March 30, 2026
Home » ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ

ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ

0
WhatsApp Image 2026-03-30 at 1.44.21 PM

 

ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର:ଗ୍ରାମୀଣ ଅର୍ଥନୀତିର ସମୃଦ୍ଧି ପାଇଁ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି । ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ବ୍ୟବହାର ହେଲେ ଏହି କ୍ଷେତ୍ର ସଶକ୍ତ ହୋଇପାରିବ । ତେଣୁ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ବସ୍ତ୍ର ପିନ୍ଧିବାକୁ ମାନ୍ୟବର ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିବେଦନ କରିଛନ୍ତି । ସ୍ଥାନୀୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟଠାରେ ଆୟୋଜିତ ୭ ଦିନିଆ “ଓଡ଼ିଶା ଖଦି ମେଳା – ୨୦୨୬”ର ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ଖଦିର ପ୍ରଚାର ପ୍ରସାର ପାଇଁ ଡିଜିଟାଲ ମାର୍କେଟିଂ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଯୁବ ପିଢିଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଡିଜାଇନ୍ ଉପରେ ଗୁରୁତ୍ଵ ଦେବାକୁ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ଖଦି ମେଳାରେ ବୁଣାକାର ଓ କାରିଗରଙ୍କ ମଧ୍ୟରେ ଇ-କମର୍ସ ଉପରେ ସଚେତନତା ସୃଷ୍ଟି କରାଯିବା ସହ ୫୦ ଗୋଟି କାରିଗର ଓ ବୁଣାକାର ଗୋଷ୍ଠୀଙ୍କୁ ଓପନ୍ ନେଟୱର୍କ ଫର୍ ଡିଜିଟାଲ୍ କମର୍ସ (ଓଏନଡିସି) ପ୍ଲାଟଫର୍ମ ସହ ସଂଯୋଗ କରାଯାଇଛି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂ, ବୋର୍ଡ଼ର ଡକ୍ଟର ଅରୁନ୍ଧତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।ଚଳିତଥର ମୋଟ୍ ୭୫ଟି ଷ୍ଟଲ୍ ଖୋଲାଯାଇଥିଲା । ଓଡ଼ିଶା ସହ ତେଲେଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ରାଜ୍ୟର ବୁଣାକାର ଓ ଗ୍ରାମୋଦ୍ୟୋଗ କାରିଗରମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୧,୨୦,୦୦୦୦୦/- ( ଏକ କୋଟି କୋଡିଏ ଲକ୍ଷ) ଟଙ୍କାର ବ୍ୟବସାୟ ହୋଇଛି । ଯାଜପୁରର ବାପୁଜୀ ଖଦି ସେବା ସଂଘ, ଖୋର୍ଦ୍ଧାର ମା’ ଦୁର୍ଗା ଗ୍ରାମ୍ୟ ଶିଳ୍ପ ସମିତି ଏବଂ ରେଶମ ଓଡ଼ିଶା ଶ୍ରେଷ୍ଠ ଷ୍ଟଲ ବର୍ଗରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ପୁରସ୍କୃତ ହୋଇଥିଲେ । ଗୋଟିଏ ସ୍ଥାନରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦକୁ ପ୍ରଦର୍ଶିତ କରିବା ସହ ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧି ଓ ବଜାର ସଂଯୋଗ ଯୋଗାଇଦେବା ଏହି ମେଳାର ମୂଳ ଲକ୍ଷ୍ୟ ।

Leave a Reply

Your email address will not be published. Required fields are marked *