ବଡ଼ବିଲରେ ବିଶେଷ ପୋଲିସ ଅଭିଯାନ: ୫,୨୦୦ ଲିଟର ଅବୈଧ ଦେଶୀ ମଦ ଜବତ, ୧୪୯ ଗାଡ଼ିର କଟିଲା ଚାଲାନ
ଯୋଡ଼ା – ଆସନ୍ତା ପର୍ବ ପର୍ବାଣି ସମୟରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ପୋଲିସ ପକ୍ଷରୁ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ମାନ୍ୟବର ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏହି ଅଭିଯାନ ୧୯.୧୨.୨୦୨୫ ତାରିଖରୁ ବଡ଼ବିଲ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି।ଏହି ଅଭିଯାନ ସମୟରେ ସୋୟାବାଲି ଜଙ୍ଗଲ ଓ ସେରେଣ୍ଡା ଜଙ୍ଗଲ ଅଞ୍ଚଳରୁ ପୋଲିସ ପକ୍ଷରୁ ସମୁଦାୟ ୫,୨୦୦ ଲିଟର ଅବୈଧ ଦେଶୀ ମଦ ଜବତ କରାଯାଇଛି। ପର୍ବ ସମୟରେ ଏହି ଅବୈଧ ମଦ ବ୍ୟବହାର ଦ୍ୱାରା ସାମାଜିକ ଅଶାନ୍ତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପୋଲିସ ଆଗକୁ ସଚେତନ ହୋଇ ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଏହା ସହିତସହିତ ବଡ଼ବିଲ ଥାନା ପକ୍ଷରୁ ମୋଟର ଯାନ ଆଇନ ଅନୁଯାୟୀ ବିଶେଷ ଯାନ ଯାଞ୍ଚ ଅଭିଯାନ ମଧ୍ୟ ଚାଲିଛି। ବିନା ହେଲମେଟ ଗାଡି ଚଲେଇବା , ମଦ ପିଇ ଗାଡି ଚଲେଇବା , ତିନିଜଣ ବସି ଗାଡି ଚଲେଇବା , ଅତିବେଗ ଓ ବିନା ବୈଧ ଡକ୍ୟୁମେଣ୍ଟରେ ଗାଡି ଚଲେଇବା ଭଳି ଅଭିଯୋଗରେ ୧୪୯ଟି ଯାନ ଉପରେ ମାମଲା ରୁଜୁ କରାଯାଇ ୫,୬୨,୦୦୦ ଟଙ୍କା ଅର୍ଥଦଣ୍ଡ ଆଦାୟ କରାଯାଇଛି। ଏହି ଅଭିଯାନରେ ମଦ ପିଇ ଯାନ ଚଳାଇବା ସମ୍ପର୍କିତ ୨୬ଟି ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ଯାନଗୁଡ଼ିକୁ ଜବତ କରାଯାଇଛି ଓ ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି। ବଡ଼ବିଲ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ସାଧାରଣ ଲୋକଙ୍କ ସୁରକ୍ଷା ଓ ଆଇନ-ଶୃଙ୍ଖଳା ବଜାୟ ରଖିବା। ଲୋକମାନଙ୍କୁ ଆଇନ ମାନିବା ସହ ପୋଲିସକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି। ସାଧାରଣ ଲୋକଙ୍କ ହିତରେ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
