ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ
ସମସ୍ତଙ୍କ ସହଯୋଗରେ ଅସମାନତା ଦୂର କରି ସାମାଜିକ ନ୍ୟାୟ ପାଇପାରିବା: ଜିଲ୍ଲାପାଳ
ବରଗଡ଼:ଆଜି ବରଗଡ଼ ଯଦୁମଣି ଅଡିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ ହୋଇଯାଇଅଛି । ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ମୁଖ୍ୟ ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ମଣିଷ ମଣିଷ ଭିତରେ ଏପରି କି ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି । ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧାକୁ ହଟାଇ ଦେବା ଦ୍ୱାରା ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ତେଣୁ ସାମାଜିକ ନ୍ୟାୟ ପାଇବାକୁ ହେଲେ ସମସ୍ତଙ୍କ ସହଯୋଗରେ ଅସମାନତା ଦୂର କରିବା ନିହାତି ଜରୁରୀ ।

ସମ୍ମାନିତ ଅତିଥି ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା କହିଥିଲେ ଯେ, ମଣିଷ -ମଣିଷଙ୍କ ଭିତରେ ଥିବା ଅସମାନତା ସାମାଜିକ ଏକତା ଦୁର୍ବଳ କରିବାରେ ଲାଗିଛି। ଏହା ସେମାନଙ୍କୁ ସେମାନଙ୍କ ଅଧିକାର ପାଇବାରେ ବାଧା ସୃଷ୍ଟି କରୁଛି ଓ ଅର୍ଥନୀତି ଉପରେ ମଧ୍ୟ ବୋଝ ପାଲଟୁଛି। ଏଣୁ ସମସ୍ତେ ସଚେତନ ହେବା ସହ ଅସମାନତା ଦୂର କରିବା ପାଇଁ ପ୍ରଶାସନକୁ ସହଯୋଗ କଲେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରି ପାରିବା ।

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାଇବର ବିଶେଷଜ୍ଞ ଭାବେ ଡିଏସପି ଗୋବିନ୍ଦ ମାଝୀ ଡିଜିଟାଲ ଲିଟ୍ରେସି ତଥା ବିଭିନ୍ନ ସାଇବର ଠକେଇ ଓ ଡିଜିଟାଲ ଆରେଷ୍ଟ ବିଷୟରେ ସମସ୍ତଙ୍କୁ ସଚେତନ କରିଥିବା ବେଳେ ଲିଡ୍ ବ୍ୟାଙ୍କ ମେନେଜର ବୈଦ୍ୟନାଥ ତିର୍କୀ ଆର୍ଥିକ ସାକ୍ଷରତା, ନିବେଶ, ଆୟକର ପ୍ରଦାନ, ସ୍ୱାସ୍ଥ୍ୟ ବୀମା, ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ଉପଲବ୍ଧ ଥିବା ଅବସର ପେନସନ ସୁବିଧା ଆଦି ବିଭିନ୍ନ ବିଷୟ ଉପରେ ସଚେତନ କରିଥିଲେ । ଏହି ଅବସରରେ ଯଦୁମଣି ଅଡିଟୋରିୟମ ପ୍ରାଙ୍ଗଣରେ ଆୟୋଜିତ ଯୋଗ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ସହରର ବରିଷ୍ଠ ନାଗରିକ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ
