April 13, 2026
Home » ଦୀର୍ଘ ୪୬ ବର୍ଷ ଅପେକ୍ଷାର ଘଟିଲା ଅନ୍ତ : ଶ୍ରୀ ରୁଦ୍ରନାଥ ଙ୍କ ଦର୍ଶନ ପାଇଁ ଫିଟିଲା ବାଟ

ଦୀର୍ଘ ୪୬ ବର୍ଷ ଅପେକ୍ଷାର ଘଟିଲା ଅନ୍ତ : ଶ୍ରୀ ରୁଦ୍ରନାଥ ଙ୍କ ଦର୍ଶନ ପାଇଁ ଫିଟିଲା ବାଟ

0
WhatsApp Image 2026-04-11 at 12.01.11 PM

ସୁବର୍ଣ୍ଣପୁର —-ସୋନପୁର ହେଉଛି ଦ୍ଵିତୀୟ ବାରଣାସୀ ତଥା ଓଡ଼ିଶା ର ଦ୍ଵିତୀୟ ମନ୍ଦିର ମାଳିନୀ ସହର ଭାବେ ଜଣାଶୁଣା। ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁ, ଅଷ୍ଟଚଣ୍ଡୀ ଙ୍କୁ ନେଇ ସୁବର୍ଣ୍ଣପୁର ସହରର ପରିଚୟ । କିନ୍ତୁ ଦୀର୍ଘ ୪୬ ବର୍ଷ ଧରି ବେସରକାରୀ ମାଲିକାନାରେ ବାଡ ଭିତରେ ରହି ଅପୂଜା ଥିବା ପ୍ରଭୁ ରୁଦ୍ରନାଥଙ୍କ ମନ୍ଦିରକୁ ଆଜି ପର୍ଯ୍ୟନ୍ତ ବାଟ ନ ଥିଲା । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ, ସିନେମା ହଲ୍ ମାଲିକ, ସହରର କିଛି ଭକ୍ତ ଶ୍ରଦ୍ଧାଳୁ, ସାମ୍ୱାଦିକଙ୍କ ମିଳିତ ସହଯୋଗରେ ଖୋଦ୍ ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଉଭୟ ଏଡିଏମ୍ ରାଜେନ୍ଦ୍ର ମାଝୀ ଓ ଅଞଳିନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ, ପୌର ପରିଷଦ ଅଧିକାରୀ ୠଷି ମାଝୀଙ୍କ ଉପସ୍ଥିତରେ ଅଷ୍ଟ ଶମ୍ଭୁ ମହାପ୍ରଭୁ ମଧ୍ୟରେ ଥିବା ଶ୍ରୀ ରୁଦ୍ରନାଥ ମହାପ୍ରଭୁଙ୍କ ମନ୍ଦିର ପରିସର ସଫା କରାଯାଇ ବାଟ ଫିଟିଛି। ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ଜମି ମାଲିକ ହୃଦାନନ୍ଦ ମେହେର, ଜୟରାମ ମେହେର, ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ସ୍ଥାନୀୟ ଅଞ୍ଚଳର ଦୀପକ ମହାପାତ୍ର, ମହେଶ ପୂଜାହାରି ପ୍ରମୁଖ ଉପସ୍ଥିତ ଥିଲେ।

ସ୍ମରଣ ଯୋଗ୍ୟ ଯେ ଅନେକ ବର୍ଷରୁ ଏଭଳି ଅଚଳାବସ୍ଥା ଯୋଗୁଁ ପ୍ରଭୁ ରୁଦ୍ରନାଥଙ୍କୁ କେହି ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ ପାଉ ନଥିଲେ। ଏ ସଂପର୍କରେ ଆଗରୁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଉଥିଲା ବେଳେ ଏବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ସହ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଦୀପକ ମହାପାତ୍ର, ମହେଶ ପୁଜାହାରୀ ଓ କାମପାଲ ବାଗ ଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ସଚେତନ ବ୍ୟକ୍ତି ଅଭିଯୋଗ କରିବାପରେ ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ ଗ୍ରହଣ ଯୋଗୁଁ ଏବେ ଏହା ସମ୍ଭବ ହୋଇପାରିଥିବା ଜଣାଯାଇଛି।ଏ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଥିଲେ ପ୍ରଭୁଙ୍କ ଇଛା ପରେ ଆଜି ମନ୍ଦିରର ବାଟ ଫିଟିଛି । ଏହି ଜାଗା ମାଲିକଙ୍କୁ ବୁଝାଇଥିଲୁ ସେମାନେ ବାପା ପୁଅ ସ୍ୱଇଚ୍ଛାରେ ଆଜି ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚି ମନ୍ଦିର ବାଟ ଫିଟାଇବାକୁ ଯେତେ ଜମି ଦରକାର ଯୋଗାଇ ଦେବାକୁ ରାଜି ହେବା ବିଷୟ ଓ ଭକ୍ତ ଶ୍ରଦ୍ଧାଳୁ ବହୁତ୍ ଖୁସି ଅଛନ୍ତି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଦେବୋତ୍ତର ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମନ୍ଦିର ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ହେବ । ପ୍ରଭୁ ପୂଜା ପାଇବେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ଜିଲ୍ଲାପାଳ ଡ଼. ସାହୁ ମତ ରଖିଥିଲେ । ମନ୍ଦିର ଖୋଲିବା ଓ ବାଟ ଫିଟାଇବା ନେଇ ପୌର ପରିଷଦ ଓ ଅଗ୍ନିଶମ ବାହିନୀ ପହଞ୍ଚି ଏଠାକାର ଅନାବନା ଗଛ ଅଳିଆ ଆବର୍ଜନା ସବୁକୁ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ ଅଭିଯାନ ଜାରି ରଖିଛନ୍ତି ବୋଲି ଦେବୋତ୍ତର ବିଭାଗ ଅଧିକାରୀ ତଥା ସୋନପୁର ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ ପ୍ରକାଶ କରିଛନ୍ତି । ଆଜିର ଏହି ଐତିହାସିକ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ବିଶେଷ କରି ବେସରକାରୀ ଜାଗାରେ ଆବଦ୍ଧ ହୋଇ ରହିଥିବା ଜମି ମାଲିକଙ୍କୁ ବୁଦ୍ଧିଜୀବି କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଭୁଙ୍କୁ ପ୍ରତ୍ୟହ ଦର୍ଶନ କରିବା ସୁଯୋଗ ମିଳିବ ବୋଲି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସହରରେ ଖୁସିର ମାହୋଲ ଖେଳିଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *