ଦଳିତଙ୍କ ଜମିରେ ବିଏମ୍ସିର ରାସ୍ତା ନିର୍ମାଣ: ବିରୋଧ କରିବାରୁ ଆକ୍ରମଣ ଓ ନିର୍ଯ୍ୟାତନା ଅଭିଯୋଗ

ପ୍ରତିବାଦରେ ୨୯ରେ ମୁଖ୍ୟାଳୟକୁ ଘେରାଉ ଓ ଆନ୍ଦୋଳନ
ଭୁବନେଶ୍ୱର: ସ୍ୱାଧୀନତାର ୭୬ ବର୍ଷ ପରେ ବି ଦୁର୍ବଳ ଉପରେ ଏବେ ବି ସବଳର ଆକ୍ରମଣ ଚାଲିଛି। ଆଇନରେ ଦୁର୍ବଳ ବର୍ଗଙ୍କ ସ୍ୱାର୍ଥ ରକ୍ଷାରେ ଆଇନରେ ବ୍ୟାପକ ବ୍ୟବସ୍ଥା ଥିଲେ ହେଁ ବାସ୍ତବ କ୍ଷେତ୍ରରେ ତାହା ଓଲଟା ହେଉଛି। କେଉଁ ଗାଁ ଗଣ୍ଡା ଅଥବା ଅପନ୍ତରା ଇଲାକା ନୁହେଁ ଖୋଦ୍ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଦଳିତଙ୍କ ଅଧିକାରକୁ କେତେକ କ୍ଷୂର୍ଣ୍ଣ କରୁଥିବା ନେଇ ଅଭିଯୋଗ ହେଉଛି। ଖବରରୁ ପ୍ରକାଶ ଯେ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୪୩ ନଂମ୍ବର ୱାର୍ଡ ଲକ୍ଷ୍ମୀସାଗର ସଟୁଡିଓଲେନ୍ ପାନବରଜ ସାହିରେ ଜାପାନି ସେଠ ନାମକ ଅନୁସୂଚିତ ଜାତି ବର୍ଗ ବ୍ୟକ୍ତିଙ୍କ ଏକ ସ୍ଥିତିବାନ ସମ୍ପତ୍ତି ରହିଛି। ତେବେ ସେହି ସମ୍ପତ୍ତି ଉପରେ ବିଏମ୍ସି ପକ୍ଷରୁ ଜନୈକ ଠିକାଦାର ସମେତ କେତେକ ଲୋକେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରିଛନ୍ତି।
ତେବେ ଏହାକୁ ବିରୋଧ କରିବାରୁ ସେ ଆକ୍ରମଣ ଓ ନିର୍ଯ୍ୟାତନାର ଶିକାର ହୋଇଥିବା ନେଇ ସ୍ଥାନୀୟ ଲକ୍ଷ୍ମୀସାଗର ଥାନାରେ ପ୍ରଥମେ ଗତ ମାର୍ଚ୍ଚ ୨୩ ତାରିଖରେ ଅଭିଯୋଗ କରିଥିଲେ। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁନର୍ବାର ସଂପୃକ୍ତ ପରିବାର ଆକ୍ରମଣର ଶିକାର ହେବା ପରେ ଜୁନ୍ ୧୩ ତାରିଖରେ ଦ୍ୱିତୀୟ ଏତଲା କରିଥିଲେ। ପୋଲିସ ଏ ସମ୍ପର୍କରେ ୩୧୪/୨୨୫ ମାମଲା ରୁଜୁ କରି ଚୁପ୍ ବସିଥିବାରୁ ଏତଲାକାରୀ ପୋଲିସ କମିଶନରଙ୍କୁ ଅବଗତ କରାଇଥିଲେ ମଧ୍ୟ ନ୍ୟାୟ ମିଳିପାରିନାହିଁ। ପୋଲିସ ନିର୍ଯ୍ୟାତିତ ପରିବାରକୁ ନ୍ୟାୟ ଦେଉନଥିବାରୁ ଏହାର ପ୍ରତିବାଦରେ ଜାତୀୟ ଦଳିତ ଆଦିବାସୀ (ଏନ୍ସିଡିଏଓଆର) ପକ୍ଷରୁ ଆସନ୍ତା ୨୯ ତାରିଖରେ ବିଏମ୍ସି ମୁଖ୍ୟାଳୟ କୁ ଘେରାଉ କରିବାକୁ ଚେତାବନୀ ଦେଇଛି। ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ଲିଟୁ ଦାସ, ସଂପାଦକ ଜଗନ୍ନାଥ ଭୋଇ, ଖୋର୍ଦ୍ଧା ଜିଲ୍ଳା ସଭାପତି ଅଶୋକ କୁମାର ଭୋଇ, ମହିଳା ସଂପାଦିକା ଟିକିନା ପରିଡା, ଦିପକ ସାମଲ, ଜୟଦେବ ମଣ୍ଡଳ ସଭାପତି ବିଜୟ ଭୋଇ, ଯୁବ ସଭାପତି ବିଶ୍ୱଜିତ୍ ସେଠି, ବିବନ ସାମଲ ଓ ଜମି ହରାଇଥିବା ଜାପନୀ ସେଠ ପ୍ରମୁ୍ଖ ତୁରନ୍ତ ପ୍ରଶାସନ ନ୍ୟାୟ ପ୍ରଦାନ କରିବାକୁ ଚେତାବନୀ ଦେଇଛନ୍ତି।