ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତି ବନ୍ଧୁ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ମୁଖ୍ୟ ଅତିଥିଙ୍କୁ ସ୍ଵାଗତ ପାଇଁ ଛାତ୍ର ଛାତ୍ରୀମାନେ ଗଛଟିଏ ମୁଁ ଗଛଟିଏ ନୃତ୍ୟ ପରିବେଷଣ କରିଥିଲେ । ଶ୍ରୀଯୁକ୍ତ ମହାପାତ୍ର ନିଜ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଜନ୍ମ ଦିନରେ, ବିବାହ ବାର୍ଷିକୀ ଆଦି ପାଳନ ବେଳେ, ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ, ବିଦ୍ୟାଳୟକୁ ଅତିଥିଙ୍କ ଆଗମନ ଅବସରରେ ଭବିଷ୍ୟତ ପିଢ଼ୀ ପାଇଁ ଗଛ ଲଗାଇବା ଓ ତାହାର ଯତ୍ନ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଏବଂ ବିଦ୍ୟାଳୟ ନିକଟସ୍ଥ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ସଞ୍ଚୟ କରାଯାଇଥିବା ବିଦ୍ୟାଳୟର ପିଗି ବ୍ୟାଙ୍କକୁ ମୁଖ୍ୟଅତିଥି ୫୦୦ ଟଙ୍କା ଦାନ କରି ଥିଲେ । ପିଗି ବ୍ୟାଙ୍କ ଜରିଆରେ ଛାତ୍ରମାନେ ସଂଗ୍ରହ କରିଥିବା ୫୦୦ ଟଙ୍କା , ଗତ ବାର୍ଷିକ ଉତ୍ସବରେ ପୁରସ୍କାର ପାଇଥିବା ୫୦୦ଟଙ୍କା, ଏମିତି ମୋଟ ୧୫୦୦ ଟଙ୍କାକୁ ଖମ୍ବେଶ୍ଵରୀପାଲି ବିଦ୍ୟାଳୟର ଶିକ୍ଷକ ମଧୁସୂଦନ ସାହୁ ସାରଙ୍କ ବ୍ରେନ ହେମ୍ବ୍ରେଜ ଚିକିତ୍ସା ପାଇଁ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତି ବନ୍ଧୁ ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଗ୍ରାମର ବହୁସଂଖ୍ୟକ ଭଦ୍ରମହିଳା ତଥା ମାଁ ମାନେ ବୃକ୍ଷ ରୋପଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ..
