ବିନିକା ପୁଲିସ କୁ ମିଳିଛି ବଡ଼ ସଫଳତା
ଫେରାର ଥିବା ୮ ଜଣ ଗଞ୍ଜେଇ ମାଫିଆ ଗିରଫ : ୮ ଟି ମୋବାଇଲ୍ ଓ ନଗଦ ୧୦ ହଜାର ଟଙ୍କା ଜବତ ।
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସକୁ ମିଳିଛି ବଡ଼ ସଫଳତା l ଦୀର୍ଘ ଏକ ମାସ ୪ ଦିନ ଧରି ଫେରାର ହୋଇଥିବା ୮ ଜଣ ଗଞ୍ଜେଇ ମାଫିଆକୁ ବିନିକା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହ ଆସାମୀ ମାନେ ବ୍ୟବହାର କରିଥିବା ଦୁଇଟି କାର , ୮ ଟି ମୋବାଇଲ ଓ ନଗଦ ୧୦ ହଜାର ଟଙ୍କା ଜବତ କରିଛି । ଘଟଣାରୁ ପ୍ରକାଶ ଯେ , ଏହି ୮ ଜଣ ଗଞ୍ଜେଇ ମାଫିଆ ମାନେ ଝାରଖଣ୍ଡ ନମ୍ବର ଥିବା ଦୁଇଟି ଦାମି କାର ଯାହାର ନମ୍ବର ଜେଏଚ ୦୨ ବିଏଚ – ୧୦୦୭ (JH 02 BH-1007) ଏବଂ ଜେଏଚ ୦୫ ବିଏଫ – ୫୩୨୧ (JH05 BF-5321)କାର ରେ ବୌଦ୍ଧ ଜିଲ୍ଲାକୁ ପୁଣି ଗଞ୍ଜେଇ ନେଇ ଯାଉଥିବା ବେଳେ ବିନିକା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବିନିକା ଠାରେ ଗତ କାଲି ମାଡି ବସିଥିଲା I ଏହି ୨ଟି କାର ରେ ଝାରଖଣ୍ଡ ରାଜ୍ୟର ପଲାମୁ ଜିଲ୍ଲାର ୫ ଜଣ ଗଞ୍ଜେଇ ମାଫିଆ ରଞ୍ଜିତ କୁମାର ବର୍ମା (୩୪),ପ୍ରେମ କୁମାର ଗୁପ୍ତା (୫୨),ବବଲୁ କୁମାର (୨୫),ଅଭିନାଶ କୁମାର (୨୫),ଚନ୍ଦେଶ୍ୱର ପ୍ରସାଦ (୩୩) ଓ ବୌଦ୍ଧ ଜିଲ୍ଲା ବାଉଶୁଣୀ ଗାଁର ନିବେଶ ସାହୁ (୩୧),ମନମୁଣ୍ଡା ଥାନା ତିଳପଙ୍ଗା ଗାଁର ବବଲୁ ଖଟୁଆ (୨୮) ଏବଂ ଉକ୍ତ ଗାଁର ଜିତେନ୍ଦ୍ର କଟୁଆଲ (୨୪) ଏହି କେସ ରେ ସମ୍ପୃକ୍ତ ଥିବା ୮ ଜଣ ଗଞ୍ଜେଇ ମାଫିଆକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l

ଏଥି ସହ ଆସାମୀ ମାନେ ବ୍ୟବହାର କରୁଥିବା ୮ ଟି ମୋବାଇଲ୍ ଓ ନଗଦ ୧୦ ହଜାର ଟଙ୍କା ଜବତ କରିଛି।ସୂଚନା ଯୋଗ୍ୟ ଯେ , ଗତ ସେପ୍ଟେମ୍ବର ମାସ ୬ ତାରିଖ ଭୋର ସକାଳ ସମୟରେ ବିନିକା ଥାନା ସାମ୍ନା ଦେଇ ଦ୍ରୁତ ଗତିରେ ଯାଉଥିବା ନମ୍ବର ବିହୀନ କାର ବିନିକା ସହର ର ନୁଆଁ ବଜାର ନିକଟରେ ଆଗ ଚକ ଫାଟି ଯିବାରୁ ଗଞ୍ଜେଇ ଭର୍ତ୍ତି ଗାଡିକୁ ଗଞ୍ଜେଇ ମାଫିଆମାନେ ପେଟ୍ରୋଲ ଢାଳି ଦିଆସିଲି ଲଗାଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ l ଫଳରେ ଗାଡିଟି ହୁତୁହୁତୁ ହୋଇ ଜଳି ଯାଉଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଫୋନ କରିବାରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି ନିଆଁ କୁ ଲିଭାଇ ଥିଲେ ଯାହା ଫଳରେ ବଡ଼ ଅଘଟଣ ଘଟିବାରୁ ରକ୍ଷା ମିଳିଥିଲା l ବିନିକା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦୟାରାମ ମେହେର ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ସେଥିରୁ ୩ କୁଇଣ୍ଟାଲ ୩୧ କେଜି ଗଞ୍ଜେଇ ବାହାରିବା ପରେ ପୁଲିସ ଉକ୍ତ ଗଞ୍ଜେଇ ସହ ଦରପୋଡ଼ା କାର କୁ ଜବତ କରିବା ସହ ଵିନିକା ଥାନା କେସ ନମ୍ବର ୧୭୯ ତା. ୬/୯/୨୫ ଅନୁସାରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
