ବରିଷ୍ଠ ସାରସ୍ଵତ ସାଧିକା ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦୀକ୍ଷିତଙ୍କ ବିୟୋଗ।
କେନ୍ଦୁଝର ଜିଲ୍ଲାର ଜଣେ ବରିଷ୍ଠ ସମାଜସେବୀ ସୁସାହିତ୍ୟିକା ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଦୀକ୍ଷିତଙ୍କ ଆଜି ସକାଳୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। କେନ୍ଦୁଝର ପୁରୁଣା ବଜାର ବଡଦାଣ୍ଡର ଡାକ୍ତର ସଞ୍ଜୀବ କୁମାର ଦୀକ୍ଷିତଙ୍କ ଧର୍ମପତ୍ନୀ ସେ ଥିଲେ। କେନ୍ଦୁଝର ସହରର ଟାଉନ୍ ବାଳିକା ବିଦ୍ୟାଳୟ,ସରକାରୀ ବାଳିକା ବିଦ୍ୟାଳୟ ତଥା ଡିଏନ୍ ହାଇସ୍କୁଲରେ ସେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ପିଲାଙ୍କୁ ପଢ଼ାଇବା ଛଡ଼ା ସେ ସାରସ୍ଵତ ସାହିତ୍ୟ ସାଧନା ଦିଗରେ ମନୋନିବେଶ କରିଥିଲେ। ବିଭିନ୍ନ ସାହିତ୍ୟନୁଷ୍ଠାନ ସହିତ ଜଡିତ ଥିଲେ। ମିଳନୀ ସାହିତ୍ୟ ସଂସଦ , କେନ୍ଦୁଝର ଲେଖିକା ସଂସଦର ବରିଷ୍ଠ ସଦସ୍ୟା ଥିଲେ। ସେହିପରି ସେ କେନ୍ଦୁଝର ନାଗରିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟା ରହିଥିଲେ। କେନ୍ଦୁଝର ରଥଯାତ୍ରା ସମୟରେ ସେ ଖୁବ୍ ସୁନ୍ଦର ଭାବେ ରଥଯାତ୍ରା ବିବରଣୀ ପ୍ରଦାନ କରିବା ବେଳେ କେନ୍ଦୁଝର ସଂସ୍କୃତି ପରମ୍ପରା ଉପରେ କହିଥାନ୍ତି ଯାହାକୁ ଲୋକେ ସବୁ ବେଳେ ମନେ ରଖିବେ। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କର ବିୟୋଗରେ ପରିବାର ପ୍ରତି ସମବେଦନା ପ୍ରକାଶ ପାଇଛି ସମସ୍ତେ ତାଙ୍କର ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା ସ୍ବାମୀ ଏବଂ ୨ ପୁଅ ଓ ୨ଝିଅ ପାଖରେ ଉପସ୍ଥିତ ଥିଲେ। ଅପରାହ୍ନରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିବା ଜଣାଯାଇଛି।
କେନ୍ଦୁଝର ରୁ ରୁପା ପିଲ୍ଲlଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ
