ବରଗଡ଼ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପର୍ବ ଅନୁଷ୍ଠିତ
ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ‘ଶିଶୁ ବାଟିକା’ ଶୁଭାରମ୍ଭ; କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲ୍ଲାପାଳ
ବରଗଡ:ଓଡିଆ ପକ୍ଷ ପାଳନର ଚତୁର୍ଥ ଦିନରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷା ବର୍ଷରୁ ଲାଗୁ କରାଯାଇଥିବା ନୂତନ ଶିକ୍ଷାନୀତି ଆଜିଠୁ ଆରମ୍ଭ ହୋଇଛି | ଶିଶୁ ଵାଟିକାରେ କୁନି କୁନି ପିଲାମାନେ ନାମ ଲେଖାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପୂର୍ଵରୁ ପ୍ରଦାନ କରାଯାଇଥିଲା | ଏହି ଅବସରରେ ଶିଶୁ ବାଟିକାରେ ନାମ ଲେଖେଇବାକୁ ରାଜ୍ୟ ସାରା ଆଜି ସ୍କୁଲ ଆସିଛନ୍ତି କୁନି କୁନି ପିଲା । ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି।


ଏହି ଅବସରରେ ବରଗଡ଼ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ” କାର୍ଯ୍ୟକ୍ରମକୁ ସ୍ଥାନୀୟ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ୍ ସଭାପତି ରୂପେ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଈ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ଖଡ଼ି ଛୁଆଁଇ ଉତ୍ସାହିତ କରିଛନ୍ତି ।ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଚଳିତ ମାସ ୪ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ରେ ଅନୁଷ୍ଟିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ” କାର୍ଯ୍ୟକ୍ରମ ସମ୍ବନ୍ଧ ରେ ଜନ ସଚେତନତା ରଥ କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ ଖଡ଼ି ଛୁଆଁ କାର୍ଯ୍ୟକ୍ରମରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ପ୍ରଥମ ଦିବସ ରେ ୫୬ ଛାତ୍ର ଛାତ୍ରୀ ନାମ ଲେଖାଇ ଥିବା ବେଳେ ସମସ୍ତ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ତରଫରୁ ସ୍ଵାଗତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଅମୃତା ସାହୁ, ଡି ଆଇ ଇ ଟି ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ,ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ, ଅନ୍ୟାନ୍ୟ ଅଧିକାରୀ ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ପ୍ରମୁଖ ଯୋଗ ଦେଇ “ଖଡ଼ିଛୁଆଁ” କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ ।ନବାଗତ ଶିଶୁ ବାଟିକା ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ବିଭାଗ ତରଫରୁ ପାଠ୍ୟ ଉପକରଣ କିଟ୍ ବଣ୍ଟନ କରାଯାଇଥିଲା । ସାକ୍ଷରତା ସଂଖ୍ୟା ଜ୍ଞାନ,ଓ ସ୍ରୁଜନାତ୍ମକ ଷ୍ଟଲ୍ ଗୁଡ଼ିକର ପ୍ରଦର୍ଶନୀ ଅନୁଷ୍ଟିତ ହୋଇଥିଲା ।


ଆଜି ସମସ୍ତ ବିଦ୍ୟାଳୟରେ ପିଲାଙ୍କୁ ଖଡ଼ି ଧରାଇ ସିଲଟ ପଟ୍ଟାରେ ବିଦ୍ୟା ଆରମ୍ଭ କରାଇଥିଲେ ଓ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । ଏଭଳି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲରେ ପ୍ରଥମକରି ପାଦ ଥାପୁଥିବା ପିଲା ମାନେ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ ହେବେ ଏବଂ ଜୀବନବ୍ୟାପୀ ସେମାନଙ୍କ ସ୍କୁଲରେ ପ୍ରଥମ ଦିନର ଅନୁଭୂତି ସ୍ମରଣୀୟ ରହିବ ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
