ଜୟ ଜଗନ୍ନାଥ ମହୋତ୍ସବ କଳସ ଶୋଭାଯାତ୍ରାରେ ଗାଁ ଦୁଲୁକିଲା : ଆସନ୍ତାକାଲି ଅଭିନେତ୍ରୀ ସୁର୍ଯ୍ୟମୟୀଙ୍କ ପାଇଁ ବଢୁଛି ଉତ୍କଣ୍ଠା

ଯାଜପୁର: ଭାବ ଓ ଭକ୍ତିର ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଜୟ ଜଗନ୍ନାଥ‘ ମହୋତ୍ସବ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଭୁବନପୁର ଗ୍ରାମରେ ରବିବାର ଆରମ୍ବ ହୋଇଛି। ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୂଙ୍କ ମନ୍ଦିର ପ୍ରତିଷ୍ଠା ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ
ହେଉଥିବା ଏହି ମହୋତ୍ସବ କଳସ ଶୋଭାଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି। ସକାଳ ୭ ଟାରେ ଆରମ୍ବ ହୋଇଥିବା କଳସ ଶୋଭାଯାତ୍ରାରେ ଢୋଲ ବାଜା ସାଙ୍ଗକୁ ଏହାସହ ବହୁ ସଂଖ୍ୟକ ଘଂଟବାଜାରେ ଗାଁ କମ୍ପିଥିଲା। ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ସୁନ୍ଦରଗଡର ଝୁମର, କଳାହାଣ୍ଡୀର ଘୁମୁରା ନାଚ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତଙ୍କ ମନ ମୋହିଥିଲା। ଆଲୋକ ରଂଜନ ବିଶ୍ୱାଳ କଳସ ବୁଡାଇବା ପରେ କଳସ ଶୋଭାଯାତ୍ରା ଆରମ୍ବ ହୋଇଥିଲା। କଳସ ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପ୍ରଦାନ ସହ ପାନୀୟ ଜଳ ପ୍ରଦାନ କରାଯାଇ ଥିଲା।
ଏଥିରେ ଖୋର୍ଦ୍ଦା ବରମୁଣ୍ଡା ସମେତ ବହୁ ସଂଖ୍ୟାରେ ସଂକୀର୍ତନ ଦଳ ସାମିଲ ହୋଇ ସଂକୀର୍ତନ କରିଥିଲେ। ଏହାସହ ମଂଚରେ ଗଡମେକର ତରଫରୁ ଗୀତିନାଟ୍ୟ , ଅଙ୍ଗରଙ୍ଗ ଅନୁଷ୍ଠାନ ତରଫରୁ ଓଡିଶୀ ନୃତ୍ୟ ଏବଂ ଶ୍ରୀରାମ ସ୍ୟାଡୋ ଥିଏଟର ତରଫରୁ ରାବଣ ଛାୟା ଅନୁଷ୍ଠିତ ହୋଇଛି। ଏହି
ମହୋତ୍ସବରେ ତିନିଦିନ ଧରି ପାଲା ମଧ୍ୟ ଅନୁଷ୍ଠିତ ହେଉଛି। ପାଲାଗାୟକ ଉଜ୍ଜ୍ୱଳ ବିଜୟ ଓଝାଙ୍କ ତରଫରୁ ପାଲା ପରିବେଷଣ କରାଯାଇଛି। ଏହି ମହୋତ୍ସବରେ ତିନିଦିନ ବ୍ୟାପୀ ସଦାସର୍ବଦା ମଂଚରେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତି ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସବୁ ସମୟରେ ପ୍ରସାଦ ସେବନ କରାଯାଇ ଥାଏ। ଏହାସହ ସର୍ବଦା ଯଜ୍ଞ ମଧ୍ୟ ଚାଲିଥାଏ। ଏହି ତିନୋଟି କାର୍ଯ୍ୟ ଏକକାଳୀନ ତିନିଦିନ ଧରି ଚାଲିବାର ବିରଳ ପରମ୍ପରା ଏଠାରେ କରାଯାଇ ଥାଏ। ଏଠାରେ ପୂଜା ପାଉଥିବା ମହାପ୍ରଭୂ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୂଙ୍କ ପ୍ରତି ଭକ୍ତ ମହାଲରେ ଅତୁଟ ଆସ୍ଥା ଓ ବିଶ୍ୱାସ ରହିଛି। ମହୋତ୍ସବରେ ପଲ୍ଲିଶ୍ରୀ ମେଳାରେ ଟେରାକୋଟା, ହସ୍ତତନ୍ତ, ଝୋଟ ଶିଳ୍ପ, କାଇଁଚ ଶିଳ୍ପ, ଟସର ବସ୍ତ୍ର, ହାତ ତିଆରି ବିଭିନ୍ନ ଘର କରଣା ସାମଗ୍ରୀ, ବଢି, ପାମ୍ପଡ, ଶୁଖିଲା ଖାଦ୍ୟ ଆଦି ଉପଲବ୍ଧ ହେଉଛି। ଆଜି ମହୋତ୍ସବରେ ଓଡିଶାର ପ୍ରମୁଖ ଉପସ୍ଥାପକ, ଅଭିନେତା ତଥା ଗୋପାଳ ଦାସ
ସ୍ମୃତି ସଂସଦର ପ୍ରତିଷ୍ଠାତା ସୁଶାନ୍ତ ପାଣିଙ୍କ ଓଡିଆ କଳା, ସଂସ୍କୃତିର ପ୍ରସାର ପାଇଁ ଜୀବନବ୍ୟାପୀ ସାଧନା ପାଇଁ ‘ଜୟ ଜଗନ୍ନାଥ‘ ସମ୍ମାନ ପ୍ରଦାନ କରାଯାଇଛି। ଆସନ୍ତା କାଲି ସୋମବାର ଦିନ ପୁରୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଓଡିଶୀ, ରାଜ୍ୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ସୂର୍ଯ୍ୟମୟୀ
ମହାପାତ୍ରଙ୍କ ଦ୍ୱାରା ନୃତ୍ୟ ସହ ଖୋର୍ଦ୍ଦାର ପାଇକ ଅଖଡା ଏବଂ ପାଲା ଅନୁଷ୍ଠିତ ହେବ ବୋଲି ଜୟ ଜଗନ୍ନାଥ ମହୋତ୍ସବ କମିଟି ତରଫରୁ ଜଣାଯାଇଛି।