December 21, 2025
Home » ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ

0
WhatsApp Image 2024-12-22 at 8.47.37 PM

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପାଣି ପଂଚାୟତ ରଥର ଶୁଭ ଉଦ୍ଘାଟନ କରାଯାଇଛି । ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଥକୁ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଉପସ୍ଥିତି ଥିଲେ। ତାପରେ ମାଟିବନ୍ଧ, ଉପ ବିଭାଜନ- ୩ କାର୍ଯ୍ୟାଳୟ ଠାରେ ମାଟିବନ୍ଧ ବିଭାଜନ ଚିତ୍ରକୋଣ୍ଡା ଦ୍ଵାରା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଥିଲା।

ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ପୀତବାସ ସେଠୀ ଏହି ସଭାଟିକୁ ଉଦ୍ଘାଟନ କରି ପାଣି ପଂଚାୟତର ପରିଚୟ ଓ ପାଣି ପଞ୍ଚାୟତ ସଭ୍ୟ ଓ ସଭ୍ୟା ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ଇଂ ରମାକାନ୍ତ ପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ମାଟିବନ୍ଧ ବିଭାଜନ, ଚିତ୍ରକୋଣ୍ଡା ସଭାପତିତ୍ଵ କରିଥିଲେ।
ଏହି ଅବସରରେ ସତ୍ୟ ନାରାୟଣ ପାଲ,ମାଲକାନଗିରି ବିଧାୟକ ପ୍ରତିନିଧି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭାଜନରେ ହେଉଥିବା ମରାମତି କାର୍ଯ୍ୟ ଗୁଡ଼ିକ ସୂଚାରୁ ରୁପେ କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ। ତତ୍ ସହିତ ମୁଖ୍ୟ ବକ୍ତା ଭାବେ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ,ମାଲକାନଗିରି ପାଣି ପଞ୍ଚାୟତର ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଏହାକୁ ସୁଦୃଢ କରିବା ପାଇଁ କୃଷକ ମାନଙ୍କ ଭୂମିକା ବିଷୟରେ ଚାଷୀ ଭାଇ ଭଉଣୀମାନଙ୍କୁ ଅବଗତ କରାଇଥିଲେ।

ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପାତ୍ର, ଫିରୋଜ କୁମାର ବିଡ଼ିକା, ଗୋଷ୍ଠୀ କୃଷି ସମ୍ପ୍ରସାରଣ ଅଧିକାରୀ, ମାଲକାନାଗିରି, ପ୍ରଶାନ୍ତ କୁମାର ପାତ୍ର, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ମାଲକାନଗିରି, ନିରଞ୍ଜନ ହାଲଦାର୍, ଉପାଧ୍ୟାକ୍ଷ, ମାଲକାନଗିରି ବ୍ଲକ, ରାଜେନ୍ଦ୍ର କୁମାର କୁଲଦୀପ ଅବସରପ୍ରାପ୍ତ ସେକ୍ସନ ଅଫିସର, ବାଲିମେଳା ପ୍ରମୁଖ ଯୋଗ ଦାନ କରି ପାଣି ପଞ୍ଚାୟତ ପକ୍ଷ ପାଳନର ବିଶେଷତ୍ଵ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ସମସ୍ତ ଅତିଥିଗଣ ପାଣି ପଞ୍ଚାୟତର ସଭ୍ୟ ଓ ସଭ୍ୟା ମାନଙ୍କୁ ସୁଚାରୁ ରୂପେ ପାଣିର ସୁବଣ୍ଟନ କରିବା ସହିତ ଜଳବାୟୁ ପରିବର୍ତ୍ତନ ଅନୁସାରେ ଚାଷ କରିବା ପାଇଁ ଅନୁରୋଧ କରିଥଲେ।

ଏହି ସଭାରେ ବିବିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଲକାନଗିରି ଠାରେ ଅନୁଷ୍ଠିତ ହୋଇଥିବା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ମାଟିବନ୍ଧ ବିଭାଜନ କର୍ମଚାରୀଙ୍କ ଦ୍ଵାରା କୁନି କୁନି ପିଲାମାନଙ୍କ ମାଧ୍ୟମରେ ସ୍ବାଗତ ସଙ୍ଗୀତ, ପାଣି ପଞ୍ଚାଯତ ଗୀତ ଓ ଭଜନ ପରିବେଷଣ କରାଯାଇଥିଲା । ସଭାଟିକୁ ଶଙ୍କର ଦାସ ସଞ୍ଚାଳନ କରିଥିଲେ ଏବଂ ପରିଶେଷରେ ମାଟିବନ୍ଧ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ବେହେରା ଧନ୍ୟବାଦ ଅର୍ପଣ କରି ସଭାଟିକୁ ସମାପନ ଘୋଷଣା କରିଥିଲେ ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *