ଧର୍ମଗଡ଼ ର ବରିଷ୍ଠ ଆଇନଜୀବି ତଥା ଶିକ୍ଷାନୁରାଗୀ ପ୍ରେମଲାଲ ପ୍ରଧାନ ଙ୍କ ପରଲୋକ
ଧର୍ମଗଡ ଅଞ୍ଚଳର ବରିଷ୍ଠ ଆଇନଜୀବି ତଥା ଶିକ୍ଷାନୁରାଗୀ ପ୍ରେମଲାଲ ପ୍ରଧାନ ଙ୍କର ୯୦ ବର୍ଷ ବୟସରେ ତାଙ୍କ ଧର୍ମଗଡ଼ ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ କିଛି ବର୍ଷ ହେଲା ଘରେ ରହି ଚିକିତ୍ସିତ ହେଉଥିଲେ।ସେ ଧର୍ମଗଡ ହାଇସ୍କୁଲ ରେ ଶିକ୍ଷକ ରୂପେ ଚାକିରୀ ଆରମ୍ଭ କରି ପରେ ପରେ ଆଇନଜୀବୀ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏହା ସହ ସେ ଧର୍ମଗଡ଼ ହାଇସ୍କୁଲ ପରିଚାଳନା ସମିତିର ସଂପାଦକ ମଧ୍ୟ ରହିଥିଲେ।ଧର୍ମଗଡ଼ ରେ କଲେଜ ସ୍ଥାପନ ପାଇଁ ତାଙ୍କର ବିଶେଷ ଅବଦାନ ଥିଲା। ଧର୍ମଗଡ଼ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ତାଙ୍କର ବ୍ୟକ୍ତିଗତ ଆଗ୍ରହ ଥିଲା।ଜଣେ ସ୍ପଷ୍ଟବାଦୀ, ଅମାୟିକ ବ୍ୟକ୍ତିତ୍ଵ, ଶିକ୍ଷାନୁରାଗୀ ଓ ଆଇନଜୀବୀ ରୂପେ ଅଞ୍ଚଳରେ ସେ ନିଜସ୍ଵ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ରାଜନୈତିକ ରୁଚି ରଖି ସେ ଥରେ କଳାହାଣ୍ଡି ଲୋକସଭା ଆସନ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ କଳାହାଣ୍ଡି ମହାରାଜ ପ୍ରତାପ କିଶୋର ଦେଓ ଙ୍କ ସହ ନିର୍ବାଚନ ଲଢ଼ିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ ବେଣୁଲାଲ ପ୍ରଧାନ, କହ୍ନେଇ ପ୍ରଧାନ ଓ ଶିବୁ ପ୍ରଧାନ, ପୁତ୍ର ବଧୂ, ଝିଅ ଜ୍ୱାଇଁ, ନାତି ନାତୁଣୀ ତଥା ଅନ୍ୟାନ୍ୟ ପରିବାର ର ସଦସ୍ୟ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ।ବରିଷ୍ଠ ଶିକ୍ଷାବିତ ଓ ସାହିତ୍ୟିକ ଶ୍ରୀ ପ୍ରତାପ କିଶୋର ମୁଣ୍ଡ,ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଶିକ୍ଷାବିତ ସତ୍ୟ ପଟ୍ଟନାୟକ, ଆଚାର୍ଯ୍ୟ ହୃଷିକେଶ ମିଶ୍ର,ଆଇନଜୀବୀ, ଚିନ୍ତାମଣି ପାତ୍ର, ଚନ୍ଦ୍ରଶେଖର ପଟ୍ଟଯୋଶୀ,ତୁଷାର ରଞ୍ଜନ ପଟ୍ଟଯୋଶୀ, ଓକିଲ ସଂଘ ସଭାପତି କୃପାସିନ୍ଧୁ ପଣ୍ଡା,ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ପୁର୍ବତନ ସରକାରୀ ଓକିଲ ରାଜେନ୍ଦ୍ର ମୁନି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ,ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।ତାଙ୍କର ପୈତୃକ ଗ୍ରାମ କେସିଙ୍ଗା ବ୍ଲକ ଉତ୍କେଲା ନିକଟସ୍ଥ କଣ୍ଟାମାଳ ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି l
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
