November 13, 2025
Home » ପଲଶାଗୋରା ଓ ଖଟଖଟିଆ ରେ ଦୁର୍ଗା ପୂଜା ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ହେବ

ପଲଶାଗୋରା ଓ ଖଟଖଟିଆ ରେ ଦୁର୍ଗା ପୂଜା ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ହେବ

0
WhatsApp Image 2025-09-28 at 8.19.23 AM

ସୁବର୍ଣ୍ଣପୁର: ଚଳିତ ନବରାତ୍ର ଓ ଦୁର୍ଗା ପୂଜା ଉତ୍ସବକୁ ପରିବେଶ ଅନୁକୂଳ ଓ ସମ୍ପୂର୍ଣ୍ଣ ଭାବରେ ସିଂଗଲ୍-ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାଶ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସ୍ୱଚ୍ଛତା ପରାମର୍ଶଦାତା ଶ୍ରୀ ଆର୍ତ୍ତ ପାଢ଼ୀ ଓ ଶ୍ରୀ ସରୋଜ ରଞ୍ଜନ ପାଢ଼ୀ, ଶ୍ରୀ ରଞ୍ଜନ କୁମାର ପାତ୍ର ଏବଂ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ପଲଶାଗୋରା ଓ ଖଟଖଟିଆ ସ୍ଥିତ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କମିଟି ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଆଲୋଚନା ଫଳରେ ପୂଜା କମିଟି ଏବର୍ଷ ପୂଜା ମଣ୍ଡପକୁ ସମ୍ପୂର୍ଣ୍ଣ ଭାବରେ ପରିବେଶ ବନ୍ଧୁ ଓ ପ୍ଲାଷ୍ଟିକ୍ ମୁକ୍ତ କରିବେ ବୋଲି ସ୍ଥିର କରିଛନ୍ତି। ଏଥିପାଇଁ ପେଣ୍ଡାଲ୍ ସାଜ ସଜ୍ଜାରେ ପ୍ଲାଷ୍ଟିକ୍ ବଦଳରେ ବାଉଁଶ, କାଠ, ମାଟି, ପ୍ରାକୃତିକ ରଙ୍ଗ, କପଡ଼ା, ଫୁଲ ଓ କାଗଜ ଭଳି ଜୈବିକ ଉପାଦାନ ବ୍ୟବହାର କରାଯିବ ଏବଂ ପ୍ରସାଦ ବଣ୍ଟନ କିମ୍ବା ଖାଦ୍ୟ ବିକ୍ରି ପାଇଁ ମାଟିର ପାତ୍ର, ପତ୍ରର ଥାଳି, କାଗଜର କପ୍ ଆଦି ପରିବେଶ ବନ୍ଧୁ ବିକଳ୍ପ ବ୍ୟବହୃତ ହେବ। ପୂଜାର ଶେଷ ଦିନ ପ୍ରତିମା ବିସର୍ଜନ ପରେ ବିସର୍ଜନ ସ୍ଥଳୀର ସମ୍ପୂର୍ଣ୍ଣ ସଫାସୁତୁରା ନିଶ୍ଚିତ କରିବା ପାଇଁ ପୂଜା କମିଟି, ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟ ସଂଗଠନଙ୍କ ସହଯୋଗରେ ଏକ ବିଶେଷ ସ୍ୱଚ୍ଛତା ଅଭିଯାନ ମଧ୍ୟ କରଯିବ, ଯାହାଦ୍ୱାରା ନଦୀ କିମ୍ବା ଜଳାଶୟଗୁଡିକ ପ୍ରଦୂଷିତ ହେବନହିଁ। ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ କମ କରିବା ପାଇଁ ପରିବେଶ ଅନୁକୂଳ ବିସର୍ଜନ ପଦ୍ଧତି ଅବଲମ୍ବନ କରାଯିବା ସହିତ ପ୍ରତିମା ନିର୍ମାଣରେ ପ୍ରାକୃତିକ ରଙ୍ଗ ବ୍ୟବହାର ପାଇଁ ଉତ୍ସାହିତ କରାଯିବ। ଏବର୍ଷ ପୂଜାକୁ ଏକ ଆଦର୍ଶ ଓ ଅନୁକରଣୀୟ ମାପଦଣ୍ଡରେ ପରିଚାଳିତ କରିବେ ବୋଲି ପୂଜା କମିଟି ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହା ଅନ୍ୟାନ୍ୟ ପୂଜା କମିଟି ଙ୍କ ପାଇଁ ମଧ୍ୟ ଏକ ପ୍ରେରଣାର ଉତ୍ସ ହେବ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *