ସମାପନ ପର୍ବରେ ସହ-ଆବାହକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଇନଟାକର ଆଜୀବନ ସଦସ୍ୟ ଦେବକୀ ନନ୍ଦନ ମିଶ୍ର କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
