ଉଦଳା ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଉଦଳା: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ୍ରମେ ଉକ୍ତ ବିଭାଗର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ଆନୁକୁଲ୍ୟରେ ଉଦଳା ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦଳା ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଳା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାଗ୍ୟଶ୍ରୀ ନାୟକଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ରଜନୀ ଦାସ, ବିଡିଓ ସମରଜିତ୍ କର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ସୋରେନ୍, ଏନଏସି ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ଜେନା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୁରଲୀଧର ଚନ୍ଦ, ସିଡିପିଓ କୃଷ୍ଣା ମହାପାତ୍ର, ଦିବ୍ୟାଙ୍ଗ ମହାମଞ୍ଚ ସଭାପତି ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିର ଉଦଘାଟନ କରିଥିଲେ । ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକ ଉକ୍ତ ଶିବିର ମାଧ୍ୟମରେ ଗୋଟିଏ ସ୍ଥାନରୁ ପାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମଞ୍ଚାସୀନ ଅତିଥି ମତ ପ୍ରକାଶ କରିଥିଲେ । ଶିବିରରେ ଯୋଗ ଦେଇଥିବା ରାଢୋ ପଞ୍ଚାୟତର ଦିବ୍ୟାଙ୍ଗ ଭଉଣୀ ସନ୍ଦୀପ୍ତା ପଣ୍ଡା ଭିନ୍ନକ୍ଷମ ଭତ୍ତା ବୃଦ୍ଧି ପାଇଁ ଦୃଢ ଦାବି କରିବା ପରିପ୍ରେକ୍ଷୀରେ ତାଙ୍କର ଦାବିକୁ ଆଗାମୀ ବିଧାନସଭାରେ ଉତଥାପିତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ବିଧାୟକ ମହୋଦୟ ପ୍ରତିଶୃତି ଦେଇଥିଲେ । ଶେଷରେ ମେଘୁ ନାଏକ, ଚିତା ହାଁସଦାଙ୍କୁ ବସ୍ ପାସ୍ ଏବଂ ପାର୍ବତୀ ବେହେରାଙ୍କୁ ହୁଇଲ୍ ଚେୟାର ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଆଜିର ଶିବିରରେ ମୋଟ ୫୮୪ ଜଣ ଦିବ୍ୟାଙ୍ଗ ପଞ୍ଜିକରଣ କରିଥିବା ବେଳେ ୨୩୪ ଜଣ ଦିବ୍ୟାଙ୍ଗ ପ୍ରମାଣପତ୍ର, ୧୩୬ ଜଣ ଆୟ ପ୍ରମାଣପତ୍ର, ୧୭୭ ଜଣ ବସ୍ ପାସ୍, ୬୨ ଜଣ ମଧୁବାବୁ ପେନସନ ଯୋଜନାରେ ଭତ୍ତା, ୧୬ ଜଣ ବାଣିଶ୍ରୀ ବୃତ୍ତି, ୧୨ ଜଣ ଦକ୍ଷତା ବିକାଶ ପ୍ରମାଣପତ୍ର, ୪୮ ଜଣ ଗ୍ରାମୀଣ ଆବାସ ଗୃହ, ୧ ଜଣ ଉଚ୍ଚ ଶିକ୍ଷା ବୃତ୍ତି, ୨୧ ଜଣ ଡିଆରଆଇ ଋଣ, ୬ ଜଣ ମିଶନ କ୍ଷମତା ପାଇଁ ଆବେଦନ କରିଥିବା ବେଳେ ଆଗାମୀ ଦିନରେ ୯୯ ଜଣ ଦିବ୍ୟାଙ୍ଗ ସହାୟତା ଉପକରଣ ପାଇବା ପାଇଁ ମନୋନୀତ ହୋଇଥିଲେ । ବାରିପଦା ପିଆରଏମ୍ ମେଡିକାଲରୁ ଭେଷଜ, ଚକ୍ଷୁ, ଅସ୍ଥିଶଲ୍ୟ, ମାନସିକ, ନାଶା, କର୍ଣ୍ଣ ଆଦି ବିଭାଗର ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହିତ ଚିକିତ୍ସା ନିମନ୍ତେ ପରାମର୍ଶ ଦେଇଥିଲେ । ଉପଖଣ୍ଡ ଚିକିତ୍ସାଳୟ ତରଫରୁ ମଧ୍ୟ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ବିଡିଓ ଉଦଳା ସମରଜିତ୍ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଳା ବ୍ଲକ ଏବଂ ଏନଏସି ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।
udala ru sarbeswar mohapatra nka report
