କୃଷକ ବିକାଶ ସମବାୟ ସମିତି ପକ୍ଷରୁ ମୁଗ ମଣ୍ଡି ଉଦ୍ଘାଟିତ

ଚାଷୀ ହସିଲେ ଦେଶ ହସିବ:ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
କେନ୍ଦ୍ରାପଡ଼ା:କୃଷକ ବିକାଶ ସମବାୟ ସମିତି ପକ୍ଷରୁ ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ମୁଗମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନ ଉତ୍ସବରେ ଜିଲା ମୁଖ୍ୟ କୃଷି ଅଧିକାରୀ କମଳାକାନ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଚାଷୀ ହସିଲେ ଦେଶ ହସିବ। ଚାଷୀମାନଙ୍କୁ କିପରି ସର୍ବୋତ୍ତମ ସେବା ପ୍ରଦାନ କରିହେବ ତାହା ସରକାରଙ୍କ ମୂଳ ଲକ୍ଷ୍ୟ। କୌଣସି କ୍ଷେତ୍ରରେ ଚାଷୀମାନେ ଯେପରି ହଇରାଣ ହରକତ ନ ହେବେ, ସେଥିପ୍ରତି ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସତର୍କ ରହିବ। କୃଷକ ବିକାଶ ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ପର୍ଯ୍ୟାପ୍ତ ପରିମାଣର ମୁଗ କ୍ରୟ କରାଯିବ। ଚାଷୀମାନେ ମୁଗ ବିକ୍ରି କରିବା ପାଇଁ କୌଣସି ସମସ୍ୟାରେ ପଡିବେ ନାହିଁ। କିଛି ସମସ୍ୟା ଉପୁଜିଲେ ସେମାନେ ସିଧାସଳଖ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଏହି ସମସ୍ୟାର ସମାଧାନ କରିପାରିବେ। ଏହାସହ ଚାଷୀମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନାର ସୁଫଳ ସେମାନେ ନେବା ଉଚିତ ବୋଲି ସେ କହିଥିଲେ। ଏଥିରେ ସଭାପତିତ୍ବ କରି କୃଷକ ବିକାଶ ସମବାୟ ସମିତିର ସଭାପତି ବିଶିଷ୍ଟ ସମବାୟବିତ ପ୍ରମୋଦ କୁମାର ସାହୁ କହିଲେ ଚଳିତ ବର୍ଷ କୃଷକ ବିକାଶ ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ୫୦୦ କୁଇଣ୍ଟାଲ ମୁଗ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। କୌଣସି ଜଣେ ହେଲେ ଚାଷୀ ଯେପରି ଅଭାବୀ ବିକ୍ରିର ସମ୍ମୁଖୀନ ନ ହେବେ ସେଥିପ୍ରତି ସମବାୟ ସମିତି ଯତ୍ନବାନ ହେବ। ଚାଷୀମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ଯେଉଁ ରାଜ୍ୟରେ ଚାଷୀଙ୍କୁ ଅଧିକ ଗୁତୁତ୍ୱ ପ୍ରଦାନ କରାଯାଏ ସେ ରାଜ୍ୟ ସେତେ ସଶକ୍ତ ହୋଇଥାଏ। ସମବାୟ ସମିତି ମାଧ୍ୟମରେ ଚାଷୀମାନେ ଉପଯୁକ୍ତ ନ୍ୟାୟ ପାଇଥାନ୍ତି। ସମବାୟ ବ୍ୟବସ୍ଥା ଯେତେ ବୃଦ୍ଧି ପାଇବ ଉତ୍ପାଦନ ସେତେ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମରେ କୃଷକ ବିକାଶ ସମବାୟ ସମିତିର ସମ୍ପାଦକ ଅରବିନ୍ଦ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ସ୍କିମ ଅଧିକାରୀ ନିରଞ୍ଜନ ରାଉତ, କୃଷକ ବିକାଶ ସମବାୟ ସମିତି ନିର୍ଦ୍ଦେଶକ ଧର୍ମପଦ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷକ ବିକାଶ ସମବାୟ ସମିତିର କର୍ମଚାରୀ ସର୍ବଶ୍ରୀ ବଳଭଦ୍ର ପଣ୍ଡା, ସ୍ମୃତି ରଞ୍ଜନ ସେଠୀଙ୍କ ସମେତ ଚାଷୀ ସର୍ବଶ୍ରୀ ମୂରଲୀ ପାତ୍ର, ଅଶୋକ ଦାସ, ଗଙ୍ଗାଧର ପ୍ରଧାନ, ଫକୀର ସାମଲ, ଏକାଦଶୀ ପଣ୍ଡା, ରାଜକିଶୋର ପଣ୍ଡା, ଅମର ପ୍ରସାଦ ଦାସ, ବିଜ୍ଞାନ ଦାସ, ବୀରକିଶୋର ଦାସ, ବିଚିତ୍ରାନନ୍ଦ ଦାସ, ବିନୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।