February 22, 2026
Home » ବିଏମ୍ ସିର ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ ହେଲେ ପ୍ରାୟ 150 ଶିକ୍ଷାନୁଷ୍ଠାନ

ବିଏମ୍ ସିର ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ ହେଲେ ପ୍ରାୟ 150 ଶିକ୍ଷାନୁଷ୍ଠାନ

0
WhatsApp Image 2026-02-21 at 7.45.45 PM
 ଭୁବନେଶ୍ୱର:ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପରିମଳ ବ୍ୟବସ୍ଥା ଯେପରି ସୁଚାରୁରୂପେ ପରିଚାଳନା ହୋଇପାରିବ, ସେ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ବର୍ଷତମାମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ସଂପର୍କିତ ବିଭିନ୍ନ କ୍ୱଜ୍, ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ବର୍ଜ୍ୟରୁ କଳାକୃତି ବା ଓ୍ୱେଷ୍ଟ ଟୁ ଆର୍ଟ, ନୃତ୍ୟ,ଏକକ ଅଭିନୟ,  ଆଦି ପ୍ରତିଯୋଗିତା ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ମହାନଗରସ୍ତର ପର୍ଯ୍ୟନ୍ତ ସଂଗଠିତ କରାଯାଉଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବା ପାଇଁ ବର୍ଜ୍ୟରୁ କଳାକୃତି ପ୍ରଦର୍ଶନୀ ବିଦ୍ୟାଳୟ, କ୍ଲଷ୍ଟର, ଜୋନ୍ ଓ ବିଏମ୍ ସିସ୍ତର ମଧ୍ୟରେ ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ଶ୍ରେଷ୍ଠ କଳାକୃତି ପାଇଁ ଛାତ୍ରଛାତ୍ରୀ, ବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ କରାଯାଉଛି ।   ସଂପ୍ରତ୍ତି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଇଇସି କାର୍ଯ୍ୟକ୍ରମ ଜାରି ରହିଛି । ଭୁବନେଶ୍ୱରେ 150ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲୁ ରହିଛି । ସ୍ୱେଚ୍ଛାସେବୀ ସଂଗଠନ ଫିଡ୍ ବ୍ୟାକ୍, ବେସିକ୍ସ ମ୍ୟୁନିସପାଲ ଓ୍ୱେଷ୍ଟ ଭେନ୍ଚର ଏବଂ ବିକାଶ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସେମାନଙ୍କର ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ମୁଖ୍ୟତଃ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଫିଡ୍ ବ୍ୟାକ୍ 35ଟି ବିଦ୍ୟାଳୟରେ, ବେସିକ୍ସ ମ୍ୟୁନିସପାଲ ଓ୍ୱେଷ୍ଟ ଭେନ୍ଚର 39ଟି ଏବଂ ବିକାଶ 37 ଟି, ଏପରି ମୋଟ 111ଟି ବିଦ୍ୟାଳୟରେ ସ୍ୱଚ୍ଛ ସଚେତନତା, ବିଭିନ୍ନ ପ୍ରତିଯୋଗିତା, ଡଷ୍ଟବିନ୍ ରଖିବା, ବର୍ଜ୍ୟ ପରିଚାଳନା ଆଦି କାର୍ଯ୍ୟ କାର୍ଯ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଚେତନ କରାଇଛନ୍ତି । ପ୍ରତି ସ୍କୁଲରେ ଜଣେ ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କୁ ବିଦ୍ୟାଳୟର ଆମ୍ବାସଡର କରାଯାଇଛି । ଆଗାମୀ ଦିନରେ ଆହୁରି ପ୍ରାୟ 50ଟି ବିଦ୍ୟାଳୟରେ ଆଇଇସି କାର୍ଯ୍ୟକ୍ରମ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୋଟ ପାଖାପାଖି 20 ହଜାର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କର ପରିବାର ସଦସ୍ୟ ମଧ୍ୟ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା । ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି ।

Leave a Reply

Your email address will not be published. Required fields are marked *