ଖରିଫ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ
କୁକୁଡାଖଣ୍ଡି : କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୈଠକ ଗୃହରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସଭାରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ, ବିଡ଼ିଓ ପଲ୍ଲବୀ ସ୍ବାଇଁ, ବ୍ଲକ ଅଧ୍ୟକ୍ଷ ଦାୟିତ୍ବରେ ଥିବା ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ସିଡିପିଓ କୁସୁମ କୁମାରୀ ସାହୁ, ବ୍ରହ୍ମପୁର ବିସିସି ବ୍ୟାଙ୍କ୍ ସଭାପତି ଶିବରାମ ପାତ୍ର, ଯୋଗାଣ ଅଧିକାରୀ ସୁଧାକର ମଲ୍ଲିକ, ଆରଏମ୍ସି ଅରୁଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକ ଯୋଗାଣ ନିରୀକ୍ଷକ ସୁଧାକର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାକୁ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅରୁଣ କୁମାର ମିଶ୍ର ସଂଯୋଜନା କରିଥିଲେ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବ୍ଳକର ବିଭିନ୍ନ ପଞ୍ଚାୟତରେ ୧୯ଟି ପ୍ରାଥମିକ ସେବା ସମବାୟ ସମିତି ଓ ୩ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକୁ ସରକାରଙ୍କ ନିର୍ଦ୍ଧାରିତ ଦରରେ କିପରି କିଣାଯାଇପାରିବ, ଅମଳ ଧାନକୁ ଦଲାଲଙ୍କ ଜରିଆରେ ରାଜ୍ୟ ବାହାରକୁ ନପଠାଇ ମଣ୍ଡିକୁ ଚାଷୀ କିପରି ସୁରକ୍ଷିତ ଭାବେ ଆଣିବେ ସେ ନେଇ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା । ଅମଳ ପରେ ଚାଷୀଙ୍କ ଠାରୁ ସଂଗୃହିତ ଧାନ ପ୍ରଥମେ ସେବା ସମବାୟ ସମିତି କାର୍ଯ୍ୟାଳୟ ଗୁଡିକରେ ରଖାଯିବ। ସେଠାରେ ପଞ୍ଜୀକୃତ ଚାଷୀଙ୍କ ଉତ୍ପାଦିତ ଧାନର ନମୁନା ପରୀକ୍ଷଣ ପରେ ଗୁଣାତ୍ମକ ଧାନକୁ ନିର୍ଦ୍ଧାରିତ ମିଲରଙ୍କ ପାଖକୁ ପଠାଯିବ ବୋଲି ତହସିଲଦାର ଶ୍ରୀ ସାହୁ ଚାଷୀଙ୍କୁ ବୁଝାଇଥିଲେ । ଚଳିତ ବର୍ଷ ସାଧାରଣ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ରହିଛି। ତେଣୁ ଚାଷୀ ବୃନ୍ଦ କିଭଳି ସରକାରଙ୍କ ନିର୍ଦ୍ଧାରିତ ଦରରେ ସେମାନଙ୍କ ଉତ୍ପାଦିତ ଖରିଫ ଧାନ ସୁବିଧାରେ ବିକ୍ରୟ କରିପାରିବେ ସେ ନେଇ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ସଭାରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ପିଣ୍ଟୁ ସାବତ, ସନାତନ ସଂଗ୍ରାମ ସିଂ, ଭବାନୀ ଶଙ୍କର ବିଶ୍ବାଳ, ଦେବରାଜ ପାତ୍ର, କ୍ରାନ୍ତି କୁମାରୀ ଦେବୀ, ନରସିଂହ ସାହୁ, ରମେଶ ପ୍ରଧାନଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
