March 30, 2026
Home » ନୟାଗଡରେ ଚିନିକଳ ସ୍ଥାପନ ପାଇଁ ଜାଗା ବୁଲି ଦେଖିଲେ ବିଶେଷଜ୍ଞ ଦଳ

ନୟାଗଡରେ ଚିନିକଳ ସ୍ଥାପନ ପାଇଁ ଜାଗା ବୁଲି ଦେଖିଲେ ବିଶେଷଜ୍ଞ ଦଳ

0
1001000252
ନୟାଗଡ : ନୟାଗଡ ଗତ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ନୟାଗଡ ଜିଲ୍ଲାବାସୀଙ୍କୁ ୧୦୦ ଦିନରେ ଚିନିକଳ ଚଳାଇବାର ପ୍ରତିଶ୍ରୁତି ଦେଇଥିଲେ ସାଂସଦ ସମ୍ବିତ ପାତ୍ର । କେନ୍ଦ୍ର ବିଜେପି ସରକାର ଦୁଇ ବର୍ଷ ପୂରଣ ହେବାକୁ ଆଉ କିଛି ମାସ ଥିବାବେଳେ, କିଛି ଦିନ ତଳେ ହୋଇଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଆସିଥିବା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହା ଘୋଷଣା କରିଥିଲେ ଆଇପିଏଲ ମାଧ୍ୟମରେ ନୟାଗଡ଼ରେ ଚିନିକଳ ହେବ।
              ଏହି ଘୋଷଣା ପରେ ଇଣ୍ଡିଆ ପୋଟାସ ଲିମିଟେଡ ( ଆଇପିଏଲ )ର ବିଶେଷଜ୍ଞ ଦଳ, କେନ୍ଦ୍ର, ରାଜ୍ୟ, ଓ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀ ମାନେ ମିଳିତ ହୋଇ ଚିନିକଳ ନିମନ୍ତେ ଜାଗା ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନ ବୁଲି ଦେଖି ଥିଲେ । ଅତୀତରେ ଓଡ଼ିଶାରେ କଂଗ୍ରେସ ସରକାର ଅମଳରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ଓ ନୟାଗଡ ବିଧାୟକ ବଂଶୀଧର ସାହୁଙ୍କ ସମୟରେ ସମବାୟ ସଂସ୍ଥା ଦ୍ଵାରା ଓଡ଼ିଶା ସରକାର ପାଣିପଇଲା ଠାରେ ଚିନକଳ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ ପରିଚାଳନାଗତ ବିଶୃଙ୍ଖଳା ଯୋଗୁଁ, ଚିନିକଳ ବନ୍ଦ ହୋଇଯାଇଥିଲା । ବିଜେପି ବିଜେଡ଼ି ମିଳିତ ଓଡ଼ିଶା ସରକାର ସମୟରେ ନୟାଗଡ ଚିନିକଳକୁ ଶାଗ ମାଛ ଦରରେ ବିକ୍ରି କରିଥିଲେ ବେସରକାରୀ ସଂସ୍ଥାକୁ । ବିକ୍ରି ସମୟରେ ବର୍ତ୍ତମାନର ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଥିଲେ ଓଡ଼ିଶାର ସମବାୟ ମନ୍ତ୍ରୀ । ପରବର୍ତ୍ତୀ ସମୟରେ ଉକ୍ତ ବେସରକାରୀ ସଂସ୍ଥା ଚିନିକଳ ଚଳାଇ ନପାରି ଛାଡ଼ି ଚାଲିଗଲା । ଯାହା ଫଳରେ ହଜାର ହଜାର ଚାଷୀ, କର୍ମଚାରୀ ଓ କର୍ମଜୀବୀ ମାନେ ବେକାର ହୋଇଯାଇ , ଆର୍ଥିକ,ଶାରୀରିକ ଓ ମାନସିକ କ୍ଷତିର ସମ୍ମୁଖୀନ ହୋଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି, କେତେକ ମଧ୍ୟ କଷ୍ଟଭୋଗି ଭୋଗି ଇହଧାମ ତ୍ୟାଗ କରିସାରିଲେଣି । ପାଣିପଇଲା ଠାରେ ପଡିରହିଥିବା ପୁରାତନ ଚିନିକଳକୁ ଆସିଥିବା ବିଶେଷଜ୍ଞ ଦଳ ଦେଖି ବୁଲିବା ସହିତ, ନିକଟସ୍ଥ ସାନ ହାମରା ଠାରେ ଥିବା ୭୦ ଏକର ସ୍ଥାନକୁ ମଧ୍ୟ ବୁଲି ଦେଖିଥିଲେ । ଏହାପରେ ବିଶେଷଜ୍ଞ ଦଳ ଗମେଇ ନିକଟସ୍ଥ ସ୍ଥାନ ବୁଲି ଦେଖି ଯାଇଛନ୍ତି । ବିଶେଷଜ୍ଞ ଦଳଙ୍କ କଥାବାର୍ତ୍ତାରୁ ଶୁଣିବାକୁ ମିଳିଛି ପୁରାତନ ଚିନିକଳ ପୂନରୁଦ୍ଧାର କରିବା ଅସମ୍ଭବ । ସାନ ହାମାରା ସ୍ଥାନରେ ଚିନିକଳ ପ୍ରତିଷ୍ଠା ହେଲେ ଭଲ ହେବ ବୋଲି ବିଶେଷଜ୍ଞ ଦଳଙ୍କ ମତ ବୋଲି ଶୁଣିବାକୁ ମିଳିଛି । ନୟାଗଡ ଆସିଥିବା ଆଇପିଏଲ ର ବିଶେଷଜ୍ଞ ଦଳର ମୁଖ୍ୟ ଥିଲେ ଟେକ୍ନିକାଲ ସେକ୍ସନ ମୁଖ୍ୟ ମନୀଷ ତ୍ୟାଗୀ, ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୀବ ସିହ୍ନା, ଢେଙ୍କାନାଳ ଚିନିକଳର ମ୍ୟାନେଜର ବିକାଶ କୁମାର ଚୌଧୁରୀ, ଓ ଜିଲ୍ଲାପାଳ ମଧୁମିତା ରଥଙ୍କ, ସବକଲେକ୍ଟର କର୍ଣ୍ଣଦେବ ସମାଦାର୍ ତହସିଲଦାରଙ୍କ ସହିତ ସରକାରୀ ଅଧିକାରୀଗଣ ।
 
                   ସାଂସଦ ଡାକ୍ତର ସମ୍ବିତ ପାତ୍ରଙ୍କ ଠାରୁ ପ୍ରକାଶ ଆଇପିଏଲ ବିଶେଷଜ୍ଞ ଦଳ ଦେଖିଯାଇଥିବା ଚିନିକଳ ପାଇଁ ଜାଗାକୁ ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିବା ପରେ, ଚିନିକଳ ପ୍ରତିଷ୍ଠାର ବାଟ ଫିଟିବା ସଙ୍ଗେ ସଙ୍ଗେ ଆନୁସାଙ୍ଗିକ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇ ଚିନିକଳ ପ୍ରତିଷ୍ଠା ହେବ । ପୁରାତନ ଚିନିକଳ ଚାଲୁ କରିବା ଅସମ୍ଭବ, କାରଣ ୫ ହଜାର କୋଟି ଋଣ ଭାର ସହିତ କେସ ଯାଇ କୋର୍ଟରେ ।
               ନୟାଗଡ ଚିନିକଳ କ୍ରିୟାନୁଷ୍ଠାନ କମିଟି ଇତି ମଧ୍ୟରେ ଜିଲ୍ଲାପାଳ ମଧୁମିତା ରଥଙ୍କୁ ତାଙ୍କର ଦାବୀପତ୍ର ମାଧ୍ୟମରେ ଜଣାଇଛନ୍ତି ଆସିଥିବା ଆଇପିଏଲ ବିଶେଷଜ୍ଞ କମିଟି ସାନ ହାମରା ଜାଗା ଦେଖି ସନ୍ତୋଷ ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ସାନ ହାମରା ଠାରେ ଚିନିକଳ ପ୍ରତିଷ୍ଠା ପାଇଁ ସୁପାରିଶ କରିବାକୁ ଅନୁରୋଧ କରିଛନ୍ତି । ତତ୍ ସହିତ ଆଖୁ ଚାଷୀ, ଶ୍ରମିକ ଓ କର୍ମଚାରୀ ମାନଙ୍କର ବକେୟା ଅର୍ଥ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହିତ ତାଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଆଲୋଚନାରେ ଭାଗ ନେଇଥିଲେ କ୍ରିୟାନୁଷ୍ଠାନ କମିଟିର ସଭାପତି ମନୋଜ ସାହୁ, ଆବାହକ ସନ୍ତୋଷ ପ୍ରଧାନ, ସଂପାଦକ ଲଳିତା କୁମାରୀ ଦାସ, କୋଷାଧ୍ୟକ୍ଷ ବୈକୁଣ୍ଠ ରାଉତ,ଶ୍ରମିକ ସଂଗଠନ ସଭାପତି ଲକ୍ଷ୍ମୀଧର ସାହୁ, କାଳୁ ବେହେରା, ରବୀନ୍ଦ୍ର ମହାରଣା, ଅରୁଣ କୁମାର ସାହୁ ପ୍ରଭୃତି  ଦେଖାଯାଉ ନୟାଗଡ ଚିନିକଳ କେବେ କେଉଁ ଠାରେ ହେବ ଦେଖିବାକୁ ଚାଷୀକୁଳ ଚାତକ ପରି ଚାହିଁ ବସିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *