November 28, 2025
Home » ଜୟପୁର ଏୟାରପୋର୍ଟରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ଏପିଡି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ନିର୍ଯାତନା କରୁଥିବା ଅଭିଯୋଗ

ଜୟପୁର ଏୟାରପୋର୍ଟରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ଏପିଡି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ନିର୍ଯାତନା କରୁଥିବା ଅଭିଯୋଗ

0
WhatsApp Image 2025-02-17 at 1.55.51 PM

ଜୟପୁର ଏୟାରଷ୍ଟ୍ରିପ୍‌ର ନିର୍ଦ୍ଦେଶକ ଏବଂ ତାଙ୍କ ପତ୍ନୀ ଉକ୍ତ ବିମାନ ବନ୍ଦରରେ କାର୍ଯ୍ୟରତ (ଜଣେ ଅନୁସୂଚିତ ଜାତିର) ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ଏକ ଯୁବତୀଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ଏପରିକି ପୀଡ଼ିତ ଯୁବତୀଙ୍କୁ ଏୟାରଷ୍ଟ୍ରିପ୍‌ର ନିର୍ଦ୍ଦେଶକ ତାଙ୍କ ଘରେ କାମ କରାଇ ବିଭିନ୍ନ ସମୟରେ ଖରାପ ଭାଷାରେ ଓ ଜାତିକୁ ଆକ୍ଷେପ କରିବା ସହ ଗାଳିଗୁଲଜ କରି ଟଣାଓଟରା କରି ଅଶ୍ଳୀଳ ଇଙ୍ଗିତ କରିବା ସହ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖୁବାକୁ ବାଧ୍ୟ କରୁଥିବା ନେଇ ମଧ୍ୟ ପୀଡିତା କହିଛନ୍ତି । ନଚେତ୍ ଚାକିରିରୁ ବହିଷ୍କୃତ କରିବେ ବୋଲି ଧମକ ଦେଉଥିଲେ ନିର୍ଦ୍ଦେଶକ । ଉକ୍ତ ଘଟଣା ସମ୍ପର୍କରେ ଶୁକ୍ରବାର ଦିନ ମହିଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପିଡ଼ିତା ଯୁବତୀ । ନିର୍ଦ୍ଦେଶକ ଅବକାଶ ପରିଡ଼ା ଓ ତାଙ୍କ ପତ୍ନୀ ଟିନା ପରିଡ଼ାଙ୍କ ବିରୋଧରେ ଦଳିତ ମହିଳାଙ୍କୁ ଉପ୍‌ଡନା ସହ ଅନ୍ୟାନ୍ୟ ଦଫାରେ ମହିଳାଥାନାରେ ମାମଲା ସଂଖ୍ୟା ୧୭/୨୫ ଏକ କେସ ରୁଜୁ ହେବା ସହ ଉକ୍ତ ଘଟଣାକୁ ଡିଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଭାର ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ଜୁଡ଼ିଶିଏଲ୍ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ଗତବର୍ଷ ଫେବୃୟାରୀ ମାସରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ବାରା ରତ୍ନାକରଗୁଡା ଅଞ୍ଚଳର ୨୬ ବର୍ଷୀୟ ପୀଡିତା ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ ଜୟପୁର ବିମାନବନ୍ଦରରେ ନିଯୁକ୍ତି ପାଇଥିଲେ। କିନ୍ତୁ, ପରିଡ଼ା ନାମକ ଉକ୍ତ ଅଧିକାରୀ ଜଣକ ବିଭିନ୍ନ ସମୟରେ ଅତ୍ୟାଚାର କରିବା ସହ ବିଭାଗୀୟ ସମସ୍ତ କର୍ମଚାରୀଙ୍କୁ ଡାକି ଉକ୍ତ ଯୁବତୀକୁ ଚାକିରିରୁ କଢ଼ିଦେଇଥିଲେ । ତାପରେ ପୀଡ଼ିତ ଯୁବତୀ ଜଣକ ନିଜର ଭିନ୍ନକ୍ଷମ ପିତା ଓ ପରିବାର ଭୋରଣପୋଷଣ ସକାଶେ ଚାକିରି ନିହାତି ଆବଶ୍ୟକ ବୋଲି ବହୁତ ଅନୁରୋଧ କରିବା ପରେ ପୁଣି ଥରେ ଚାକିରିରେ ରଖି ପୂର୍ବ ଭଳି ନିର୍ଯାତନା ଓ ଅତ୍ୟାଚାର ଆରମ୍ଭ କରି ଦେଇଥିଲେ ଅଧିକାରୀ ବାବୁ ଜଣକ । ସହ୍ୟ କରିବାର ଅତିଷ୍ଟ ହେବା ପରେ ପୀଡିତ ଯୁବତୀ ଜଣକ ସମସ୍ତ ଘଟଣା ସମ୍ପର୍କରେ ଦଳିତ ସେନାର ମହିଳାଶାଖା ସଭାନେତ୍ରୀ ତଥା ଜାତୀୟ ମହିଳା ନେତ୍ରୀ ତପସ୍ବିନୀ ଟାକ୍ରୀ, ଅନାରକେଲି କୁଳଦୀପ ଓ ବାସୁ ନାୟକଙ୍କୁ ଜଣାଇବା ପରେ ଟାକ୍ରୀଙ୍କ ନେତୃତ୍ବରେ ମହିଳାଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ ପୀଡିତା । ଉକ୍ତ ଘଟଣା ନେଇ ଏକ ମାମଲା ରୁଜୁ କରି ଡିଏସପି ବିରଞ୍ଚି ନାରାୟଣ ଜଗତ ଉଭୟ ଅଭିଯୁକ୍ତ ଦମ୍ପତିଙ୍କୁ ଥାନାରେ ଅଟକ ରଖି ସମସ୍ତ ବିଷୟରେ ପଚରାଉଚରା କରିବା ପରେ ନୋଟିସ ଦେଇ ଛାଡିଥିଲେ । ଅପରପକ୍ଷରେ ଏପିଡି ଅବକାଶ ଗଣମାଧ୍ୟମକୁ ଏହା ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି । ଉକ୍ତ ଘଟଣା ନେଇ ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ପ୍ରକାଶ କରିଛନ୍ତି ଯେ ପାଡିତାଙ୍କ କୋର୍ଟରେ ବୟାନ ରେକର୍ଡ କରିବା ପରେ କୋର୍ଟର ଆଦେଶ କ୍ରମେ ଉଚିତ ପଦକ୍ଷେପ ନିଆଯିବ ।
ସେହିପରି ତପସ୍ବିନୀ ଟାକ୍ରୀ କହିଛନ୍ତି ଯେ ପୀଡିତା ଯୁବତୀକୁ ଚାକିରି ଦେବା ସହ ସମୂର୍ଣ୍ଣ ରୂପେ କମ୍ପେଞ୍ଜେସନ ଦେବା ସହ ଅଭିଯୁକ୍ତ ଦମ୍ପତିଁଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯାଇ ବୋଲି ଅନୁରୋଧ କରିଛନ୍ତି । ଉକ୍ତ ଘଟଣାରେ ପୋଲିସ ପୀଡ଼ିତା ଯୁବତୀ ସହ ଅଭିଯୁକ୍ତ ଦମ୍ପତିଙ୍କୁ ଘଟଣା ସ୍ଥଳକୁ ନେଇ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *