ପାରଳାଖେମୁଣ୍ଡିରେ ରାଜ୍ୟସ୍ତରୀୟ ଓଡି଼ଆ ଭାଷା ସମ୍ପାନ ଅନୁଷ୍ଠିତ
ମାତୃଭାଷା ହେଉଛି ସମାଜ ଓ ରାଷ୍ଟ୍ରର ପରିଚୟର ଭାଷା ଅଟେ
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାଗୃହ ପରିସରରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ପ୍ରତିଷ୍ଠାନ ଓ ମହିଳା ସ୍ନାତକ ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ, ବ୍ରହ୍ମପୁରର ଲମ୍ବୋଦର ପାଣିଗ୍ରାହୀ, ରାୟଗଡା ସ୍ୱୟଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ଦେବୀ, ଅଧ୍ୟାପକ ଅଶୋକ କୁମାର ପଣ୍ଡା, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ବାରୁବା ସ୍ଥିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡଃ. ରାମାରାଓ ମାଝି ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ ।

ଏହି ସମ୍ମିଳନୀର ଆଲୋଚନାର ବିଷୟ ଥିଲା ‘ଯୁବପିଢି ଓ ମାତୃଭାଷା ସାହିତ୍ୟ’ । ଓଡ଼ିଆ ଭାଷା ପାଇଁ ପାରଳାଖେମୁଣ୍ଡିର କଣ କଣ ଅବଦାନ ରହିଛି ତାହା ନିର୍ବିବାଦରେ ଯେ କେହିବି କହିପାରିବେ ବୋଲି କହିଥିଲେ । ଯୁବପିଢି ହେଉଛନ୍ତି ରାଷ୍ଟ୍ରର ମେରୁଦଣ୍ଡ । ସେମାନେ ସୃଜନଶୀଳ ସମାଜ ଓ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ମାତୃଭାଷା ଆମର ବିଚାର ଶକ୍ତିକୁ ପରିପ୍ରକାଶ କରିବା ସହ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବହୁ ଉର୍ଦ୍ଧକୁ ନେବା ସହ ଜାତୀୟ ସଂହତିକୁ ସ୍ଥାପିତ କରିପାରେ । ଗୋଟିଏ ଭାଷାରେ ଗୋଟିଏ ଜାତିର ଅସ୍ମିତା ରହିଥାଏ । ଭାଷା କେବେ ବିଲୁପ୍ତ ହେବନାହିଁ । କାରଣ ଜାତିର ମୂଳରେ ଭାବାବେଗ ରହିଛି ।

ଜଗତୀକରଣ ଯୋଗୁଁ ବର୍ତ୍ତମାନର ଯୁବପିଢି ଖୁବ୍ କମ ସମୟରେ ନିଜକୁ ଜ୍ଞାନୀ ବିବେଚନା କରିବା ସକାଶେ ନିଜ ମାତୃଭାଷା ଓ ସାହିତ୍ୟ ଠାରୁ ଦୂରେଇ ଯାଉଛନ୍ତି । ଯାହାଫଳରେ କି ଓଡ଼ିଆ ଭାଷାର ଅବକ୍ଷୟ ହେଉଛି । ଜାତି ପରମ୍ପରାକୁ ବାଦଦେଇ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିକାଶ ନାହିଁ । ଆମ ଭାଷା ଯଦି ଦୁର୍ବଳ ଅଛି ଆମେ ଉନ୍ନତି କରିପାରିବା ନାହିଁ । ଯଦି ଆମଭାଷାକୁ ସମ୍ମାନ ଦେଇ କାର୍ଯ୍ୟ କରିବା ଆମର ବିଭବ ହେବ । ଓଡ଼ିଆ ଭାଷା ବର୍ତ୍ତମାନ ଅପ୍ରାସଙ୍ଗିକ ପାଲଟିଛି । ଯୁବପିଢି ମଧ୍ୟରେ ମାତୃଭାଷା ପ୍ରତି ବିମୁଖତାର କାରଣ କଣ ତାର ସମୀକ୍ଷା କରିବାର ଆବଶ୍ୟକ ରହିଛି ।

ଭାଷା ହେଉଛି ମାନବ ଜାତିର ଶ୍ରେଷ୍ଠ ସମ୍ପଦ ଓ ମାତୃଭାଷା ହେଉଛି ସାମାଜିକ ବିକାଶର ପ୍ରଥମ ସୋପାନ ଅଟେ । ମାତୃଭାଷା ହେଉଛି ସମାଜ ଓ ରାଷ୍ଟ୍ରର ପରିଚୟର ଭାଷା ଅଟେ । ଯୁବପିଢି ମାତୃଭାଷାକୁ ଭୂଲିଯାଏ ତେବେ ନିଜର ପତ୍ତନ ସୁନିଶ୍ଚିତ ବୋଲି ବୋଲି ମଞ୍ଚାସୀନ ଅତିଥି ଓ ମୁଖ୍ୟବକ୍ତା ନିଜନିଜ ବକ୍ତବ୍ୟ କହିଥିଲେ । ଶେଷରେ ମଞ୍ଚାସୀନ ଅତିଥି ମାନେ ଏଥି ନିମନ୍ତେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଓଡିଆ ବକ୍ତୃତା,ପ୍ରବନ୍ଧ ଓ ଶ୍ରୁତଲିଖନ ପ୍ରତିଯୋଗିତାର ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବରଦା ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
