ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ନେଇ ସୁବର୍ଣ୍ଣପୁର ରେ ଏକଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ର ଏକ ଦିନିକିଆ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ଉପରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଆଗାମୀ ଗ୍ରୀଷ୍ମ ଦିନରେ ତାଙ୍କର ଦାୟିତ୍ୱ କଣ ଏବଂ ସେମାନେ କେମିତି ପ୍ରସ୍ତୁତ ଅଛନ୍ତି ତାହାର ସମୀକ୍ଷା କରାଯାଇଥିଲା ।ଏହି ବୈଠକରେ ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଉଷାରାଣୀ ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ବୀରମହାରାଜପୁର ସୁରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଜିଲ୍ଲାର ସମସ୍ତ ସମ୍ବନ୍ଧୀୟ ଅଧିକାରୀ ମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଜେଶ କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏହି କାର୍ଯକ୍ରମରେ ଗତ ଅକ୍ଟୋବର ମାସରେ ହୋଇଥିବା ବିପର୍ଯ୍ୟୟ ମୁକାବିଲା ଏବଂ ସେଥିପାଇଁ ପ୍ରସ୍ତୁତି ବିଷୟ ବସ୍ତୁ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ମୋଟ ୯ ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ଜିଲ୍ଲାପାଳ ଡ଼. ସାହୁ କହିଥିଲେ ଯେ ଜିଲ୍ଲାର ସମସ୍ତ ବିଭାଗ ସମନ୍ୱୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ଉଚିତ । ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କଲେ ଆମେ ଜିଲ୍ଲାରେ ଅନେକ ଲୋକଙ୍କୁ ସୁରକ୍ଷା ଦେଇପାରିବା ଓ ଅଂଶୁଘାତ ସଂଖ୍ୟା ହ୍ରାସ କରିପାରିବା । ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟରେ ପାଠପଢ଼ାର ସମୟରେ ପରିବର୍ତ୍ତନ କରାଯିବ । ସମସ୍ତ ସମ୍ବନ୍ଧିତ ବିଭାଗ ସବୁ ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି । ବିଶ୍ୱନାଥ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜରୁରୀକାଳୀନ ବିଭାଗ ବିସ୍ତାର ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ କେମିତି ଗ୍ରୀଷ୍ମ ପ୍ରବାହ ଦେଖାଯାଏ ଏବଂ ଗତ ବର୍ଷମାନଙ୍କରେ ଲୋକେ କେମିତି ପ୍ରଭାବିତ ହୋଇଥିଲେ ସେଥିଉପରେ ଆଲୋକପାତ କରିଥିଲେ । ଏପ୍ରିଲରୁ ଜୁନ ତଥା ଜୁଲାଇ ପର୍ଯ୍ୟନ୍ତ ସୁବର୍ଣ୍ଣପୁରରେ କେବଳ ତାପମାତ୍ରା ବଢ଼ି ନଥାଏ । ବାୟୁରେ ଆଦ୍ରତା ବଢ଼ିବା ଯୋଗୁ ଅଧିକ ଅସ୍ୱସ୍ଥ ଲାଗିଥାଏ ବୋଲି ସେ କହିଥିଲେ । ବର୍ତ୍ତମାନ ଜିଲ୍ଲାରେ ଗୋଟିଏ ତାପମାନ ଯନ୍ତ୍ର ରହିଛି, ହେଲେ ଆଗାମୀ ଦିନରେ ସରକାର ସବୁ ବ୍ଲକରେ ତାପମାନ ଯନ୍ତ୍ର ସ୍ଥାପନ କରିବା ପାଇଁ ଯୋଜନା ରଖାଯାଇଥିବା କଥା କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଏହା ଦ୍ୱାରା ଜିଲ୍ଲା ସଦର ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ତାପମାନର ତାରତମ୍ୟ ବିଷୟରେ ଜଣାପଡିବ । ପରିଶେଷରେ ପାନୀୟ ଜଳର ବ୍ୟବସ୍ଥା, ଗ୍ରୀଷ୍ମ ପ୍ରବାହ ସମୟରେ କେହି ଯେମିତି ବାହାରେ କାମ ନକରିବେ ସେଥିପାଇଁ ଜିଲ୍ଲା ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କୁ ଏହି ସମୟରେ ଯାନବାହନ ଚଳାଚଳ ଉପରେ ରୋକ ଲଗାଇବା ପାଇଁ କୁହାଯାଇଛି ଏବଂ ପ୍ରତ୍ୟେକ ବସରେ ଯେମିତି ORS ଓ ପାନୀୟ ଜଳ ରହିବ ତାର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଜିଲ୍ଲାପାଳ ପଶୁପକ୍ଷୀ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପାଣି କୁଣ୍ଡର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ କହିଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
