ବିଜ୍ଞାନ ଯୁଗରେ ଭିନ୍ନ ଚିତ୍ର, ଝିଅ ସାଜି ଯାଉଛି ସାପ

ବିଜ୍ଞାନ ଯୁଗରେ ଭିନ୍ନ ଚିତ୍ର। ଝିଅ ସାଜି ଯାଉଛି ସାପ। ଆଉ ସାପ କୁ ଆଘାତ ହେଲେ ଝିଅ ଦେହରେ ରହୁଛି ଚିହ୍ନ। ଏଭଳି ଘଟଣା ଯାହା ଯେତେ କୌତୁହଳ ପୂର୍ଣ୍ଣ ସେତିକି ପ୍ରଶ୍ନବାଚୀ ମଧ୍ୟ। ଭୌତିକ କାଣ୍ଡ ନା ଅନ୍ଧବିଶ୍ୱାସର ଏ ଝଲକ, ତାହାକୁ ନେଇ ଦେଖନ୍ତୁ ପ୍ରଶ୍ନଭରା ଆମର ଏହି ରିପୋର୍ଟ। ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏହିଠାରେ ରହିବି। ଏଭଳି କହି କାନ୍ଦି କାନ୍ଦି ଭୂଇଁରେ ଗଡିଯିବା ସହିତ ମଝିରେ ମଝିରେ ସାପ ଭଳି ଗର୍ଜନ ମଧ୍ୟ କରୁଛି। କେବଳ ସେତିକି ନୁହେଁ ସାପ ଫଣା ଭଳି ହାତକୁ କରି ଗୁହାରି କରୁଛି ଝିଅଜଣକ। ଘରେ ଏକ ବିଷାକ୍ତ ନାଗ ସାପ ପଶିଥିବାର ଖବର ପାଇ ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ସାପ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଅଚାନକ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ଉଦଳା ବ୍ଲକ ଚକରାପାଳ ଗ୍ରାମରେ।
ଗ୍ରାମର ରବୀନ୍ଦ୍ର ସିଂ ଙ୍କ ଘର ମାଟିକାନ୍ଥ ଭିତରେ ଏକ ବିରାଟ ନାଗ ସାପ ପଶିଥିବା ନେଇ ସେ ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଂଚିବା ସହିତ ସାପ ପଶି ରହିଥିବା ମାଟିକାନ୍ଥକୁ ସେମାନେ ଭାଙ୍ଗିଥିଲେ ଏବଂ ସାପକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ଅଚାନକ ସାପ ଭଳି ଗର୍ଜନ କରିବା ସହିତ ଭୂଇଁରେ ଲୋଟି ପଡି ସାପ ଫଣା ଟେକିବା ଭଳି ହୋଇଥିଲେ। ତା ସହିତ ମୋତେ ମାର ନାହିଁ ବା ନେଇ ଯାଅ ନାହିଁ ବୋଲି କାନ୍ଦି କାନ୍ଦି ଗୁହାରି କରିଥିଲେ। ଯାହା ଦେଖି ସମସ୍ତେ ତାଯୁବ ହୋଇଯାଇଥିଲେ। ପରେ ସାମ୍ନାକୁ ଆସିଥିଲା ପୁରା ଘଟଣା। ଦିନକ ପୂର୍ବରୁ ପରିବାର ଲୋକେ ଉକ୍ତ ସାପକୁ ଦେଖି ବାଡେଇ ମାରିବା ପାଇଁ ଚେଷ୍ଟା କରି ବାଡ଼ିରେ ଆଘାତ ଦେଇଥିବା ବେଳେ ସାପଟି ଖସି ପଳାଇଥିଲା ହେଲେ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ଦେହରେ ଅଚାନକ ମାଡ଼ର ଆଘାତ ଚିହ୍ନ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଯାହା ଦେଖି ପରିବାର ଲୋକେ ହତବାକ ହୋଇଯାଇଥିଲେ।
ପୁଣି ମଧ୍ୟ ଉକ୍ତ ସାପକୁ ନେଇ ଝିଅର ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀ ଏହି ଦୁଇ ଦିନରେ ଝିଅ ଦେହରେ ଏଭଳି ପ୍ରତିକ୍ରିୟା ଦେଖିବା ସହିତ ସାପ ଭଳି ଦେହରେ ଚିହ୍ନ ବସିଯାଉଥିବା କହିଛନ୍ତି ପରିବାର ଲୋକେ। ଯାହାକୁ ହାଲୁକା ଭାବେ ନେଉଥିବା ବେଳେ ଏବେ ପୁଣି ଏଭଳି ଘଟଣା ଘଟିବା ପୁରା ପରିବାରକୁ ଚିନ୍ତାରେ ପକାଇଛି। ସେପଟେ ସାପ ନେବାକୁ ଉଦ୍ଧାରକାରି ଦଳ ଆସିଥିବା ବେଳେ ଅଚାନକ ଦେହ କଣ ହେଲା ଏବଂ ସେ ତା ପରେ କଣ କରିଛନ୍ତି ସେ ନିଜେ ଜାଣି ନ ଥିବା କହିଛନ୍ତି ସାପ ସାଜିଥିବା ଝିଅ। ଏ ସବୁ ପରେ ମଧ୍ୟ ସାପ ଆଘାତରେ ଝିଅ ଦେହରେ ଚିହ୍ନ, ଝିଅ ସାପ ଭଳି ଗର୍ଜନ କରିବା, ଘରୁ ନ ଯିବାକୁ ନେହୁରା ହେବା ଏ ସବୁ ଆଈ ମା ପେଡିର ଗପ ଭଳି ଲାଗୁଥିଲେ ସୁଦ୍ଧା ବିଜ୍ଞାନ ଯୁଗରେ ଏହା ଅନ୍ଧବିଶ୍ୱାସ ନା ଆଉ କଣ ? ନା ଏହା କୌଣସି ଭୌତିକ କାଣ୍ଡ ନା ଚିକିତ୍ସା ବିଜ୍ଞାନରେ ଏଥିପାଇଁ ନିର୍ଦିଷ୍ଟ କେଉଁ କାରଣ ରହିଛି ତାହାର ଖୋଳତାଡ଼ ହେବା ଜରୁରୀ।