July 5, 2025
Home » କାମ ଅଭାବରୁ ଘରେ ବସିଥିବା ଶ୍ରମିକ ଏବେ ଦାଦନ ଯିବେ

କାମ ଅଭାବରୁ ଘରେ ବସିଥିବା ଶ୍ରମିକ ଏବେ ଦାଦନ ଯିବେ

0
WhatsApp Image 2024-11-23 at 2.49.04 PM

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶ୍ରମିକଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ଜଟିଳ ହେବାକୁ ଯାଉଛି। ଯେଉଁମାନେ ସରକାରୀ ଯୋଜନାରେ ଦିନ ମଜୁରିଆ ଭାବେ କାମ କରି ସେମାନେ ଗୁଜୁରାଣ ମେଣ୍ଟାଉଥିଲେ ସେମାନଙ୍କୁ ଆଉ ସେହି ଯୋଜନାରେ କାମ ମିଳୁନାହିଁ। କାମ ଅଭାବରୁ ଘରେ ହାତବାନ୍ଧି ବସିଥିବା ଶ୍ରମିକ ଏବେ ଦାଦନ ଯିବାକୁ ବାହାରିଲେଣି । ଏହି ସ୍ଥିତିରେ ମନରେଗା ଯୋଜନାରେ ରାଜ୍ୟର ୮.୭୬ ଲକ୍ଷଙ୍କୁ ବାଦ ଦେବା ପରିସ୍ଥିତିକୁ ଆହୁରି ସମ୍ବେଦନଶୀଳ କରିବାର ଆଶଙ୍କା ସୃଷ୍ଟି କରିଛି। ଓଡ଼ିଶାରେ ବିଜେପି ସରକାର ରାଜ୍ୟରେ ପୂର୍ବ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ‘ମୁକ୍ତା’କୁ ମାରିବା ପାଇଁ ସବୁ ବ୍ୟବସ୍ଥା କରି ସାରିଛନ୍ତି। ପରିଣତିସ୍ୱରୂପ ଏହି ମହତ୍ୱାକାଂକ୍ଷୀ ଯୋଜନା ଏବେ ଶେଷ ନିଶ୍ୱାସ ନେଉଛି। ଏବେ ମନରେଗାରେ ଏପରି ସ୍ଥିତି ରାଜ୍ୟରେ ଶ୍ରମିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଆହୁରି ବିପନ୍ନ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଗତ କିଛି ଦିନ ତଳେ ‘ଲିବ୍‌ଟେକ୍‌’ ନାମକ ଏକ ସଂସ୍ଥା ମନରେଗା ଶ୍ରମିକଙ୍କ ତଥ୍ୟକୁ ପ୍ରକାଶିତ ରିପୋର୍ଟରେ ଏହି ସାଂଘାତିକ ତଥ୍ୟକୁ ଉଜାଗର କରିଛି। ଏହି ରିପୋର୍ଟରେ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ୱର ମଧ୍ୟରେ ‘ମନରେଗା’ରୁ ଓଡ଼ିଶାର ୮.୭୬ ଲକ୍ଷ ଶ୍ରମିକଙ୍କୁ ବାଦ ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ୱର ପର୍ଯ୍ୟନ୍ତ ରାଜ୍ୟରେ ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା ୯୫ ଲକ୍ଷ ଥିଲା। ପ୍ରଥମ ୬ ମାସରେ, ଏହି ତାଲିକାରୁ ୮.୭୬ ଲକ୍ଷ ବାଦ ପଡ଼ିଛନ୍ତି। କୋରାପୁଟ ଏବଂ ବଲାଙ୍ଗୀର ପରି ଅନେକ ପଛୁଆ ଜିଲ୍ଲାରେ ଅନେକ ଯୋଗ୍ୟ ଶ୍ରମିକଙ୍କ ନାଁ କଟିଥିବା ଜଣାପଡ଼ିଛି। ପ୍ରଶାସନିକ ତ୍ରୁଟି କିମ୍ୱା ବୈଷୟିକ ଅସଙ୍ଗତି ହେତୁ ଏହି ଶ୍ରମିକମାନେ ପଡ଼ିଛନ୍ତି, ସେ ସମ୍ପର୍କରେ କେହି ତୁଣ୍ଡ ଖୋଲୁନାହାନ୍ତି। ଅନ୍ୟପକ୍ଷରେ ଏହି ଯୋଜନା ଅଧୀନରେ ସୃଷ୍ଟି ହୋଇଥିବା ଶ୍ରମ ଦିବସରେ ମଧ୍ୟ ୪୮.୪ ପ୍ରତିଶତ ହ୍ରାସ ଘଟିଛି।

ଏକ ପକ୍ଷରେ ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଶ୍ରମିକମାନଙ୍କୁ କାମ ଯୋଗାଇ ଦେଉଥିବା ‘ମୁକ୍ତା’ ଯୋଜନାରେ ବର୍ତ୍ତମାନ କାମ ବନ୍ଦ ରହିଛି। ରାଜ୍ୟର ୫ଟି ମହାନଗର ନିଗମ ସହିତ ମୋଟ୍‌ ୧୧୪ଟି ପୌରାଞ୍ଚଳରେ ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଥିଲା। ଏହି ଯୋଜନାରେ କୌଣସି ଠିକାଦାରଙ୍କୁ ସାମିଲ କରା ନ ଯାଇ ଏସ୍‌ଏଚ୍‌ଜି ସଦସ୍ୟଙ୍କ ଦ୍ୱାରା କାମ କରାଯାଉଥିଲା। ଯାହାର ଫଳ ସ୍ୱରୂପ ଏହି ଯୋଜନାରେ ରାଜ୍ୟର ୫୩୬୮ ମିଶନ୍‌ ଶକ୍ତି ଗୋଷ୍ଠୀ ଏବଂ ୪୩୮ ବସ୍ତି ବାସିନ୍ଦା ସଙ୍ଗଠନ ସିଧାସଳଖ ଅନ୍ତର୍ଭୁକ୍ତ ହୋଇ କାମ କରୁଥିଲେ। ଏହି ଯୋଜନା ମୁଖ୍ୟତଃ କୋଭିଡ୍‌ରେ ବାହାରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ହୋଇଥିଲା। ମାତ୍ର ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଏହି ଯୋଜନାରେ ଆଉ କାମ ଆଗକୁ ବଢ଼ୁନାହିଁ। ଯାହାଦ୍ୱାରା ସହରାଞ୍ଚଳରେ ଥିବା ଶ୍ରମିକମାନେ କାମ ପାଇଁ ପୁଣି ଥରେ ଅନ୍ୟ ରାଜ୍ୟ ମୁହାଁ ହୋଇଛନ୍ତି। ଶ୍ରମିକଙ୍କ ପାଇଁ କାମ ଉପଲବ୍ଧ କରାଇ ସେମାନଙ୍କ ହାତରେ ଅର୍ଥ ଦେବାକୁ ବିଭିନ୍ନ ଯୋଜନା ରହିଛି। ମାତ୍ର ମୁକ୍ତା ଓ ମନରେଗା ପରି ଦୁଇଟି ଶ୍ରମିକଙ୍କ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟକ୍ରମ ପ୍ରତି ସରକାରଙ୍କ ନିଷ୍ଠୁର ଆଚରଣ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି । ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *