ନାବାଳିକା ଅପହରଣ ହୋଇଯିବା ଘଟଣାର ପର୍ଦ୍ଦାଫାସ

ଗତ ମାସରେ ତାଳବଣିଆରେ ଅନୁଷ୍ଠିତ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍ସବରୁ ଜଣେ ନାବାଳିକା ଅପହରଣ ହୋଇଯିବା ଘଟଣାର ପର୍ଦ୍ଦାଫାସ ହୋଇଛି। ନାବାଳିକା ଅପହରଣ ଘଟଣାରେ ପୁଲିସ ତଦନ୍ତରେ ମୋବାଇଲ ଟ୍ରାକିଂ କରିବାରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଧରାପଡ଼ିଛି। ଏହି ସେକ୍ସ ରାକେଟ୍ରେ ପୀଡ଼ିତା ଦୁଇ ଭଉଣୀ ରହିଥିବା ବେଳେ ସେମାନଙ୍କ ମା’ ସହିତ ବ୍ରହ୍ମଗିରିର ଜଣେ ମହିଳା ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି ।ତେଣୁ ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୦ ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତମାସ ୧୨ ତାରିଖ ଦିନ ତାଳବଣିଆ ପଡ଼ିଆରେ ଚାଲିଥିବା ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍ସବରୁ ଜଣେ ନାବାଳିକା ଅପହରଣ ହୋଇଯାଇଥିବା ନେଇ ତାଙ୍କ ମା’ ଅଭିଯୋଗ କରିଥିଲେ ।ଏହି ଅଭିଯୋଗକୁ ଭିତ୍ତି କରି ଯଦିଓ ତାଳବଣିଆ ଥାନାରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରିଥିଲା । ତାଳବଣିଆ ଥାନା ଅଧିକାରୀ ଗୀତାଞ୍ଜଳି ନାୟକ ଏହି ଘଟଣାରେ ଅପହୃତା ନାବାଳିକାଙ୍କ ମୋବାଇଲକୁ ଟ୍ରାକିଂ କରିବାରେ ସେ ଜଟଣୀରେ ଥିବା ଜଣାପଡ଼ିଥିଲା ।ତେଣୁ ପୁଲିସ ସେଠାରେ ଚଢ଼ଉ କରି ଉକ୍ତ ୧୬ ବର୍ଷ ବୟସ୍କା ନାବାଳିକାକୁ ଉଦ୍ଧାର କରିବା ସହ କାହ୍ନା ନାମକ ଯୁବକକୁ ପୁଲିସ ଧରିଥିଲା । ଏହି ଘଟଣାରେ ଉଭୟଙ୍କୁ ପଚରାଉଚରା କରିବାରେ ଘଟଣାର ପ୍ରଚ୍ଛଦପଟ୍ଟରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଥିଲା।
ତେଣୁ ପୁଲିସ ନାବାଳିକାଙ୍କ ବୟାନକୁ ଆଧାର କରି ବ୍ରହ୍ମଗିରି ଅଞ୍ଚଳର ରଞ୍ଜୁଲତା ସାହୁକୁ ଧରିଥିଲା ।ସେହିପରି ଦୁଇ ଭଉଣୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିବା ରଞ୍ଜୁଲତା ଠାରୁ ଅନେକ ତଥ୍ୟ ପୁଲିସ ସଂଗ୍ରହ କରି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ପ୍ରାୟ ୧୦ ଜଣ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି। ଜଟଣୀରୁ ଉଦ୍ଧାର ହୋଇଥିବା ନାବାଳିକା ଓ ତାଙ୍କ ୧୩ ବର୍ଷୀୟା ନାବାଳିକା ଭଉଣୀକୁ ମଧ୍ୟ ରଞ୍ଜୁଲତା ଦେହ ବ୍ୟବସାୟରେ ଲଗାଇ ବହୁ ଅର୍ଥ ରୋଜଗାର କରୁଥିବା ଜଣାପଡ଼ିଥିଲା।ତଦନ୍ତ ପରେ ଜଣାପଡ଼ିଛି ଯେ ସୋନପୁର ଅଞ୍ଚଳର ଗରୀବ ଶ୍ରେଣୀର ଏହି ନାବାଳିକାଙ୍କ ବାପା ପୁରୀ ବ୍ରହ୍ମଗିରି ଅଞ୍ଚଳରେ କାମଧନ୍ଦା କରୁଥିଲେ। ଏହି ସମୟରେ ତାଙ୍କର ରଞ୍ଜୁଲତା ସାହୁଙ୍କ ସହିତ ପରିଚୟ ହୋଇଥିଲା ।ଏହି ପରିଚୟ ହେବାରୁ ସେ ନିଜ ୧୨ ବର୍ଷର ବଡ଼ଝିଅକୁ ଆଣି ରଞ୍ଜୁଲତା ପାଖରେ ରଖିଥିଲେ। ମାତ୍ର ବଡ଼ଝିଅ ୧୬ ବର୍ଷର ହେବା ପରେ ରଞ୍ଜୁଲତା ତାଙ୍କୁ ଆଣି ପୁରୀରେ ଥିବା କେତେକ ଲଜ୍ରେ ରଖି ଦେହ ବ୍ୟବସାୟରେ ନିୟୋଜିତ କରିଥିଲା। ସମୁଦ୍ରକୂଳ ଥାନା ଅଞ୍ଚଳରେ ଥିବା ନିଗମ ହୋଟେଲ, ବସ୍ଷ୍ଟାଣ୍ଡ ପାଖରେ ଥିବା ଚନ୍ଦନ ଲଜ୍ ଓ ଡିଭାଇନ୍ ହେଟେଲରେ ମଧ୍ୟ ରଖି ସେକ୍ସ କାର୍ଯ୍ୟରେ ଲଗାଉଥିଲା ବୋଲି ଜଣାପଡ଼ିଥିଲା ।ତେଣୁ ପୁଲିସ ଏହି ହୋଟେଲ ଓ ଲଜିଂକୁ ମଧ୍ୟ ସ୍କାନରକୁ ଆଣିଥିଲା। ତେବେ ଗତମାସ ୧୨ ତାରିଖ ଦିନ ରଞ୍ଜୁଲତା ଏହି ନାବାଳିକାକୁ ନେଇ ଡିଭାଇନ ହୋଟେଲରେ ଜଣେ ଗ୍ରାହକଙ୍କ ସହିତ ଛାଡ଼ିଥିଲା ମାତ୍ର ନାବାଳିକା କୌଶଳକ୍ରମେ ଗ୍ରାହକଙ୍କ ସହାୟତାରେ ସେଠାରୁ କାହ୍ନା ସହିତ ଖସିଯାଇଥିଲା । କାହ୍ନା ତାକୁ ନେଇ ଜଟଣୀ ଅଞ୍ଚଳରେ ଜଣଙ୍କ ଘରେ ରଖାଇ ସେଠାରେ ମଧ୍ୟ ଦେହ ବ୍ୟବସାୟରେ ଲଗାଇଥିଲା। ଏବେ ପୁଲିସ ସେଠାରୁ ନାବାଳିକାକୁ ଧରିବା ପରେ ପୋଲିସ ସମସ୍ତ ଗ୍ରାହକ ଙ୍କ ସହ କିଙ୍ଗ ପିନ ରଞ୍ଜୁଲତା ଙ୍କୁ ମଧ୍ୟ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଭିନିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )