ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ
ବରଗଡ଼: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ଏକତା ଦିବସ ଅବସରରେ ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ଠାରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଦେଇ ଲେଙ୍ଗୁ ମିଶ୍ର ଛକ, ଅଗ୍ରସେନ ଛକ, ଭଟଲି ଛକ, ଗାନ୍ଧୀ ଛକ ଏବଂ ପ୍ରାଇଭେଟ ବସଷ୍ଟାଣ୍ଡରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି ।

ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଐତିହାସିକ ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ଼ ହଲଧର ନାଗ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲାଦ ସହାୟ ମିନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଉପଜିଲ୍ଲାପାଳ ବରଗଡ଼ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ, ପୋଲିସ ବାହିନୀ, ମାଇ ଭାରତ ଭଲିୟୁଣ୍ଟର, ଛାତ୍ରଛାତ୍ରୀ, ଜିଲ୍ଲାର ସମସ୍ତ ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ଏକତା ପାଇଁ ପଦଯାତ୍ରା କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ ।

ଜିଲ୍ଲା ପ୍ରଶାସନ ତଥା କ୍ରିଡା ଓ ଯୁବସେବା ବିଭାଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମାଇ ଭାରତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ମାନ୍ୟବର ସାଂସଦ ଶ୍ରୀ ପୁରୋହିତ ଆତ୍ମନିର୍ଭର ଭାରତ ଏବଂ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଜିଲ୍ଲାର ବିଶିଷ୍ଠ ବ୍ୟକ୍ତି ବିଶେଷ, ସନ୍ଥ କବିର ପୁରସ୍କାର ପ୍ରାପ୍ତ ବୁଣାକାର, କ୍ରୀଡାବିତ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲାଦ ଖୋସଲା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନ, ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକ ଏବଂ ମାଇ ଭାରତ ଜିଲ୍ଲା ୟୁଥ ଅଫିସର କମଲସା ଦେଓ ମିଳିତ ଭାବେ ସମସ୍ତ ଆୟୋଜନ କରିଥିଲେ ।
ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
