December 22, 2024
Home » ଟିଟିଲାଗଡ ପୌରପାଳିକାରେ ବ୍ୟାପକ ଅନୀୟମିତତା : ଧିରେ ଧିରେ ଖୋଲୁଛି ଦୁର୍ନୀତିର ପେଡି..!

ଟିଟିଲାଗଡ ପୌରପାଳିକାରେ ବ୍ୟାପକ ଅନୀୟମିତତା : ଧିରେ ଧିରେ ଖୋଲୁଛି ଦୁର୍ନୀତିର ପେଡି..!

0

ଟିଟିଲାଗଡ: ରାଜ୍ୟବାସୀଙ୍କୁ ସହରୀ ସ୍ୱାଚ୍ଛନ୍ଦ ଯୋଗାଇ ଦେବାକୁ ସରକାର ଗ୍ରାମାଚଂଳ ଗୁଡିକୁ ସହରାଚଂଳ ଘୋଷଣା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପରି ଏକ ବ୍ୟବସାୟୀକ ପେଣ୍ଠ ସ୍ଥଳିକୁ ପ୍ରଥମେ ବିଜ୍ଞାପିତ ଅଚଂଳ ପରିଷଦ ଓ ଏବେ ଏହା ପୌରପରିଷଦକୁ ଉନ୍ନିତ ହୋଇଛି। ତେବେ ଯେଉଁ ଲକ୍ଷ୍ୟରେ ଏହି ଅଚଂଳକୁ ସହରାଚଂଳ ଭାବେ ଘୋଷଣା କରାଯାଇଥିଲା ଫଳତଃ କାର୍ଯ୍ୟଧାରାରେ ଓଲଟା ଦେଖିବାକୁ ମିଳିଛି। ଏକଦା ମନ୍ତ୍ରୀଙ୍କ ଇଙ୍ଗିତରେ ପୌରପରିଷଦ ଶାସନ ଚାଲୁଥିବା ଯୋଗୁଁ ଏଭଳି ଅବବ୍ୟସ୍ଥା ଓ ଦୁର୍ନୀତିର ମୂଳକାରଣ ବୋଲି ସାଧାରଣରେ ଅଭିଯୋଗ ହୋଇଛି। କଥାରେ ଅଛି ‘ ଶାଶୁର ଓଳିଏ କୁ ବୋହୂର ପାଳିଏ’ ଗତ ୨୪ ବର୍ଷର ବିଜେଡି ଶାସନର ଅନ୍ତଘଟିବା ପରେ ପୌରପରିଷଦ ଶାସକ ଦଳ ନିୟନ୍ତ୍ରଣକୁ ଆସିଛି।

କାରଣ ଏହି ପୌରପରିଷଦରେ ସିଧାସଳଖ ନିର୍ବାଚିତ ହୋଇଥିବା ବିଜେପିର ସମର୍ଥିତ ପ୍ରାର୍ଥୀନି ଶ୍ରୀମତୀ ମମତା ଜୈନ ଅଧ୍ୟକ୍ଷା ଓ ୫ ଜଣ ଦଳୀୟ କାଉନ୍‌ସିଲର ନିର୍ବାଚିତ ହୋଇଥିଲେ। ଚେୟାରମ୍ୟାନ୍ ପଦବୀ ବିଜେପିର ହୋଇଥିଲେ ମଧ୍ୟ ବିଜେଡି ର ଦଶଜଣ କାଉନ୍‌ସିଲର ନିର୍ବାଚିତ ହୋଇଥିବାବେଳେ ଯେହେତୁ ସ୍ଥାନୀୟ ବିଜେଡି ବିଧାୟକ ଟୁକୁନି ସାହୁ ମନ୍ତ୍ରୀ ହୋଇଥିବାରୁ ଅଧ୍ୟକ୍ଷାଙ୍କୁ ଗୌଣ କରାଯାଇ ତାଙ୍କ ଇଙ୍ଗିତରେ ଏହି ପୌରପରିଷଦ ଚାଲୁଥିବା କୁହାଯାଉଛି। ଏପରିକି ଦଳୀୟ ବାଛବିଚାର ଚରମ ସିମାରେ ପହଚିଂ ଥିଲା। ପୌରାଧ୍ୟକ୍ଷା ବିଜେପି ର ହୋଇଥିବାରୁ ବିଭିନ୍ନ ସଭା ସମିତି, ବୈଠକ ଓ ବହୁ ନିଷ୍ପତିରେ ତାଙ୍କ ମତକୁ ଉପେକ୍ଷା କରାଯାଇ ମନ୍ତ୍ରୀଙ୍କ ମନମାନିରେ ଉପାଧ୍ୟକ୍ଷଙ୍କୁ ନେଇ ସବୁ କିଛି ନିଷ୍ପତି ହୋଇଥିବା ପ୍ରକାଶ। ଏପରି ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଏଠାରେ ଜଣେ ନିୟମିତ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀଙ୍କ ବଦଳରେ ଅଣ ଓଏଏସ୍ ଙ୍କୁ ଦାୟୀତ୍ୱରେ ରଖାଯାଇ ବହୁ ବେନିୟମ କାର୍ଯ୍ୟ କରାଯାଉଥିବାର ଅଭିଯୋଗ ହେଉଛି। ଏହି ପୌରପରିଷଦରେ ଗତ ୨୦୧୪ ଠାରୁ ୨୦୨୪ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ଅନିୟମିତତା ନେଇ ବିଭିନ୍ନ ସ୍ତରରେ ଆଲୋଚନା ହେଲାଣି।

ଏଠାରେ ଉଲ୍ଲେଖନୀୟ ଯେ, ଗତ କରୋନା ସମୟରେ ଯଦିଓ ସୌମେଶ ଉପାଧ୍ୟାୟ ନାମକ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଏଠାକୁ ଆସିଥିଲେ ତାଙ୍କୁ ମଧ୍ୟ ପ୍ରଭାବ ପକାଇ ବିଦା କରିଦିଆଯାଇଥିଲା। କାରଣ ସହର ମଧ୍ୟରେ ଥିବା ବିଭିନ୍ନ ବ୍ୟାଙ୍କ ଗୁଡିକର ନିଜସ୍ୱ ପାର୍କିଂ ବ୍ୟବସ୍ଥା ନଥିବାରୁ ସେଠାକୁ ଯାଉଥିବା ଲୋକଙ୍କ ଗହଳି ଓ ଯାନବାହାନ ସର୍ବସାଧାରଣ ସ୍ଥାନକୁ ଅବରୋଧ କରିଥିଲା। ଏ ନେଇ ସମ୍ପୃକ୍ତ ଅଧିକାରୀ ବ୍ୟାଙ୍କ କର୍ତୃପକ୍ଷଙ୍କୁ ନିଜସ୍ୱ ପାର୍କିଂ ବ୍ୟବସ୍ଥା କରିବାକୁ ତାଗିଦ୍ କରିଥିଲେ। ସେହିପରି ସହରର ପ୍ରମୁଖ ଆକର୍ଷଣୀୟ ମହାରାଜା ସାଗର ଓ ଦେଓବନ୍ଧର ପୁନଃରୁଦ୍ଧାର ସହ ରିଂ ରୋଡ୍ ପରି ଓ ପାର୍କ ବ୍ୟବସ୍ଥା କରିବାକୁ ନଗର ଉନ୍ନୟନ ବିଭାଗ ୫ କୋଟି ୭୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ମଞ୍ଜୁରୀ ଦେଇଥିଲେ। ଏହି ପ୍ରକଳ୍ପ ମଧ୍ୟ ଅଧାପନ୍ତରିଆ ହେବା ସହିତ ଅର୍ଥ ହେରଫେର ନେଇ ଗୁରୁତର ଅଭିଯୋଗ ହୋଇଛି। ପ୍ରକଳ୍ପ ଟି ଆବଶ୍ୟକୀୟ ଖନନ ପରିବର୍ତେ ସେଥିରୁ ବାହାରିଥିବା ମାଟି ପୂର୍ବରୁ ଥିବା ଗୌରୀବନ୍ଧରେ ପକାଯାଇଥିଲା। ଯାହାକି ଗୋଟିଏ ପୋଖରୀ ଖୋଳି ଅନ୍ୟ ଏକ ପୋଖରୀ ପୋତିବା ସଦୃଶ ବୋଲି କୁହାଯାଉଛି।
ସେହିପରି ଆଇନକୁ କିଭଳି ଏହି ପୌରପରିଷଦରେ ମୋଡିମକଚି ଦିଆଯାଇଛି ଦେଖିବାକୁ ମିିଳୁଛି। ଆଇନତଃ କୌଣସି ସମ୍ପତିର କିସମ ପରିବର୍ତନ କରିବା ମ୍ୟୁନିସ୍‌ପାଲଟି ବା ଟାଉନ ପ୍ଲାନିଂର ପରିସର ଭୁକ୍ତ ନୁହେଁ କିନ୍ତୁ ରାସ୍ତା ଉପରେ ଅବସ୍ଥିତ ଏକ ଘରବାରୀ କିସମ କୁ ବ୍ୟବସାୟୀକ ପ୍ରତିଷ୍ଠାନ (ମଲ୍ ) ଭାବେ ଅନୁମତି ଦିଆଯାଇଛି। ଏଥିପାଇଁ ୨୨ ଲକ୍ଷ ଟଙ୍କା ମଧ୍ୟ ନିଆଯାଇଛି। ଏହି ଉଦ୍ଦିଷ୍ଟ ମଲ୍ ନିଜସ୍ୱ ପାର୍କିଂ ସ୍ଥଳି ନଥିବାବେଳେ ବ୍ୟବସାୟ ପ୍ରତିଷ୍ଠାନକୁ ବିଦ୍ୟୁତ୍ ସଂଯୋଗ ପାଇଁ ଟ୍ରାନ୍ସଫରମର ଟି ମଧ୍ୟ ସରକାରୀ ଜାଗାରେ ବସା ଯାଇଛି। ରାସ୍ତା ଅବରୋଧ ପାଇଁ ନଗରଉନ୍ନୟନ ବିଭାଗ ଛୋଟ ଛୋଟ ଦୋକାନ ଉଚ୍ଛେଦ ଓ ବେଆଇନ୍ ପାର୍କିଂ ପାଇଁ ଜୋରୀମାନା ଆଦାୟ କରୁଥିବାବେଳେ ରାଜସ୍ୱ ଓ ଉପଜିଲ୍ଳାପାଳଙ୍କ ସମେତ ଅଗ୍ନିଶମ ବିଭାଗର ଅନୁମତି ନଥାଇ କିଭଳି ଏହା ସମ୍ଭବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇତି ମଧ୍ୟରେ ବିଜେଡି ପରିବର୍ତେ ବିଜେପି ସରକାର ଶାସନ କ୍ଷମତାକୁ ଆସିଛି। ଗତ ୨୪ ବର୍ଷର ସରକାରରେ ରାଜ୍ୟସାରା କିଭଳି ଆଖିବୁଜା ଦୁର୍ନୀତି ହୋଇଥିଲା ତାହା ଧିରେ ଧିରେ ଲୋକଲୋଚନକୁ ଆସିବାରେ ଲାଗିଛି। ଟିଟିଲାଗଡର ପୌରପରିଷଦର ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବିଜେପିର ଟାଣୁଆ ନେତା ଶ୍ରୀ ନବୀନ ଜୈନ ନୂତନ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସହରବାସୀଙ୍କୁ ସେବା ଦେବା ଆଳରେ ଯେଭଳି ଆଖିବୁଜା ଦୁର୍ନୀତି କରାଯାଇଛି ତାହାର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣ ଲୋକେ ଆଶା କରନ୍ତି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପୌରପରିଷଦରେ ଗତ ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମର ସ୍ୱତନ୍ତ୍ର ଅଡିଟ୍ କରାଗଲେ ଆହୁରି ବହୁ ଦୁର୍ନୀତି ର ଗୁମର ଖୋଲିବ ବୋଲି ସାଧାରଣରେ ଦାବୀ ହୋଇଛି।

ଟିଟିଲାଗଡ ଇପିଏ ରୁ ସନ୍ତୋଷ କେଜରିୱାଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed