ଦୁଇ ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ
ସୁବର୍ଣ୍ଣପୁର: ମଙ୍ଗଳବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର–ମୁର୍ଷୁଣ୍ଢି ରାସ୍ତାର ହିଲୁଙ୍ଗ ଛକ ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନା ମତେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାତଟା’ ସମୟରେ ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତକ ବଡ଼ମାଳ ଗ୍ରାମର ଅଗସ୍ତି ଭୋଇ ବୋଲି ଜଣାପଡିଛି । ସେ ତାଙ୍କ ଶ୍ବଶୁର ଘର ହିଲୁଙ୍ଗ ଗ୍ରାମରୁ ଫେରୁଥିବା ସମୟରେ ଉକ୍ତ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ୩ ଜଣ ଗୁରୁତର ଆହତଙ୍କୁ ପ୍ରଥମେ ବୀରମହାରାଜପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ଗୁରୁତର ଥିବା ହିଲୁଙ୍ଗ ଗାଁର ଭଗବାନ ସେଠୀଙ୍କ ଚିକିତ୍ସା ପାଇଁ ନେବା ବାଟରେ ମୃତ୍ୟୁ ଘଟିଥିଲା । ସେହିଭଳି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବଙ୍କିଆ ଗାଁର ରିଙ୍କୁ ଭୋଇଙ୍କ ମୃତ୍ୟୁ ଘଟିଥିଲା । ବଙ୍କିଆ ଗାଁର ଅନ୍ୟ ଜଣେ ଯୁବକ ଶିବ ଜଗଦଲା ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି । ଦ୍ରୁତ ଗତି କାରଣରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାର ଅନୁସନ୍ଧାନ କରୁଛି । ସେହିପରି ଅନ୍ୟ ଏକ ଘଟଣାରେ ପାଇଁପୁର ଓ ମୁର୍ଷୁଣ୍ଢୀ ରାସ୍ତାର ବୁଲାଣି ଠାରେ ବାଇକ ଦୁର୍ଘଟଣା ଘଟି ସୁବଳୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଚୁପକାଦାଦାର ଗାଁର ସୁଶାନ୍ତ ପଧାନ (୩୪)ଙ୍କ ମୃତ୍ୟୁ ଘଟିଥିଲା । ସେ ଗ୍ରାମର କେଶବ ପଧାନଙ୍କ ସାନ ପୁଅ ବୋଲି ଜଣାଯାଇଛି । ମୃତ ସୁଶାନ୍ତ ନିଜ ମାମୁଁଙ୍କ ସହ କୌଣସି କାର୍ଯ୍ୟରେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଏ ନେଇ ସୁବଳୟା ଥାନାରେ ଏକ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
